ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ଭୁଶୁଡ଼ିଲା ବ୍ରିଟିଶ୍ ଅମଳର ପୋଲ । ବାହୁଦା ନଦୀ ଉପରେ ନିର୍ମାଣ ହୋଇଥିବା ପ୍ରାୟ ୯୦ ବର୍ଷର ପୁରୁଣା ଏହି ପୋଲ ଭୁଶୁଡ଼ି ଯାଇଛି । ଆଜି ସକାଳୁ ଏକ ଗ୍ରାନାଇଟ ବୋଝେଇ ଟ୍ରେଲର ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାବେଳେ ଅନ୍ୟ କୌଣସି ଗାଡ଼ି ଯାତାୟାତ କରୁନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି ।

ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା । ୩୦ ଫୁଟ ତଳକୁ ଗଳିପଡିଲା ଗ୍ରାନାଇଟ ପଥର ଧରି ଆସୁଥିବା ଏକ ବଡ଼ ଟ୍ରେଲର । ତାସହ କ୍ଷଣିକ ମଧ୍ୟରେ ଭୁଶୁଡିଗଲା ବ୍ରିଟିଶ୍ ଅମଳର 'ବାହୁଦା' ବ୍ରିଜ୍ ବା ରାମଚନ୍ଦ୍ର ମର୍ଦ୍ଧରାଜ ସେତୁ । ୯୦ ବର୍ଷରୁ ଅଧିକ ବର୍ଷ ପୁରୁଣା ଏହି ବ୍ରିଜ୍ ଏବେ ଭଗ୍ନସ୍ତୁପ ପାଲଟିଯାଇଛି । ଏହି ବ୍ରିଜ୍ ଗଞ୍ଜାମ ପାତ୍ରପୁରରୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମକୁ ସଂଯୋଗ କରୁଥିଲା । ଆଜି ସକାଳ ପ୍ରାୟ ୫ଟା ୧୫ରୁ ୫ଟା ୩୦ ମିନିଟରେ ଘଟିଛି ଏହି ଦୁର୍ଘଟଣା । ପାତ୍ରପୁର ପଟୁ ଆନ୍ଧ୍ର ପ୍ରଦେଶ ଆଡ଼କୁ ଏକ ଟ୍ରେଲର ଗ୍ରାନାଇଟ୍ ପଥର ବୋଝେଇ କରି ଆସୁଥିଲା । ଡ୍ରାଇଭର ବ୍ରିଜ ଉପରେ ଗାଡି ଚଢାଇବାର କିଛି କ୍ଷଣ ମଧ୍ୟରେ ଗାଡି ସହ ସିଧା ତଳକୁ ଖସିପଡିଥିଲେ । ଡ୍ରାଇଭର ଜଣକ ସାମାନ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।