Advertisment

Gold, Silver Prices Skyrocket Ahead of Dhanteras: ଡରାଇଲାଣି ସୁନା ଓ ରୁପା ଦର, ଗତ ଧନତେରାସରେ ୭୩ ହଜାର, ଏଥର ଲକ୍ଷେ ୧୮ ହଜାର ସୁନା

ଯେଉଁ ସୁନା ବର୍ଷକରେ ବଢ଼ୁଥିଲା, ତାହା ମାତ୍ର ୬ ଦିନରେ ୫ ହଜାର ଟଙ୍କା ବଢ଼ିଛି। ଦର ତ ଖାଲି ବଢ଼ିନି ତାସହ ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ କମାଇ ଦେଇଛି। ଆଗରୁ ଦେଢ଼ ଲକ୍ଷ ଟଙ୍କାରେ ସୁନା କିଣି ମନ ଖୁସି ହେଉଥିବା ବେଳେ ଏବେ ସେତିକି ଟଙ୍କାରେ ନାଁକୁ ମାତ୍ର ସୁନା କିଣିବାକୁ ପଡ଼ୁଛି।

author-image
Tapan Swain
GOLD PRICE

GOLD PRICE Photograph: (OTV)

ସୁନାରେ ହାତ ମାରି ହେଉନି, ବଜାରରେ ରୁପା ମିଳୁନି। ଧନତେରାସରେ ସୁନା ରୁପା ଅଳଙ୍କାର କିଣିବା ପରମ୍ପରା ଥିବା ବେଳେ ଏବର୍ଷ ଦର ଭାଙ୍ଗିଛି ସବୁ ରେକର୍ଡ। ଦେଢ଼ରୁ ଦୁଇ ଲକ୍ଷରେ ସୁନା କିଣି ଲୋକେ ମନ ଖୁସ କରୁଥିଲେ। ଏବେ ସେତିକି ଟଙ୍କାରେ ଅଳ୍ପ କିଛି କିଣିବାକୁ ପଡ଼ୁଛି। ଆଉ ରୁପା କଥା ନପଚାରିବା ଭଲ। ନିମ୍ନ ମଧ୍ୟବିତ୍ତ ରୁପା କିଣି ପରମ୍ପରା ପାଳନ କରିବାକୁ ଚାହୁଁଥିବା ବେଳେ ବଜାରରେ ହାହାକାର ସ୍ଥିତି। ହେଲେ ଏତେ କାହିଁକି ବଢ଼ୁଛି ସୁନା ରୁପା ରେଟ୍, ଦେଖନ୍ତୁ ଏଇ ରିପୋର୍ଟ...

Advertisment

ଆସୁଛି ଧନତେରାସ, ଲୋକେ କିନ୍ତୁ ନିରାଶ। ସୁନା କିଣିବାକୁ ମନ କିନ୍ତୁ ଦର ଶୁଣିଲେ ଲାଗୁଛି ଡର। ଆଜି କିଣି ନପାରିଲେ କାଲି ବଢ଼ୁଛି, ପଅର ଦିନ ଅଧିକ ମହଙ୍ଗା ହେଉଛି। ଏବେ ସାରା ଦେଶରେ ସୁନାକୁ ନେଇ କିଛି ଏଭଳି ସ୍ଥିତି ଉପୁଜିଛି। ଥରେ ନଜର ପକାନ୍ତୁ ଗଲା ସପ୍ତାହର ଦର ଉପରେ...ଅକ୍ଟୋବର ୧୦ ତାରିଖରେ ଲକ୍ଷେ ୧୩ ହଜାର ଥିବା ୨୨ କ୍ୟାରେଟ୍ ସୁନା ୧୬ ତାରିଖ ବେଳକୁ ହେଲାଣି ଲକ୍ଷେ ୧୮ ହଜାରରୁ ଅଧିକ। ଗତବର୍ଷ ଧନତେରାସ ବେଳେ ୨୨ କ୍ୟାରେଟ୍ ସୁନା ଦର ଥିଲା ୭୩ ହଜାର ଟଙ୍କା। କିନ୍ତୁ ଏବର୍ଷ ଦର ହୁ ହୁ ହୋଇ ବଢି ଚାଲିଛି ।

ଯେଉଁ ସୁନା ବର୍ଷକରେ ବଢ଼ୁଥିଲା, ତାହା ମାତ୍ର ୬ ଦିନରେ ୫ ହଜାର ଟଙ୍କା ବଢ଼ିଛି। ଦର ତ୍ ଖାଲି ବଢ଼ିନି ତାସହ ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ କମାଇ ଦେଇଛି। ଆଗରୁ ଦେଢ଼ ଲକ୍ଷ ଟଙ୍କାରେ ସୁନା କିଣି ମନ ଖୁସି ହେଉଥିବା ବେଳେ ଏବେ ସେତିକି ଟଙ୍କାରେ ନାଁକୁ ମାତ୍ର ସୁନା କିଣିବାକୁ ପଡ଼ୁଛି। ଖାଲି ସେତିକି ନୁହେଁ ୨୨ କ୍ୟାରେଟ୍ ବଦଳରେ ୧୮ କ୍ୟାରେଟରେ ନେଉଛନ୍ତି ଗ୍ରାହକ।

