ମାଆ ଓ ସାନ ଭାଇ ସହ ମିଶି କ୍ଷେତରେ ହଳଦୀ ଖୋଳୁଛନ୍ତି । କେବଳ ଯେ ହଳଦୀ ଖୋଳୁଛନ୍ତି ତା ନୁହେଁ ମାଆଙ୍କ ସହିତ ବସି ହଳଦୀ ବଛାବଛି କରୁଛନ୍ତି । ଜମିରେ ହଳ କରୁଛନ୍ତି । ଏମିତି କି ସାନ ଭାଇ ସହିତ ଗାଇଗୋରୁ ଚରାଇବା ପାଇଁ ଜଙ୍ଗଲକୁ ଯାଉଛନ୍ତି । ଆଉ ସମୟ ମିଳିଲେ ଘର ବାରଣ୍ଡାରେ ବସି ପଢାପଢି କରୁଛନ୍ତି । ଘରକୁ ଛୁଟିରେ ଆସିଥିବା ଡାକ୍ତରୀ ଛାତ୍ର ହେବଲଙ୍କ ସମୟ ଏବେ ଏମିତି ବିତୁଛି । ଗତ ୨୦୨୩ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ସେ ବହୁ କଷ୍ଟରେ ଧାର କରଜ କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ଣଣ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଥିଲେ ମଧ୍ୟ ହେବଲଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଅର୍ଥାଭାବ । ହଷ୍ଟେଲରେ ରହିବା ଆଉ ମେସ୍ ଫି ଭରିବା ମଧ୍ୟ କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ସହଯୋଗ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ହେବଲ ।