/odishatv-khabar/media/post_attachments/uploadimage/library/16_9/16_9_0/wdgh3jyilu_1620748875.jpg)
Rain
- ଉପାନ୍ତରୁ ଉପକୂଳ, ତାଣ୍ଡବ ରଚିଲା କାଳବୈଶାଖୀ
- କଟକ ବାଲିସାହିରେ ଉଡ଼ିଗଲା ବସ୍ତିବାସିନ୍ଦାଙ୍କ ଅସ୍ଥାୟୀ ବାସ
- ଆକ୍ରୋଶରେ ପୋଲିସ ଗାଡ଼ି ଭଙ୍ଗାରୁଜା କଲେ ବିସ୍ଥାପିତ
- ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅମଳ ଫସଲ ନଷ୍ଟ
- ବଲାଙ୍ଗିର ଓ ଅନୁଗୁଳରେ ବଜ୍ରପାତରେ ୨ ମୃୃତ ସୂଚନା
ଭୁବନେଶ୍ୱର: ଉଡ଼େଇଲା, ଭାଙ୍ଗିଲା, ଛିନଛତ୍ର କରି ପଳାଇଲା। ଉପାନ୍ତରୁ ଉପକୂଳ, ତାଣ୍ଡବ ରଚିଛି କାଳବୈଶାଖୀ। ଏହି ଆକସ୍ମିକ ଖଣ୍ଡ ପ୍ରଳୟରେ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛନ୍ତି କଟକ ବାଲିସାହିର ଅସ୍ଥାୟୀ ଟେଣ୍ଟରେ ଥିବା ବସ୍ତିବାସିନ୍ଦା। ଭାଙ୍ଗିରୁଜି ଧରାଶାୟୀ ହୋଇଯାଇଛି ଟେଣ୍ଟ। ଯାହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ପାଟିମୁଣ୍ଡ ବି କରିଥିଲେ। କେବଳ ଏତିକି ନୁହେଁ, ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉଜୁଡ଼ିଯାଇଛି ଅମଳ ଫସଲ। କାଳବୈଶାଖୀରେ ଜୀବନ ଯାଇଥିବା ସୂଚନା ବି ମିଳିଛି। କରୋନା ମାଡ଼ରେ କଲବଲ ହେଉଥିବା ଲୋକଙ୍କୁ ଯେଉଁଭଳି ଦାଉ ସାଧିଛି ଏହି କାଳବୈଶାଖୀ।
ଘଣ୍ଟାଏର ଖଣ୍ଡପ୍ରଳୟ କଲା କାଳବୈଶାଖୀ। ପଶ୍ଚିମ ଆଡୁ ମାଡ଼ି ଆସିଲା କଳାମେଘ। ଚାହୁଁ ଚାହୁଁ ଗଗନ ପବନ କମ୍ପାଇ ତାଣ୍ଡବ ରଚିଲା କାଳବୈଶାଖୀ। ପବନରେ ଧୂଆଁ ଭଳି ଉଡୁଥିଲା ବର୍ଷା। ଆଖି ସାମ୍ନାରେ ନଇଁ ପଡୁଥିଲା ବିଶ୍ୱ ନିୟନ୍ତାଙ୍କ ପତିତପାବନ ବାନା। ତାହାରି ଭିତରେ ପ୍ରଳୟ ପବନରୁ ଏଠି ସଂଘର୍ଷ ଚାଲିଥିଲା ଛାତକୁ ବଞ୍ଚାଇବାର ପ୍ରୟାସ। କଟକ ନୂଆପଡ଼ା ବାଲିସାହିର ଚିତ୍ର ହିଁ ବୟାନ କରୁଛି, କେତେ ଭୟଙ୍କର ଥିଲା ସେହି ଆକସ୍ମିକ ଖଣ୍ଡପ୍ରଳୟ। କିଏ ଆର୍ତ୍ତଚିତ୍କାର କରୁଥିଲେ ତ ଆଉ କିଏ ପ୍ରଶାସନିକ ବ୍ୟବସ୍ଥା ବିରୋଧରେ ବିଷ ଉଦଗାରୁଥିଲେ। କଟକ ମାଲଗୋଦାମ ବେହେରା ସାହି ବସ୍ତି ବାସିନ୍ଦା ଆଜି କାଳବୈଶାଖୀରେ ଅନେତ କ୍ଷତି ସହିଛନ୍ତି।
