/odishatv-khabar/media/media_files/2026/01/25/ai-2026-01-25-17-21-09.jpg)
AI Photograph: (OTV)
ବୀଭତ୍ସ ହତ୍ୟାକାଣ୍ଡରେ ମୃତକଙ୍କ ମୁହଁ ଆଦୌ ଜଣାପଡ଼ୁନଥିବା ବେଳେ ଏଆଇ ଡିଜିଟାଲ ମୁହଁ ତିଆରି କଲା। ମୃତକଙ୍କ ପରିଚୟ ଜଣାପଡ଼ିବା ପରେ ହତ୍ୟାକାରୀଙ୍କ ଲିଙ୍କ୍ ସାମନାକୁ ଆଣିବାରେ ସହଯୋଗ କଲା। ଶେଷରେ ପୁଲିସ ହତ୍ୟାକାରୀ ପ୍ରେମିକ ନିକଟରେ ପହଞ୍ଚିବା ଘଟଣା ମଧ୍ୟପ୍ରଦେଶର ଗ୍ୱାଲିୟରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅପରାଧୀମାନେ ଅପରାଧ କରିବା ସମୟରେ ଯେତେ ଚତୁର ହୁଅନ୍ତୁ ନା କାହିଁକି ଡିଜିଟାଲ୍ ଯୁଗରେ ଖସିବା ସହଜ ନୁହେଁ ବୋଲି ପ୍ରମାଣିତ ହୋଇଛି।
ମହିଳାଙ୍କ ପକେଟରେ ଥିବା ଏକ ଛୋଟ ଅଣ୍ଡା ଆମଲେଟ୍ ହତ୍ୟାକାରୀଙ୍କ ପାଖରେ ପହଞ୍ଚିବାରେ ଗ୍ୱାଲିୟର ପୁଲିସକୁ ବହୁତ ସାହାଯ୍ୟ କରିଛି। ଆସନ୍ତୁ ଜାଣିବା ଜଣେ ମହିଳା ଗ୍ୱାଲିୟରର ଜଣେ ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ ଏବଂ ତା’ପରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା।
ଗୋଟିଏ ଘଞ୍ଚ ଜଙ୍ଗଲ ଓ ଶବ
କିଛି ଦିନ ତଳର ଘଟଣା। ଗ୍ୱାଲିୟରର ହାଜିରା ଥାନା ଅଞ୍ଚଳର ଏକ ଘଞ୍ଚ ଜଙ୍ଗଲ ଭରା ପାହାଡ଼। ପାହାଡ଼ ଉପରେ ପୁଲିସ ଜଣେ ମହିଳାଙ୍କ ମୃତଦେହ ପାଇଲା। ହତ୍ୟାକାଣ୍ଡ ଏତେ ବୀଭତ୍ସ ଥିଲା ଯେ ହତ୍ୟାକାରୀ ଏହି ମହିଳାଙ୍କ ପରିଚୟ ଲୁଚାଇବାକୁ ଯାଇ ମୁହଁକୁ ପଥରରେ ଛେଚି ନଷ୍ଟ କରିଦେଇଥିଲା। ପୁଲିସ ଯେତେବେଳେ ଏହି ଘଟଣାର ତଦନ୍ତ କଲା ପରିଚୟ ଚିହ୍ନଟ ସହଜ ନଥିଲା।
କେହି ବି ଚିହ୍ନି ପାରିଲେ ନାହିଁ। ଯେ ଯେପର୍ଯ୍ୟନ୍ତ ମୃତକଙ୍କୁ ଚିହ୍ନଟ କରାଯାଇନାହିଁ, ସେପର୍ଯ୍ୟନ୍ତ ହତ୍ୟାକାରୀଙ୍କ ନିକଟରେ ପୁଲିସ ପହଞ୍ଚିବା ଅସମ୍ଭବ ଥିଲା। ଆଖପାଖ ଥାନାରେ ପୁଲିସ ନିଖୋଜ ମହିଳାଙ୍କ ରେକର୍ଡ ଖୋଜିଲା। କିନ୍ତୁ ସେଭଳି କିଛି ଲିଙ୍କ୍ ପାଇଲା ନାହିଁ। ଆଉ ତା ପରେ…।
ମୃତକଙ୍କ ପରିଚୟ ଦେଲା ଏଆଇ
ଏ ଘଟଣା ଗ୍ବାଲିୟର ପୁଲିସ ପାଇଁ ସମ୍ମାନର ପ୍ରଶ୍ନ ଥିଲା। ପୁଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କଲା। ମହିଳାଙ୍କ ମୁହଁ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ସବୁ ପ୍ରକାର ପାରମ୍ପରିକ କୌଶଳ ବ୍ୟବହାର କଲା। ଶେଷରେ ଚାରିଆଡ଼ୁ ନିରାଶ ହେବା ପରେ ପୁଲିସ ଆଧୁନିକ ପ୍ରଯୁକ୍ତିବିଦ୍ୟା(AI)ର ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଥିଲା। ପୁଲିସ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରିଥିଲା। ଏଆଇ ଏକ ଡିଜିଟାଲ୍ ମୁହଁ ସୃଷ୍ଟି କରିଥିଲା।
