ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ଆଜିର ଦିନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆ ସଂସଦ ଭବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରି ନୂଆ ସଂସଦ ଭବନ ନୂଆ ଭାରତର ଆଧାର ହେବ ବୋଲି କହିଛନ୍ତି । ତାସହ ବିକଶିତ ଭାରତର ଲକ୍ଷ୍ୟ, କଠିନ ହେଲେ ବି ଅସମ୍ଭବ ନୁହେଁ ବୋଲି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ, ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନ କରିଛନ୍ତି ।
Published By: Sarbeswar
Last updated: 28 May 2023, 09:16 PM IST
ଆଧୁନିକ... ଆକର୍ଷଣୀୟ... ଅଦ୍ୱିତୀୟ... । ନୂଆ ଭାରତର ନୂଆ ସଂସଦ ସୌଧ। ୧୪୦ କୋଟି ଭାରତୀୟଙ୍କ ଆଶା-ଆକାଂକ୍ଷା ଓ ଗର୍ବ-ଗୌରବର ଭବ୍ୟ ପ୍ରତୀକ । କେବଳ ଭାବନାତ୍ମକ ଭାବେ ନୁହେଁ, ଗଠନାତ୍ମକ ଦିଗରୁ ବି ଏଠି ସମାହିତ ହୋଇଛି ଭାରତର ବିବିଧତା। ନୂଆ ସଂସଦ ଭବନରେ ଲାଗିଛି ରାଜସ୍ଥାନର ପଥର, ମହାରାଷ୍ଟ୍ରର ଶାଗୁଆନ କାଠ, ଉତ୍ତରପ୍ରଦେଶର କାର୍ପେଟ୍, ତ୍ରିପୁରାର ବାଉଁଶ ଚଟାଣ, ଗୁଜରାଟର ଶଙ୍ଖମଲମଲ ପଥର ଓ ପିତ୍ତଳ କାରୁକାର୍ଯ୍ୟ। ଲୋକସଭା ଓ ରାଜ୍ୟସଭାର ଫଲ୍ସ ସିଲିଂରେ ଲାଗିଛି ଡାମନ-ଡିୟୁରୁ ଆସିଥିବା ଷ୍ଟିଲ୍ ଷ୍ଟ୍ରକଚର୍ । ମୁମ୍ବାଇରେ ତିଆରି ହୋଇଛି ଫର୍ଣ୍ଣିଚର୍। ହରିୟାଣାରୁ ଆସିଛି ବାଲି ଓ ଇଟା।