ପ୍ରଥମେ ଆୟୁଷ୍ମାନ ଭାରତ। ଆଉ ଏବେ ପିଏମ୍ ଶ୍ରୀ। କେନ୍ଦ୍ରର ଲୋକାଭିମୁଖୀ ଯୋଜନାକୁ ଗ୍ରହଣ କରୁନି ଓଡ଼ିଶା। ଘନେଇଲା ଶ୍ରେୟ ରାଜନୀତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସଂଘୀୟ ବ୍ୟବସ୍ଥାର ପରିପନ୍ଥି ବୋଲି କହି ଟାର୍ଗେଟ କଲେ ବିରୋଧୀ। ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମ୍ ଶ୍ରୀ ଯୋଜନା। ଅଧିକାଂଶ ରାଜ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଥିବା ବେଳେ ଓଡ଼ିଶା କିନ୍ତୁ ଏଯାଏ ଚୁକ୍ତି ସ୍ୱାକ୍ଷର କରିନାହିଁ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନି ତିନି ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚୁକ୍ତି ସ୍ୱାକ୍ଷର କରିବା ପାଇଁ ଅନୁରୋଧ କଲେଣି। ଏହାପରେ ବି ଚୁକ୍ତି ସ୍ୱାକ୍ଷର କରୁନାହାଁନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି କହିଛି ଆୟୁଷ୍ମାନ ଭାରତ ଭଳି
ପିଏମ୍ଶ୍ରୀକୁ ଲାଗୁ ନକରି ବିଜେଡି ସରକାର ଶ୍ରେୟ ନେବାକୁ ଚାହୁଁଛି। ଫାଇଭ-ଟି ସ୍କୁଲ୍ ରୁପାନ୍ତୀକରଣର ଅସଲ ଚିତ୍ର ପିଏମ୍ଶ୍ରୀ ଲାଗୁ ହେଲେ ଖୋଲିଯିବାର ଭୟ ରାଜ୍ୟ ସରକାରକୁ ଘାରିଥିବାରୁ କେନ୍ଦ୍ର ସହ ଚୁକ୍ତି ସ୍ୱାକ୍ଷର କରୁନାହାଁନ୍ତି। ସେପଟେ କଂଗ୍ରେସ କହିଛି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ତ ଯୋଜନାର ସୁଫଳ ରାଜ୍ୟବାସୀ ପାଇବା ଉଚିତ। ଏହାକୁ ନେଇ ଶ୍ରେୟ ରାଜନୀତି କରିବା ଠିକ୍ ନୁହେଁ। ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ କହିଛନ୍ତି ପିଏମ୍ଶ୍ରୀ ଯୋଜନାକୁ ନେଇ ସରକାର ତର୍ଜମା କରୁଛନ୍ତି।
Published By: Santosh Kumar Sahoo
Last updated: 16 November 2023, 09:16 PM IST
୨୦୨୨ ସେପ୍ଟମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସାରା ଦେଶରେ ୧୪ ହଜାର ୫୦୦ରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି ଆଧାରରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ଅତ୍ୟାଧୁନିକ ଲାବ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଭିତ୍ତିଭୂମିର ବିକାଶ ଲାଗି ପିଏମ୍ଶ୍ରୀରେ ବ୍ୟବସ୍ଥା ରହିଛି ।