Kendapara Photograph: (OTV)
ମାଗଣାରେ ମିଳିବ ଉନ୍ନତ ସ୍ୱାସ୍ଥ୍ୟସେବା । ଅପରେସନ ମାଗଣା, ଔଷଧ ବି ମାଗଣା । କେନ୍ଦ୍ରାପଡାବାସୀଙ୍କ ପାଇଁ ଖୁସି ଖବର । ଆଉ ଯିବାକୁ ପଡିବନି କଟକ ବଡ ମେଡିକାଲ । ଖୁବଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲୀରେ ଖୋଲିବାକୁ ଯାଉଛି ୫୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ । ଏହି ହସ୍ପିଟାଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଓ ଉନ୍ନତ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ମିଳିବ । ବଡ଼ ବଡ଼ ଅପରେସନଠୁ ଆରମ୍ଭ କରି ଔଷଧ ପର୍ଯନ୍ତ ପୂରାପୂରି ମାଗଣା ପାଇବେ ସବୁ ରୋଗୀ ।
କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ ଏବଂ 'ୱାନ ୱାଲ୍ଡ ୱାନ ଫାମିଲି ମିଶନ' ପକ୍ଷରୁ ଦାନପୁର ପଂଚାୟତ ରଜାଙ୍ଗଠାରେ ପ୍ରତିଷ୍ଠା ହେବାକୁ ଯାଉଛି 'ସାଇ ଆରୋଗ୍ୟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ' । ଆଜି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସଦଗୁରୁ ଶ୍ରୀ ମଧୁସୂଦନ ସାଇଙ୍କ କରକମଳରେ ହସ୍ପିଟାଲ ପାଇଁ ଭୂମି ପୂଜନ କାର୍ଯ୍ୟ ସମ୍ପନ୍ନ ହୋଇଛି । ବର୍ଷକ ଭିତରେ ଏଠି ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି ।
ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ପୂରାପୂରି ମାଗଣାରେ ଉପଲବ୍ଧ ହେବ । ହସ୍ପିଟାଲରେ କୌଣସି କ୍ୟାସ୍ କାଉଣ୍ଟର ରହିବନି । ସବୁ ବୟସର ରୋଗୀଙ୍କ ଏଠାରେ ମାଗଣା ଚିକିତ୍ସା କରାଯିବ । ଫଳରେ ସାଧାରଣ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ଏହି ଚିକିତ୍ସାଳୟ । ଯାହାକି କେନ୍ଦ୍ରାପଡା ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
କୌଣସି ଜଟିଳ ସ୍ୱାସ୍ଥ୍ୟସମସ୍ୟା ହେଲେ କେନ୍ଦ୍ରାପଡାବାସୀ କଟକ ବଡ ମେଡିକାଲ ଉପରେ ନିର୍ଭର କରୁଛନ୍ତି । ହେଲେ ଏଣିକି ନିଜ ଜିଲ୍ଲାରେ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ । ଏନେଇ ବେଶ୍ ଖୁସି ପ୍ରକଟ କରିବା ସହ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।
କେନ୍ଦ୍ରାପଡାରୁ କ୍ୟାମେରାମ୍ୟାନ ଉମାକାନ୍ତ ମହାପାତ୍ରଙ୍କ ସହ ମନୋଜ ସ୍ୱାଇଁଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/23/kendapara-multi-speciality-hospital-2026-02-23-19-51-29.jpg)