ମହିଳାଙ୍କ ନିକଟରୁ ଯେହେତୁ ଏକ ଅଣ୍ଡା ଆମଲେଟ୍ ମିଳିଥିଲା, ସେ କେଉଁଠୁ କିଣିଥିବା ସନ୍ଦେହ କରାଯାଇଥିଲା। ତେଣୁ ଏହି ଡିଜିଟାଲ୍ ମୁହଁ ଆଖପାଖରେ ଥିବା ସମସ୍ତ ଅଣ୍ଡା ବିକ୍ରେତାମାନଙ୍କୁ ଦେଖାଯାଇଥିଲା। ଅଣ୍ଡା ବିକ୍ରେତା ମହିଳାଙ୍କୁ ଚିହ୍ନଟ କରିଥିଲେ। ଏହି ମହିଳା ଜଣକ କିଛି ଦିନ ତଳେ ଦୁଇ ପୁରୁଷଙ୍କ ସହିତ ଆମଲେଟ୍ ଖାଇବାକୁ ଆସିଥିବା ଜଣାପଡ଼ିଥିଲା।
ପୁଲିସ ହାତରେ ଏଭଳି ସୁରାକ୍ ମିଳିବା ପରେ କାହାଣୀ ଆଗକୁ ଆହୁରି ଲମ୍ବିଚାଲିଲା। ସେ ମହିଳା କିଏ, ତାଙ୍କ ସହତି ଆସିଥିବା ଦୁଇ ପୁରୁଷ ବନ୍ଧୁଙ୍କ ପରିଚୟ କଣ- ପୁଲିସ ଏ ତଥ୍ୟ କାଢ଼ିବାକୁ ପୁଣି ଘଟଣା ଭିତରକୁ ପଶିଲା।
ଅଣ୍ଡା ଦୋକାନୀ ଦେଲା ସୁରାକ୍
ମୃତ ମହିଳାଙ୍କ ପରିଚୟ ଜଣାପଡ଼ିବା ପରେ ପୁରୁଷ ବନ୍ଧୁଙ୍କୁ ଖୋଜିବା ଆରମ୍ଭ କଲା। ତାଙ୍କର ଶେଷ ଥର ପାଇଁ ଜଣେ ଯୁବକଙ୍କ ସହିତ ଦେଖା ହୋଇଥିଲା। ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କଲା। ସ୍ଥାନୀୟ ଦୋକାନୀମାନଙ୍କୁ ପଚରାଉଚରା କଲା। ଶେଷରେ ଜଣେ ଅଣ୍ଡା ଦୋକାନୀ ଉକ୍ତ ସନ୍ଦିଗ୍ଦ ପୁରୁଷର ଚେହେରା ପୁଲିସ ସାମନାରେ ବର୍ଣ୍ଣନା କରିବା ପରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଆଉ କେହି ନଥିଲେ ସେ ଥିଲେ ମହିଳାଙ୍କ ଘନିଷ୍ଠ ବନ୍ଧୁ।
ଘଞ୍ଚ ଜଙ୍ଗଲ, ପ୍ରେମିକା ଓ ଦୁଇ ନର ପିଶାଚ
ପୁଲିସ ଯେତେବେଳେ ହତ୍ୟାକାଣ୍ଡର ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟାଇ ଚାଲିଲା, ସେତେବେଳେ ମୃତକଙ୍କ ପ୍ରେମିକ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ଧରିଲା। ତା ପରେ ସେମାନଙ୍କ ବୟାନ ଥିଲା ଛାତିଥରା। ଗୋଟିଏ ହତ୍ୟାକାରୀ ପ୍ରେମିକର ଜମାନବନ୍ଦୀ ପୁଲିସ ବି ଶୁଣିଲା ପରେ ଲୋମ ଟାଙ୍କୁରି ଉଠିଥିଲା। ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ପରେ ବିବାଦ ହୋଇଥିଲା। ମହିଳା ଜଣକ ଅନ୍ୟ କେଉଁ ଯୁବକଙ୍କ ସହିତ କଥା ହେଉଥିବାର ପ୍ରେମିକ ସନ୍ଦେହ କରିଥିଲା।
ସେଥିପାଇଁ ପ୍ରେମିକାଙ୍କୁ ରାସ୍ତାରୁ ସଫା କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ସେ ତା ପ୍ରେମିକାଙ୍କୁ ପାହାଡ଼ ଉପରେ ବୁଲିବାକୁ ନେବା ବାହାନାରେ ଆଣିଥିଲା। ରାସ୍ତାରେ ଆମଲେଟ୍ ଖୁଆଇଥିଲା। ତା'ପରେ ଏକ ଫାଙ୍କା ସ୍ଥାନକୁ ନେଇ ସେ ତା ବନ୍ଧୁ ସହିତ ମିଶି ନିର୍ମମ ଭାବରେ ହତ୍ୟା କରିଥିଲା। ସେଦିନ ଘଞ୍ଚ ଜଙ୍ଗଲରେ ଜଣେ ପ୍ରେମିକାର ଚିତ୍କାର ବାହାରକୁ ଆସିପାରିନଥିଲା। ଆଉ ନର ପିଶାଚମାନେ ରକ୍ତମୁଖା ହୋଇଉଠିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)