puri
ପୁରୀ: ତିନିଦିନ ପରେ ବି ଥମୁନି ପୁରୀ ହାଜତ ମୃତ୍ୟୁର ତାତି। ବିଧାନସଭା ହୁଲସ୍ତୁଲ। ରାଜରାସ୍ତାରେ ଜାରି ରହିଛି ଅଶାନ୍ତିର ନିଆଁ ପୁରୀରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ହଲ୍ଲାବୋଲ୍। ଶୋଭାଯାତ୍ରା, ବିକ୍ଷୋଭ, କୁଶପୁତ୍ତଳିକା ଦାହ। ସମ୍ବିତ ପ୍ରଥମେ ମୃତ କେ.ରମେଶଙ୍କ ଘରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ କହିଥିଲେ, ଏହା ହାଜତ ମୃତ୍ୟୁ ନୁହେଁ, ହାଜତ ହତ୍ୟା।
ଦୋଷୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ ହେଉ। ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ। ଶବର ବି ସମ୍ମାନ ଅଛି, ଏଠି କିନ୍ତୁ କେ. ରମେଶଙ୍କ ଶବ ସଂସ୍କାର ବେଳେ କୌଣସି ପରମ୍ପରା ରକ୍ଷା କରାଯାଇନି ବୋଲି ଅଭିଯୋଗ କରିଥିଲେ। ସମ୍ବିତ ଏହାପରେ ଗୁଣ୍ଡିଚା ମନ୍ଦିର ସାମ୍ନାରୁ ଦଳୀୟ ନେତା ଓ କର୍ମୀଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଏଡିଏମ୍ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏପଟେ ତିନି ଦିନ ପରେ ପୋଲିସ୍ ହେପାଜତରୁ ଫେରିବା ପରେ ମୃତ କେ. ରମେଶଙ୍କ ଦାଦା କେ. ଆରିୟା ବି ଆଣିଛନ୍ତି ଆଉ ଏକ ଅଭିଯୋଗ। କହିଛନ୍ତି ପୋଲିସ୍ ଗାଡ଼ି ଧକ୍କାରେ ରମେଶଙ୍କ ମୃତ୍ୟୁ ହୋଇଥିବା ପୋଲିସ୍ କହିଥିଲା। ରମେଶଙ୍କ ବାପା ମାଙ୍କୁ ପୋଲିସ୍ ଛାଡ଼ିଛି, କିନ୍ତୁ ସେମାନେ କେଉଁଠି ଅଛନ୍ତି ଜଣାପଡିନି।
ଅପରପକ୍ଷେ ପରିବାର ଲୋକଙ୍କୁ ନଜଣାଇ ଶବ ଦାହ କରାଯିବା ଅଭିଯୋଗ ପରେ ଆଜି ଏକ ଭିଡିଓ ଟ୍ୱିଟ୍ କରି ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର ସମୟରେ ପରିବାର ଲୋକ ଉପସ୍ଥିତ ଥିବା ଜଣାଇଛନ୍ତି ପୁରୀ ଏସ୍ପି।
ଏପଟେ ଗତକାଲି ଭଳି ଆଜି ବି ହାଜତ ମୃତ୍ୟୁ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଛି ବିଧାନସଭା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗୃହର ସବୁ କାର୍ଯ୍ୟ ବାତିଲ କରି ହାଜତ ମୃତ୍ୟୁ ପ୍ରସଙ୍ଗରେ ମୋସନ୍ ଆକାରରେ ଆଲୋଚନା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। କହିଥିଲେ, ପୁରୀ ଏସ୍ପିଙ୍କୁ ବଦଳି କେବଳ ଏକ ଆଇଓ୍ୱାସ୍, ତାଙ୍କୁ ଦଣ୍ଡିତ କରାଯିବା ଦରକାର। ସେହପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ପୁରୀ ଏସ୍ପିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ନାହିଁ, ଜଙ୍ଗଲରାଜ ଚାଲିଥିବା ଅଭିଯୋଗ କରିଥିଲେ ବିଜେଡି ଏହାର ଜବାବ ରଖିଥିଲା।
ପୁରୀ ହାଜତ ମୃତ୍ୟୁ ଘଟଣାରେ ହୋହଲ୍ଲା ପରେ ଡ୍ୟାମେଜ୍ କଣ୍ଟ୍ରୋଲ୍ ମୋଡ୍ରେ ଥିବା ରାଜ୍ୟ ସରକାର ଗତକାଲି ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅଖିଳେଶ୍ୱର ସିଂଙ୍କୁ ପୁରୀ ଏସ୍ପି ଦାୟିତ୍ୱରୁ ହଟାଇଦେବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ବାସେଳିସାହି ଥାନାର ସବ୍ ଇନ୍ସପେର ବିପ୍ଲବ କୁମାର ପ୍ରଧାନ ଓ ଅନ୍ୟ ୨ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିଲେ। ହେଲେ ଏହା ସତ୍ତ୍ୱେ ବି ଖାକିରେ ଲାଗିଥିବା ଏ କଳଙ୍କର ନିଆଁ ଥମିବାର ନାଁ ନେଉନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/puri-2_1625092457.jpg)