Disorder During Darshan at Srimandir Photograph: (OTV)
ରବିବାର ଶ୍ରୀମନ୍ଦିରରେ ବ୍ୟାରିକେଡ୍ ଦର୍ଶନ ବେଳେ ଦେଖାଦେଇଥିବା ବିଶୃଙ୍ଖଳାର ତଦନ୍ତ କରାଯିବ। ଏଥିପାଇଁ ଯିଏ ଦାୟୀ, ତାଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗତକାଲି ଶ୍ରୀମନ୍ଦିର ସାତ ପାହାଚ ନିକଟରେ ୨ଟି ବ୍ୟାରିକେଡ୍କୁ ଫାଙ୍କା ରଖାଯିବା ଏବଂ ଏହାକୁ ଶ୍ରୀମନ୍ଦିର କମାଣ୍ଡର ବିରୋଧ କରିବାକୁ ନେଇ ଆର୍ଭ ହୋଇଥିଲା ବିବାଦ। ଯାହା ପରେ ଉଗ୍ର ରୂପ ନେବାରୁ ଆଜି ତୁରନ୍ତ ବୈଠକ ଡାକି ବିଶୃଙ୍ଖଳରା ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ଏହାସହ ଆଗକୁ ପ୍ରୋଟକଲ ଦର୍ଶନ ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ନେବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ।
ଶ୍ରୀମନ୍ଦିରରେ ବ୍ୟାରିକେଡ୍ ଦର୍ଶନ ବେଳେ କାହିଁକି ହେଲା ବିବାଦ ? ସାତ ପାହାଚ ନିକଟରେ କେଉଁ ପରିସ୍ଥିତିରେ ହେଲା ଠେଲାପେଲା ? କଣ ପାଇଁ ମୁହାଁମୁହିଁ ହେଲେ ଜେଟିପି, ସ୍ବତନ୍ତ୍ର ସୁରକ୍ଷା ବାହିନୀ, ସେବାୟତ ଓ କମାଣ୍ଡର ? ଗତକାଲି ରବିବାର ଅବସରରେ ଜଗା ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ଲହଡ଼ି ଭିତରେ ଦେଖାଦେଇଥିଲା ଅଭାବନୀୟ ସ୍ଥିତି। ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ ଭକ୍ତମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଭିତରେ ଶ୍ରୀମନ୍ଦିର ସାତପାହଚ ତଳେ ଉପୁଜିଥିଲା ବିବାଦୀୟ ସ୍ଥିତି। ସାତ ପାହାଚ ନିକଟରେ ୯ଟି ବାରିକେଡରୁ ୨ଟି ଲାଇନକୁ ଫାଙ୍କା ରଖିଥିଲେ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ। ଯାହାକୁ ନେଇ ଆପତ୍ତି ଉଠାଇଥିଲେ ଶ୍ରୀମନ୍ଦିର କମାଣ୍ଡର। ଭିଡ଼ ବେଳେ ଲାଇନ୍ କାହିଁକି ଫାଙ୍କା ରଖାଯାଇଛି, ବୋଲି ପ୍ରଶ୍ନ ଉଠାଇଥିଲେ। ପରେ କମାଣ୍ଡର ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ୍ ବେଳେ ତାଙ୍କୁ ବିରୋଧ କରିଥିଲେ କିଛି ପୋଲିସ କର୍ମୀ। ସେପଟେ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀଙ୍କୁ ପ୍ରତିବାଦ କରି କମାଣ୍ଡରଙ୍କ ସପକ୍ଷରେ ବାହାରିଥିଲେ ସେବାୟତ। ଆଉ ତା ଉପରେ ସୃଷ୍ଟି ହୋଇଥିଲା ଠେଲାପେଲା, ଗଣ୍ଡଗୋଳ ସହ ଉତ୍ତେଜନାମୂଳକ ପରିସ୍ଥିତି। ପରେ ଏହାକୁ ନେଇ ଘୁଞ୍ଚିଥିଲା ନୀତିକାନ୍ତି, ଆଉ ଦର୍ଶନ ଆହୁରି ବିଳମ୍ବ ସହ ଅପେକ୍ଷା କରିଥିଲେ ଭକ୍ତ।
ଗତକାଲିର ଏ ବିଶୃଙ୍ଖଳା ପରେ ସିଂହଦ୍ବାର ଥାନାରେ ମାମଲା ବି ହୋଇଥିଲା। ସେପଟେ କାଲିର ଏ ଘଟଣାକୁ ନେଇ ପୋଲିସ କର୍ମୀଙ୍କ ଉପରେ ବର୍ଷିଛନ୍ତି ଭକ୍ତ ଓ ବରିଷ୍ଠ ସେବାୟତ। ସେମାନେ କହିଛନ୍ତି, ଖାକି ପୋଷାକରେ ଡ୍ୟୁଟିରେ ଥିବା କର୍ମଚାରୀମାନେ, ଭକ୍ତଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରିବା ଦରକାର। ଏଣେ କାଲିର ଏ ଘଟଣାକୁ ଅତି ଗୁରୁତର ସହ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ପୁରୀ ଏସପି ଏ ବିଶୃଙ୍ଖଳାର ତଦନ୍ତ କରିବେ। ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପଟେ ପ୍ରୋଟକଲ ଦର୍ଶନ ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ନେବ ଏବଂ ପ୍ରୋଟୋକଲ ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁଙ୍କ ରେକର୍ଡ ମେଣ୍ଟେନ୍ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଚର୍ଚ୍ଚା ହେଉଛି, ଗତକାଲି ସାତ ପାହାଚ ନିକଟରେ ଖାଲି ଥିବା ବାରିକେଡ୍ ଲାଇନକୁ, ପୋଲିସ କର୍ମଚାରୀମାନେ ସେମାନଙ୍କ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ଖାଲି ରଖିଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏ ନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/05/disorder-during-darshan-at-srimandir-2026-01-05-20-52-08.jpg)