କଟକ ଏସସିବି ମେଡିକାଲର ଉନ୍ନତିକରଣ ଲାଗି ଉଚ୍ଛେଦ ପରେ ସିଏମସି ପକ୍ଷରୁ ବାଲିସାହିରେ ଟେଣ୍ଟ କରାଯାଇ ଥଇଥାନ କରାଯାଇଥିଲା ଏମାନଙ୍କୁ। କିନ୍ତୁ କାଳବୈଶାଖୀ ମାଡ଼ି ଆସି ଉଜାଡ଼ିଦେଲା ସବୁକିଛି। ଦୁଇ ଜଣ ଆହତ ବି ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। କିନ୍ତୁ ବସ୍ତି ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ସହ ଗାଡ଼ିକୁ ଢେଲା ପଥର ମାଡ଼ କରି ଭଙ୍ଗାରୁଜା ବି କରିଥିଲେ। ଦୀର୍ଘ କିଛି ସମୟ ଧରି ଚାଲିଥିଲା ଖଣ୍ଡଯୁଦ୍ଧ। ଏଥିରେ କଟକ ଡିଷ୍ଟ୍ରିକ୍ ଏନଫୋର୍ସମେଂଟ୍ର ଜଣେ ସଦସ୍ୟ ବି ଆହତ ହୋଇଥିବା ସୂଚନା ମିଳିଛି।
ଦିନ ପ୍ରାୟ ୧୨ଟାରେ କଟକ ସମେତ ଭୁବନେଶ୍ୱର, ପୁରୀରେ ଭୟଙ୍କର ରୂପ ଦେଖାଇଥିଲା କାଳବୈଶାଖୀ। ପୁରୀରେ କଳାହାଣ୍ଡିଆ ମେଘ ଘୋଟି ଆସି ବହିଥିଲା ପବନ ସହ ବର୍ଷା। ନଇଁ ପଡ଼ିଥିଲା ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା। ଶ୍ରୀମନ୍ଦିର ଚାରିପଟେ ଜମିଗଲା ବର୍ଷା ପାଣି। ପଶ୍ଚିମ ଓଡ଼ିଶାରେ ବି ତାଣ୍ଡବ ରଚିଛି କାଳବୈଶାଖୀ। ଉପୁଡ଼ି ପଡ଼ିଥିଲା ସମ୍ବଲପୁର ସଦର ହସ୍ପିଟାଲ ଟୀକାକରଣ କେନ୍ଦ୍ରର ଟେଣ୍ଟ। ଫଳରେ ବିଳମ୍ବ ହୋଇଥିଲା ଟିକାକରଣ ପ୍ରକ୍ରିୟା। ଆଉ ବରଗଡ଼ ସଦର ବ୍ଲକର ବିଭିନ୍ନ ସ୍ଥାନରେ ଓଦା ହୋଇ ନଷ୍ଟ ହୋଇଯାଇଛି ଅମଳ ଧାନ। ବିନିକାରେ ବି ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି।
ଏହି ଝଡ଼ତୋଫାନ ସହ ବଜ୍ରାଘାତରେ ବଲାଙ୍ଗିର ଜିଲ୍ଲା ବରକାନୀ ଗାଁରେ ଜଣେ ମହିଳା ଏବଂ ଅନୁଗୁଳ ଆଠମଲ୍ଲିକରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ପାଟଣାଗଡ ଅଞ୍ଚଳର ଏକ କେନ୍ଦୁପତ୍ର ଫଡିଘର ବଜ୍ରାଘାତରେ ଜଳିଯାଇଛି। ପାଣିପାଗ ବିଭାଗ କହିଛି, ଆସନ୍ତାକାଲି ବି କିଛି ସ୍ଥାନରେ ଏଭଳି କାଳବୈଶାଖୀର ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)