ଗୋଟିଏ ପଟେ ୪୦ ଡିଗ୍ରୀ ପାର୍ ତାତିରେ ରାଜ୍ୟବାସୀ ସନ୍ତୁଳି ହେଉଥିବାବେଳେ ଅନ୍ୟପଟେ ଜନଜୀବନକୁ କଲବଲ କରୁଛି ଘନ ଘନ ବିଜୁଳି କାଟ୍ । ଗାଁଠୁ ସହର ସବୁଠି ଦିନ ରାତି ଚାଲିଛି ଘଣ୍ଟା ଘଣ୍ଟା ଅଘୋଷିତ ପାୱାରକଟ୍ । ଏବର୍ଷ ଆଦୌ ପାୱାର କଟ୍ ହେବନି ବୋଲି ତିନିଦିନ ତଳେ ଶକ୍ତିମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଯେମିତି ଉପହାସ କରୁଛି ଗ୍ରାଉଣ୍ଡ ଜିରୋରୁ ବିଜୁଳି କାଟର ବିକଳ ଚିତ୍ର ।

ତିନି ଦିନ ତଳେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ମୁହଁରୁ ରାଜ୍ୟବାସୀ ଶୁଣିଥିବା ଟାଣ ପ୍ରତିଶ୍ରୁତି, କେତେ ଫଳପ୍ରଦ ବର୍ତ୍ତମାନର ବାସ୍ତବ ଚିତ୍ର କହିଦେଉଛି । ଆସିକା ବ୍ଲକ ହରଡ଼ାପଦର ଗାଁରେ ଘଣ୍ଟାକୁ ଘଣ୍ଟା ଛାଡ଼ି ଏଠି ଚାଲିଛି ପାୱାରକଟର ଲୁଚକାଳି ଖେଳ । ବାହାରେ ତାତି କଲବଲ କରୁଛି ତ ଘର ଭିତରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ବାଧ୍ୟ ହୋଇ ଦାଣ୍ଡ ପିଣ୍ଢା ନହେଲେ ଗଛମୂଳ ପାଲଟିଛି ବସାଉଠା ସ୍ଥାନ । ବିଶେଷକରି ବୟସ୍କ ଓ ଛୋଟ ପିଲା ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । ବାଲେଶ୍ୱର ଜିଲ୍ଲାର ନୀଳଗିରି ଗାଁର ଦମୟନ୍ତୀ ରାଉତ । ଘରେ ଫ୍ୟାନ ଅଛି, ହେଲେ ଚାଲିବାକୁ ବେଳ ନାହିଁ ।