ଅଣ୍ଡା ଦରରେ ଲାଗିଛି ନିଆଁ। ପ୍ରଭାବିତ ଅଙ୍ଗନବାଡି କେନ୍ଦ୍ର। ମଧ୍ୟାହ୍ନ ଭୋଜନର ଥାଳିରେ ବି ଅଣ୍ଡା ଖେଳୁଛି ଲୁଚକାଳି। ସରକାର ଅଣ୍ଡା ପ୍ରତି ୫ ଟଙ୍କା ଦେଉଛନ୍ତି, କିନ୍ତୁ
ପ୍ରକୃତ ପକ୍ଷେ ଅଣ୍ଡା ଦର ଏବେ କିନ୍ତୁ ୭ ଟଙ୍କା। ରାଜ୍ୟର ଆଉ କିଛି ସ୍ଥାନରେ ତ ଅଣ୍ଡା ଦର ୮ ରୁ ୯ଟଙ୍କାରେ ପହଞ୍ଚିଲାଣି। ମାନେ ସରକାର ଦେଉଥିବା ଟଙ୍କା ଓ ବଜାର ଦର ଭିତରେ ପାଖାପାଖି ୩ଟଙ୍କା ଫରକ। ଏକଥା ସରକାର ବି ଜାଣିଛନ୍ତି। ହେଲେ ପୁଷ୍ଟିକର ଖାଦ୍ୟ ଯୋଜନା ପାଇଁ ଯେମିତି ଚାହିଁ ଜଳକା ଖେଳ ଖେଳୁଛନ୍ତି। ଏଭଳିସ୍ଥଳେ ଅଙ୍ଗନବାଡି କର୍ମୀ ବି ନାଚାର। କେତେବେଳେ ବାଁ ଡାହାଣ କରି ତ ଆଉ କେତେବେଳେ ପିଲାଙ୍କ ସଂଖ୍ୟାକୁ ବଢାଇ ଅଣ୍ଡା ଦେବାକୁ ବାଧ୍ୟ ହେଉଛନ୍ତି। ପ୍ରସୂତୀଙ୍କୁ ମାସକୁ ୧୨ ଟି ଅଣ୍ଡା ଦେବା ଲାଗି ନିୟମ ରହିଛି। କିନ୍ତୁ ଦିଆଯାଉଛି ମାତ୍ର ୧୦ଟି। ସେହିପରି ସପ୍ତାହକୁ ୫ ଦିନ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ
ବ୍ୟବସ୍ଥା ଥିଲେ ବି ଏହା ସବୁବେଳେ ସମ୍ଭବ ହେଉନି। ଅପରପକ୍ଷେ ସ୍ବଳ୍ପ ବେତନରେ ଅଙ୍ଗନବାଡି କର୍ମୀ ଓ ସ୍କୁଲ୍ କର୍ତ୍ତୃପକ୍ଷ ନିଜ ହାତରୁ ପଇସା ଦେଇ ପିଲାଙ୍କ ପାଇଁ ଅଣ୍ଡା କିଣୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସାରା ରାଜ୍ୟରେ ଏପରି ସ୍ଥିତି।