Advertisment

ବଜାରରେ ମିଳୁନି ରୁପା

ସୁନା ତ ସୁନା ରୁପାରେ ବି ହାତ ମାରି ହେଉନି। ଲୋକେ ଟଙ୍କା ଧରି ବୁଲୁଛନ୍ତି କିନ୍ତୁ ବଜାରରେ ଚାହିଦା ମୁତାବକ ରୁପା ନାହିଁ। ପୂର୍ବରୁ ସୁନା ନକିଣି ପାରୁଥିବା ଲୋକେ ରୁପାରେ କାମ ଚଳାଇ ଦେଉଥିଲେ। ହେଲେ ଏବେ ଯେମିତି ରୁପାର ଭାଉ ସୁନାଠୁ ଅଧିକ। ଗଲା ସପ୍ତାହର ରୁପା ଦର ସାରା ବିଶ୍ବକୁ ଚକିତ କରିଛି। ଅକ୍ଟୋବର ୧୦ ତାରିଖରେ କିଲୋ ପିଛା ରୁପା ଦର ୧ ଲକ୍ଷ ୮୪ ହଜାର ଥିଲା ତାହା ବଢ଼ି ବଢ଼ି ୨ ଲକ୍ଷ ୬ ହଜାରକୁ ପହଞ୍ଚିଛି। ଏବର୍ଷ ୬୦ ପ୍ରତିଶତ ଲାଭ ଦେଇଛି ରୁପା। ତେଣୁ ରୁପା ପ୍ରତି ଅଧିକ ନିବେଶକ ଆକର୍ଷିତ ହେଉଛନ୍ତି।

କେବେ କମିବ ସୁନା ଓ ରୁପା ଦର? କାହିଁକି ବଢ଼ୁଛି ଏତେ? ଏବେ ଏହାକୁ ନେଇ ନାନା ପ୍ରଶ୍ନ ଗ୍ରାହକଙ୍କ ମଧ୍ୟରେ। ଟ୍ରମ୍ପଙ୍କ ଟାରିଫ୍ ଯୋଗୁଁ ସବୁ ଗଣିତ ବିଗିଡ଼ିଛି। ବିଶ୍ବ ସମେତ ଏସିଆ ମହାଦେଶ ଉପରେ ଏହାର ପ୍ରଭାବ ଅଧିକ ବଢ଼ିଛି। ତାସହ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘମାଘୋଟ ପରିସ୍ଥିତି ନିବେଶକଙ୍କୁ ସୁନା ପ୍ରତି ଆକର୍ଷିତ କରୁଛି।

ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ ଋଣ ଭାର ବଢ଼ିବା, ଡଲାର୍ ଦୁର୍ବଳ ହେବା ଏବଂ ବିଭିନ୍ନ ଦେଶ ସୁନାରେ ଅଧିକ ନିବେଶ କରିବା ସୁନା ଦର ବଢ଼ିବାର ପ୍ରମୁଖ କାରଣ। କିନ୍ତୁ ରୁପା ଦର ବଢ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।...୨୦୨୦ରେ ଯେଉଁ ରୁପା ୪୦, ୫୦୦ ଟଙ୍କା ଥିଲା ଆଜି ଦୁଇ ଲକ୍ଷ ପାର୍ କରିଛି। ବିଶେଷ ଭାବେ ବ୍ୟବସାୟିକ ପ୍ରତିଷ୍ଠାନ ଯେପରି କି, ସୋଲାର ପ୍ୟାନେଲ, ଇଲେକ୍ଟ୍ରି ଯନ୍ତ୍ରାଂଶ, ୱାଟର୍ ପ୍ୟୁରିଫାଏର ଏବଂ ଯୁଦ୍ଧାସ୍ତ୍ର ନିର୍ମାଣରେ ରୁପାର ଆବଶ୍ୟକତା ଥିବାରୁ ଏହାର ଚାହିଦା ବି ବଢ଼ିଛି।

ଏବେ ସୁନା ରୁପାକୁ ନେଇ ସ୍ଥିତି ଏମିତି ହେଇଛି କି, ଯିଏ ପୂର୍ବରୁ କିଣିଛି ସିଏ କହୁଛି ଆଉ ଟିକେ ନେଲେ ଭଲ ହୁଅନ୍ତା, ଯିଏ ନେଇନି ସିଏ କହୁଛି କେବେ କମିବ ଦର।...

Gold Gold Price Silver Price
Advertisment
Related Articles
Advertisment