ବନ୍ଧା ହେବେ, ଜେଲ୍ ଯିବେ ମଦୁଆ ଗାଡ଼ି ଚାଳକ । ସଡ଼କ ଦୁର୍ଘଟଣା କମାଇବା ଲକ୍ଷ୍ୟରେ ମଦୁଆ ଗାଡ଼ି ଚାଳକଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ୟ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ପୋଲିସ ଡିଜିଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଗାଡ଼ି ଚାଳକ ସ୍ୱାଗତ କରିଥିବା ବେଳେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ ।

ମଦ ପିଇ ଗାଡ଼ି ଚଳାଉଛନ୍ତି କି ? ହୁସିଆର ! ଧରାପଡ଼ିଲେ ଆଉ ଦୟାମାୟା ନାହିଁ । ଖାଲି ଫାଇନରେ ମିଳିବନି ନିସ୍ତାର। ଗିରଫ ହେବେ, ଜେଲ୍ ଯିବେ । ମଦୁଆ ଗାଡ଼ି ଚାଳକଙ୍କବିରୋଧରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ରାଜ୍ୟର ସବୁ ଥାନାକୁ ନିର୍ଦ୍ଦେଶ ଜାରିପାଇଁ କହିଛି ବାଣିଜ୍ୟ ଓ ପରିବହନ ବିଭାଗ । ଏନେଇ ପୋଲିସ୍ ଡିଜିଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ ଉଷା ପାଢ଼ୀ । ଚିଠିରେ କୁହାଯାଇଛି, ମଦପିଇ ଗାଡ଼ି ଚାଳନା ରାଜ୍ୟରେ ସଡ଼କଦୁର୍ଘଟଣାର ଏକ ବଡ଼ କାରଣ । ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ RTOମାନେ ୧୨ଶହ ୫୭ଟି ଓ ପୋଲିସ୍ ୧୩୩ଟି ମଦ୍ୟପାନ କରି ଗାଡ଼ିଚାଳନା ମାମଲା ଚିହ୍ନଟ କରିଥିଲେ । ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ମୋଟର ଯାନ ଆଇନରେ ଜେଲ୍ ଦଣ୍ଡ ଓ ଲାଇସେନ୍ସ ବାତିଲ୍ ଭଳି ଦଣ୍ଡବିଧାନ ବ୍ୟବସ୍ଥା ଥିଲେ ବି ସେମାନଙ୍କୁ ଗିରଫ ନକରି ଛାଡ଼ି ଦିଆଯାଇଥିଲା ।