କାହିଁକି ଅଚାନକ କଲେରା ଗଡ଼ ପାଲଟିଗଲା ରାଉରକେଲା ? ସାମ୍ନାକୁ ଆସିଲା ବସ୍ତି ବାସିନ୍ଦାଙ୍କ ସାଂଘାତିକ ଅଭିଯୋଗ । ମାସ ମାସ ଧରି ଏଠି ପାଇପରେ ଆସୁଥିଲା ଗୋଳିଆ ପାଣି। ବିଶୁଦ୍ଧ ଜଳ ନାଁରେ ଯେଉଁ ପାଣି ଆସୁଥିଲା, ତାହା ପିଇବା ତ ଦୂରର କଥା ଶୁଙ୍ଘିବା ଯୋଗ୍ୟ ବି ନଥିଲା । ସାବୁନ ଫେଣ ଭଳି ଭାସୁଥିଲା, ତଳେ କାଦୁଅ ବସିଯାଉଥିଲା। ଦୁର୍ଗନ୍ଧ କଥା ତ ନକହିବା ଭଲ । ହଇଜା ବ୍ୟାପିଥିବା ବିଭିନ୍ନ ୱାର୍ଡ ବୁଲି ଜଳର ନମୁନା ଯାଞ୍ଚ କରୁଛନ୍ତି ଭୁବନେଶ୍ୱରରୁ ଯାଇଥିବା ବିଶେଷଜ୍ଞ ଟିମ୍ । ଦେଖୁଛନ୍ତି ପାଣିରେ କୌଣସି ସଂକ୍ରମଣ ଅଛି କି ନାହିଁ । କିନ୍ତୁ ଲୋକଙ୍କ କହିବା କଥା, ମାସ ମାସ ଧରି ଦୂଷିତ ପାଣି ଆସିବା ପରେ, ଏଇ ୩-୪ ଦିନ ହେବ ଭଲ ପାଣି ଆସୁଛି। ତେଣୁ ଏବେ ନମୁନା ଯାଞ୍ଚ କଲେ ସତ ପଦାକୁ ଆସିବ କୁଆଡ଼ୁ। ଅଭିଯୋଗ ହୋଇଛି ଯେ, ପୂର୍ବରୁ ବସ୍ତିର ବହୁ ପିଲା ଜଣ୍ଡିସରେ ବି ପଡ଼ିଥିଲେ, ଯାହାକି ମୁଖ୍ୟତଃ ଏକ ଜଳବାହିତ ରୋଗ । ରାଉରକେଲାର ୪୦ଟି ଯାକ ୱାର୍ଡ, ୫୦ରୁ ଅଧିକ ବସ୍ତି ଓ କଲୋନୀ, ସବୁଠି କାଳେ ସମାନ ଚିତ୍ର। ବନ୍ଧମୁଣ୍ଡା ଉତ୍ତମ ବସ୍ତି, ତିଳକା ନଗର ଓ ପ୍ଲାଣ୍ଟ ସାଇଡ୍ ସାରଳା ବସ୍ତିରେ ଏବେ ବି ପାନୀୟ ଯୋଗ୍ୟ ପାଣି ଆସୁ ନ ଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।