ସମ୍ବଲପୁର ହିଂସାକୁ ଏଡ଼ାଯାଇ ପାରିଥା’ନ୍ତି କି ? ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ? ଏଭଳି ପ୍ରଶ୍ନ ସବୁକୁ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ସମ୍ବଲପୁର ଗସ୍ତରୁ ଫେରିବା ପରେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସ୍ଥିତି ପାଇଁ ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି । ଅଭିଯୋଗ କରିଛି ଥାର୍ଡ ଫ୍ଲୋରର ଇଙ୍ଗିତରେ ଢିଲା ପୋଲିସ ବ୍ୟବସ୍ଥା ପାଇଁ ଏଭଳି ଘଟଣା ଘଟିଲା । ସେହିପରି କଂଗ୍ରେସ ମଧ୍ୟ କଂଗ୍ରେସ ସରକାରଙ୍କ ଆକଳନ କାହିଁକି ଭୁଲ୍ ହେଲା ବୋଲି ପ୍ରଶ୍ନ କରିଛି ।

ହନୁମାନ ଜୟନ୍ତୀ ପୂର୍ବରୁ ବୁଧବାର ବାଇକ୍ ରାଲି ବେଳେ ଟେକାପଥର ମାଡ଼ । ଗୁରୁବାର ସମ୍ବଲପୁର ସହରରେ ଇଣ୍ଟରନେଟ୍ ବନ୍ଦ ସହ ୧୪୪ ଧାରା । ଶୁକ୍ରବାର ସନ୍ଧ୍ୟା ଶୋଭାଯାତ୍ରା ବେଳେ ପୁଣି ହିଂସା, ଦୋକାନ ବଜାର ପୋଡ଼ାଜଳା । ଆଉ ସେଇ ଶୁକ୍ରବାର ମଧ୍ୟ ରାତ୍ରିରୁ ସାରା ସହରରେ କର୍ଫ୍ୟୁ ଗଲା ଚାରି ଦିନ ଧରି ଇଏ ସମ୍ବଲପୁର ସହରର ଚିତ୍ର । ହେଲେ ଏଠି ପ୍ରଶ୍ନ କାହିଁକି ବିଗିଡ଼ିଲା ସ୍ଥିତି ? ଏଥିପାଇଁ ଦାୟୀ କିଏ ? ପ୍ରତିବର୍ଷ ଶାନ୍ତିଶୃଙ୍ଖଳା ସହ ହନୁମାନ ଜୟନ୍ତୀ ପାଳନ ହେଉଥିଲା ବେଳେ ଏଥର କାହିଁକି ହେଲା ହିଂସା ? ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ? ନା ପୋଲିସ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିରୁ ହେଲା ଅଶାନ୍ତି ? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଭିତରେ ତେଜିଛି ରାଜନୀତି ।