ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁରକୁ କେମିତି କରିହେବ ଶାନ୍ତ ? ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଚାଲିଛି ଘନଘନ ଉଦ୍ୟମ । ଆଉ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ଗତ ମଧ୍ୟରାତ୍ରରୁ ସହରର ୬ଟି ଥାନା ଇଲାକାରେ କର୍ଫ୍ୟୁ ଜାରି କରାଯାଇଛି । କର୍ଫ୍ୟୁରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ତେବେ କାହିଁକି ଘଟିଲା ଅଘଟଣ ? ଆଇନଶୃଙ୍ଖଳା ଏଡିଜି ଏବଂ ଗୁଇନ୍ଦା ଏଡିଜିଙ୍କୁ ସାଙ୍ଗରେ ନେଇ ସମ୍ବଲପୁରରେ ସ୍ଥିତିର ସମୀକ୍ଷା ଜାରି ରଖିଛନ୍ତି ପୋଲିସ ଡିଜି ।

ଏବେ ଲିଭିଛି ଅସନ୍ତୋଷର ନିଆଁ । କିନ୍ତୁ ଦାଉ ଦାଉ ହୋଇ ବାରି ହେଉଛି ନିଆଁ ଆଉ ଧୂଆଁର ସେହି କାଳିମା । ସ୍ଥାୟୀ ଦୋକାନ ହେଉ କିମ୍ବା ଛୋଟମୋଟ କ୍ୟାବିନ । ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଆଉ ସ୍ଥିତି ଅସମ୍ଭାଳ ପରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରରୁ ଲଗାଯାଇଛି କର୍ଫ୍ୟୁ । ରାତି ପାହିଲା କ୍ଷଣି ଡାକବାଜିରେ ସତର୍କ କରିଦିଆଯାଇଛି ସାରା ସହରବାସୀଙ୍କୁ । ଅଶାନ୍ତ ସମ୍ବଲପୁରକୁ ଶାନ୍ତ କରିବା ପାଇଁ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ଯୁଦ୍ଧକାଳୀନ ପଦକ୍ଷେପ । ସହରର ୬ଟି ଥାନା ଯଥା ଧନୁପାଲି, ଟାଉନଥାନା, ସଦର ଥାନା, କ୍ଷେତରାଜପୁର, ଅଇଁଠାପାଲି, ବରେଇପାଲି ଅଞ୍ଚଳରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି କରାଯାଇଛି କର୍ଫ୍ୟୁ ।