Advertisment

Paddy Procurement Hit in Odisha: ମିଲର୍ସଙ୍କ ମନମାନୀ ପାଇଁ ମଣ୍ଡିରେ ସଢୁଛି ଚାଷୀ

ଧାନ ରକ୍ଷଣାବେକ୍ଷଣ ସହ ପରିବହନ ଖର୍ଚ୍ଚ ବୃଦ୍ଧି ଦାବିରେ ଅଟଳ ମିଲର୍ସ। ୪ ଦଫା ଦାବିରେ ଅଟଳ ମିଲର୍ସ, ସରକାରଙ୍କ ସହ ଆଲୋଚନା ଫେଲ୍। ଧାନ କିଣିବାକୁ ସରକାର ତତ୍ପର ଥିବା କହୁଛି ଯୋଗାଣ ବିଭାଗ।

Paddy Procurement Hit in Odisha

Paddy Procurement Hit in Odisha Photograph: (OTV)

Advertisment

ମିଲର୍ସଙ୍କ ଚାଲିଛି ମନମାନୀ। ଫଳରେ ଶୀତ କାକରରେ ଧାନ ଧରି କାନ୍ଦୁଛି ବିଚରା ଚାଷୀ। ମିଲରଙ୍କର ୪ ଦଫା ଦାବିକୁ ନେଇ ଯୋଗାଣ ବିଭାଗ ସହ ଆଜି ବୈଠକ ବସିଥିଲା। ହେଲେ ନା ଫିଟିଲା ସମାଧାନର ବାଟ, ନା ବାହାରିଥିଲା କୌଣସି ନିଷ୍କର୍ସ। ଶେଷରେ ଦାବି ଅନୁଯାୟୀ, ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଆନ୍ଦୋଳନ ସ୍ବରୂପ ଆଜିଠୁ ଧାନ କିଣାରୁ ବିରତ ରହିବାକୁ ମିଲର୍ସ ସଂଘ ନିଷ୍ପତ୍ତି ନେଇଛି। ତଥାପି ଯୋଗାଣ ବିଭାଗ କହିଛି, ଧାନକିଣା ଯେଭଳି ପ୍ରଭାବିତ ନହେବ, ସେନେଇ ସରକାର ତତ୍ପର ରହିଛନ୍ତି। ଏସବୁ ଭିତରେ ଗ୍ରାଉଣ୍ଡ ଜିରୋରେ ଟୋକନ୍ ଧରି ଧାନ ବିକି ପାରୁନଥିବା ଚାଷୀଙ୍କ ଅବସ୍ଥା ସଂଗୀନ ହୋଇପଡ଼ିଛି।

Advertisment

ମଣ୍ଡିରେ ପଡ଼ିଛି ଚାଷୀର ବର୍ଷକର ଅମଳ...ହେଲେ ନା କିଣିବାକୁ କିଏ ଆସୁଛି ନା କେବେ କିଣାଯିବ, କିଛି ସୂଚନା ଦିଆଯାଉଛି...ଖରା ବର୍ଷା ସହି ଫସଲ ଫଳାଇଥିବା ଚାଷୀ ଏବେ ଶୀତ କାକରରେ ଆଉଟୁପାଉଟୁ। କାରଣ ନିଜକୁ ଚାଷୀଙ୍କ ଭାଗ୍ୟ ବିଧାତା ବୋଲାଉଥିବା ମିଲ୍ ମାଲିକ ନିଜ ନିଜ ଦାବି ସହ ଜିଦରେ ଅଟଳ। କଷ୍ଟମ୍ ମିଲିଂ, ଧାନ ସଂରକ୍ଷଣ, ରକ୍ଷଣାବେକ୍ଷଣ ସହ ପରିବହନ ଖର୍ଚ୍ଚ ବୃଦ୍ଧି ଆଦି ଦାବିକୁ ଧରି ଯୋଗାଣ ବିଭାଗ ସହ ଆଲୋଚନା କରିଥିଲା ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍। ନୟାପଲ୍ଲୀରେ ଥିବା ରାଜ୍ୟ ଖାଉଟୀ ଓ ଯୋଗାଣ ନିଗମ କାର୍ଯ୍ୟାଳୟରେ MDଙ୍କ ସହ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା ଆଲୋଚନା ପର୍ଯ୍ୟାଲୋଚନା। କିନ୍ତୁ ବାହାରି ପାରିଲାନି ସମାଧାନର ବାଟ। ଶେଷରେ ଆଜିଠୁ ମଣ୍ଡିରୁ ଚାଷୀଙ୍କ ଧାନ ସଂଗ୍ରହ ପ୍ରକ୍ରିୟାରୁ ବିରତ ରହିବାକୁ ନିଷ୍ପତ୍ତି ନେଇଥିବା ସଂଘ କହିଛି। 

