/odishatv-khabar/media/post_attachments/uploadimage/library/16_9/16_9_0/coronavirus-10_1625195178.jpg)
coronavirus
ବେଙ୍ଗାଲୁରୁ: କର୍ଣ୍ଣାଟକରେ କରୋନାରେ ମୃତ୍ୟୁ ହୋଇଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର Autopsy (ମୃତ୍ୟୁର କାରଣ ଜାଣିବା ପାଇଁ ଶବ ପରୀକ୍ଷଣ) କରିବା ପରେ ଯାହା ଜଣା ପଡ଼ିଲା, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଅଟୋପ୍ସି ରିପୋର୍ଟରେ ବ୍ୟକ୍ତିର ଫୁସ୍ଫୁସ୍ ଚମଡ଼ା ବଲ୍ ପରି ଶକ୍ତ ହୋଇଯାଇଥିବା ଜଣାପଡ଼ିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟକୁ ଆଧାର କରି ଏଭଳି ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ।
ରିପୋର୍ଟ ଅନୁସାରେ, ମୃତ ବ୍ୟକ୍ତିଙ୍କର ଅଟୋପ୍ସି ଓ କରୋନା ଟେଷ୍ଟ କରିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କରୋନା ଟେଷ୍ଟ ପାଇଁ ମୃତ ବ୍ୟକ୍ତିଙ୍କର ନାକ ଓ ଗଳାରୁ ସ୍ୱାବ ନିଆଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା। ମୃତ୍ୟୁର ୧୮ ଘଣ୍ଟା ପରେ ବି ଶରୀରରେ କରୋନା ଭାଇରସ ରହିପାରେ ବୋଲି ଜଣାପଡ଼ିଛି।
ମୃତ ବ୍ୟକ୍ତିଙ୍କର ଅଟୋପ୍ସି କରିଥିବା ଅକ୍ସଫୋର୍ଡ ମେଡିକାଲ କଲେଜର ଡାକ୍ତର ଦିନେଶ ରାଓଙ୍କ କହିବାନୁସାରେ ବ୍ୟକ୍ତିଙ୍କର ଫୁସ୍ଫୁସ୍ ଲେଦର ବଲ୍ ଭଳି ଶକ୍ତ ହୋଇଯାଇଥିଲା। ବ୍ୟକ୍ତିଙ୍କ ରକ୍ତନଳୀକାରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ତେବେ ମୃତ ବ୍ୟକ୍ତିଙ୍କ ଟେଷ୍ଟ ନେଇ ରାଓ କହିଛନ୍ତି ଯେ କରୋନାରେ ମୃତ ବ୍ୟକ୍ତିଙ୍କର ଅଟୋପ୍ସି ଟେଷ୍ଟ କରିବା ଦ୍ୱାରା କରୋନାର ଅନ୍ୟ ପ୍ରଭାବ ବିଷୟରେ ଜାଣିବା ସହଜ ହେବ। ତେଣୁ ସେ ପରିବାର ଲୋକଙ୍କ ଅନୁମତି ନେଇ ଏହି ଟେଷ୍ଟ କରିଥିଲେ।
ମୃତ ଶରୀରରୁ ବି କରୋନାଭାଇରସ ସଂକ୍ରମଣ ହୋଇପାରେ
ରିପୋର୍ଟ ଆନୁସାରେ, ଡ. ରାଓ ଶବର ନାକ, ଗଳା ଓ ପାଟି, ଫୁସ୍ଫୁସ୍ ପୃଷ୍ଠ, ଶ୍ୱାସ ନଳୀ, ବେକ ଓ ମୁହଁର ଚର୍ମ ଆଦି ୫ଟି ସ୍ଥାନରୁ ସ୍ୱାବ ନେଇଥିଲେ। ସେଥିମଧ୍ୟରୁ ଗଳା ଓ ନାକରୁ ନିଆଯାଇଥିବା ସ୍ୱାବ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। କିନ୍ତୁ ଚର୍ମରୁ ନିଆଯାଇଥିବା ସ୍ୱାବ ନେଗେଟିଭ୍ ଆସିଥିବା ଡ. ରାଓ କହିଛନ୍ତି। RTPCR ରିପୋର୍ଟ ଅନୁସାରେ ଏହାର ଅର୍ଥ ହେଲା ମୃତ ବ୍ୟକ୍ତିର ଶରୀର ବି କରୋନା ସଂକ୍ରାମକ ହୋଇପାରେ।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ପରିବାରର ଅନୁମତିକ୍ରମେ ମୃତ ବ୍ୟକ୍ତିଙ୍କର ଅଟୋପ୍ସି ଟେଷ୍ଟ କରାଯାଇଥିଲା। ଏହି ଟେଷ୍ଟରେ ଆମେରିକା ଓ ଇଟାଲୀରେ ହେଉଥିବା ଅଟୋପ୍ସି ଟେଷ୍ଟ ଠାରୁ ଭିନ୍ନ ଥିଲା। ଏଥିରୁ ଜଣାପଡ଼ିଲା ଯେ ଭାରତରେ ଦେଖାଯାଉଥିବା କରୋନା ଅନ୍ୟ ଦେଶଠାରୁ ଭିନ୍ନ ବୋଲି ଡ. ରାଓ କହିଛନ୍ତି। ସେ ଏହି ପରୀକ୍ଷଣ ରିପୋର୍ଟକୁ ପ୍ରକାଶ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।
କରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ପ୍ରସ୍ତୁତ ହୋଇପାରି ନାହିଁ। ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୈଜ୍ଞାନିକମାନେ ରୋଗର ବିଭିନ୍ନ ଦିଗକୁ ନେଇ ପରୀକ୍ଷାନିରୀକ୍ଷ ଚଳାଇଛନ୍ତି। ତେଣୁ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସେହିଭଳି ଡ. ରାଓ ବି କରୋନା ଉପରେ ପରୀକ୍ଷା କରି ଏପରି ରିପୋର୍ଟ ଦେଇଛନ୍ତି।
କରୋନା ସମ୍ପର୍କିତ ଏ ରିପୋର୍ଟ ବି ପଢ଼ନ୍ତୁ-
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)