/odishatv-khabar/media/media_files/2026/01/02/gajapati-pension-case-2026-01-02-16-24-43.jpg)
ଶିକ୍ଷକଙ୍କ ଅବସର ପରେ ଦୁଇଥର ଗ୍ରାଚୁଇଟି, ଦୁଇଟି ପେନସନ Photograph: (OTV)
ଅବସର ପରେ ଜଣେ ଶିକ୍ଷକଙ୍କୁ ମିଳୁଛି ଦୁଇଟି ପେନସନ। ଅଭିଯୋଗ ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ। ଏଭଳି ଘଟଣା ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଆସିଛି।
ଗଜପତି ଜିଲ୍ଲା ମୋହନା ବ୍ଲକ୍ ବେତାରସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ହେଲେ ରାଧାକୃଷ୍ଣ ଆଚାର୍ଯ୍ୟ। ଗତ ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ବେତାରସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସେ ଅବସର ନେଇଥିଲେ।
ସେହି ସମୟରେ ତତ୍କାଳୀନ ମୋହନା ବିଡ଼ିଓ ତାଙ୍କ ନାଁରେ ପେନସନ ଲାଗୁ କରିବା ପାଇଁ ତତ୍କାଳୀନ ଜିଲ୍ଲା ଶିକ୍ଷା ନିରୀକ୍ଷକଙ୍କୁ ସୁପାରିଶ କରିଥିଲେ। ହେଲେ ସମ୍ପୃକ୍ତ ଅବସର ପ୍ରାପ୍ତ ଶିକ୍ଷକଙ୍କ ପେନସନ ଲାଗୁ ହେବା ପରେ ୨୦୧୧ ମସିହାରେ ପୁଣି ଥରେ ତତ୍କାଳିନ ବିଡିଓ ତାଙ୍କ ନାଁରେ ପେନ୍ସନ୍ ଲାଗୁ କରିବାକୁ ଡିଆଇଙ୍କୁ ସୁପାରିଶ କରିଥିଲେ।
ଏନେଇ ସେ ସରକାରଙ୍କ ନିୟମ ପ୍ରକାରେ ଦୁଇ ଥର ଗ୍ରାଚୁଇଟି ଟଙ୍କା ଉଠାଇଛନ୍ତି। ୨୦୧୦ ମସିହାରେ ଗ୍ରାଚୁଇଟି ଟଙ୍କା ୨ ଲକ୍ଷ ୩୬ ହାଜର ୭୩୫ ଟଙ୍କା ପାଇବା ପରେ ୨୦୧୨ ମସିହାରେ ୨ ଲକ୍ଷ ୪୦ ହଜାର ୭୩୫ ଟଙ୍କା ଉଠାଇଛନ୍ତି ରାଧାକୃଷ୍ଣ ଆଚାର୍ଯ୍ୟ ।
ସୂଚନା ମୁତାବକ, ସଂପୃକ୍ତ ଶିକ୍ଷକ ଜଣକ ମୋହନା ବ୍ଲକ ବେତାରସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵରେ ଥାଇ ବ୍ଲକ ଅଫିସରେ ସଂଲଗ୍ନ ଶିକ୍ଷକ ଭାବେ ରହି କିରାଣୀ ଭାବେ କାମ କରୁଥିଲେ। ତେବେ ଅବସର ପରେ ସେ ଆର୍. ଉଦୟଗିରି ଟ୍ରେଜରୀ ଅଫିସରୁ ପେନସନ ପାଉଥିବା ବେଳେ ଏବେ ବ୍ରହ୍ମପୁର ସେଣ୍ଟ୍ରାଲ ଟ୍ରେଜରୀ ଅଫିସରୁ ମଧ୍ୟ ପେନସନ ପାଉଛନ୍ତି।
ତେବେ ୨୦୧୦ ମସିହାରେ ଶିକ୍ଷକ ଜଣକ ଅବସର ପରେ ପେନସନ ଲାଗୁ ପାଇଁ ବିଡିଓ ସୁପାରିଶ କରିବା ପରେ ପୁଣି ଥରେ କିଭଳି ତତ୍କାଳୀନ ବିଡିଓ ସଂପୃକ୍ତ ଶିକ୍ଷକଙ୍କ ନାଁରେ ପେନସନ୍ ଲାଗୁ ପାଇଁ ସୁପାରିଶ କରିଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶିକ୍ଷକ ଜଣଙ୍କ ଏବେ ତାଙ୍କ ନାଁରେ ଦୁଇ ଦୁଇଟି ପେନସନ୍ ପାଇବା ସହଂ ଦୁଇ ଦୁଇଥର ଗ୍ରାଚୁଇଟି ଟଙ୍କା ସରକାରଙ୍କ ରାଜକୋଷରୁ ନେଇଛନ୍ତି। ଏ ବିଷୟରେ ଅବଗତ ହେବା ପରେ ଓଡିଶା କଣ୍ଟ୍ରୋଲର୍ ଅଫ୍ ଆକାଣ୍ଟ୍ସ ଖୁବ ଶୀଘ୍ର ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ତେବେ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ସରକାରୀ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଇଓ କହିଛନ୍ତି। ଏ ବାବଦରେ ସମ୍ପୃକ୍ତ ଶିକ୍ଷକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)