ଏଣେ ରାଜ୍ୟବ୍ୟାପି ଟେନସନରେ ଧାନ ଚାଷୀ। କେଉଁଠି ମଣ୍ଡି ଖୋଲିଛି ସତ, ହେଲେ ଟୋକନ୍ ଧରି ଚାଷୀ ବସିଛି, ତ ଆଉ କେଉଁଠି ଟୋକନ୍ କଥା ଛାଡ଼ନ୍ତୁ, ମଣ୍ଡି ହିଁ ଆରମ୍ଭ ହୋଇନାହିଁ। ଏହି ଦୁଇଟି ଚିତ୍ର ଦେଖନ୍ତୁ। ଗୋଟିଏ ହେଉଛି ବଲାଙ୍ଗିର ମଲମୁଣ୍ଡା ଧାନମଣ୍ଡିର, ଆଉ ଗୋଟିଏ ହେଉଛି, ସମ୍ବଲପୁର ଭୋଜପୁର ଧାନମଣ୍ଡିର। ଉଭୟ ସ୍ଥାନରେ ଗତ ନଭେମ୍ବରରୁ ମଣ୍ଡି ଆରମ୍ଭ ହୋଇଥିଲେ ବି ଧାନ ଉଠୁନଥିବାରୁ ଚାଷୀଙ୍କୁ ଘାରିଛି ଟୋକନ୍ ଲ୍ୟାପ୍ସ ଚିନ୍ତା।ତେଣୁ ଚାଷୀ ବି ତାତିଲେଣି, ବ୍ୟବସ୍ଥା ବିରୋଧରେ ଗର୍ଜିବା ସହ ବିକ୍ଷୋଭ ପ୍ରଦର୍ଶନ କଲେଣି। ଆଗକୁ ଧାନ ନଉଠିଲେ ତୀବ୍ର ଆନ୍ଦୋଳନର ଚେତାବନୀ ଦେଇଛନ୍ତି। 

Advertisment

ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳର ଚାଷୀ ଆଶା କରିଥିଲେ ଏଥର ଧାନବିକିଲେ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇବେ। କିନ୍ତୁ ଧାନ ମଣ୍ଡିର ଦର୍ଶନ ହିଁ ନାହିଁ। ଶେଷରେ ପ୍ରତିକୂଳ ସ୍ଥିତିକୁ ସହି ଅମଳ କରିଥିବା ଧାନ ଚାଷୀ ଏବେ ଅକଳରେ। କାରଣ ଚାଷୀଙ୍କ ପାଖରେ ପହଞ୍ଚିନି ଟୋକନ୍, ତେଣୁ ମଣ୍ଡି ଖୋଲିବ କି ନାହିଁ ଦ୍ବନ୍ଦରେ ସମସ୍ତେ। ଶେଷରେ ବାଧ୍ୟ ହୋଇ କ୍ଷତି ସହି ଅନ୍ୟ ବ୍ୟବସାୟୀଙ୍କୁ ୧୮ ଶହ ଟଙ୍କାରେ ଟେକି ଦେଉଛନ୍ତି କଷ୍ଟ ଉପାର୍ଜିତ ଫସଲକୁ। ଏଭଳି ଅଭାବନୀୟ ସ୍ଥିତି ପରେ ଭଞ୍ଜନଗର ଉପ ଜିଲ୍ଲାପାଳ ଗ୍ରାଉଣ୍ଡ ଜିରୋକୁ ଯାଇ ମିଲର୍ସ ଏବଂ ସମବାୟ ସମିତି ସଂପାଦକଙ୍କୁ ତାଗିଦ କରିଛନ୍ତି। ତାସହ କଟନୀ ଛଟନୀ ସ୍ଥିତିର ଯାଞ୍ଚ କରି ୩ଟି ମଣ୍ଡିର କର୍ମଚାରୀଙ୍କୁ ଜାରି କରିଛନ୍ତି ସୋ’ କଜ୍ ନୋଟିସ୍।

ଗୋଟିଏ ପଟେ ମିଲର୍ସ-ଯୋଗାଣ ବିଭାଗ ମଧ୍ୟରେ ହୋଇପାରୁନି ବୁଝାମଣା। ଆରପଟେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା। ଯୋଗାଣ ବିଭାଗ କହିଛି, ମିଲର୍ସଙ୍କୁ ସମୟ ମଗାଯାଇଛି। ସେମାନଙ୍କ ଦାବି ସଂପର୍କରେ ସରକାର ସଚେତନ ଅଛନ୍ତି, ପୂରଣ କରାଯିବ। ଧାନ ସଂଗ୍ରହ ଯେପରି ପ୍ରଭାବିତ ନ ହେବ, ବିଭାଗ ତତ୍ପର ରହିଛି। 

Advertisment

Paddy Procurement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