Advertisment

ଜେଲ ଭିତରେ ପଶିଲାଣି କରୋନା

କାରାଗାରକୁ କରୋନା ଭୟ। ଜେଲର ଚାରିକାନ୍ଥ ଭିତରକୁ ଧସେଇ ପଶିଲାଣି କରୋନା ଭୂତାଣୁ। ସଂକ୍ରମଣର ଶିକାର ହେଲେଣି ଅନ୍ତେବାସୀ ଓ କର୍ମଚାରୀ। ସେଥିପାଇଁ କଏଦୀଙ୍କ ଲାଗି କଡା କଟକଣା। ଆଜୀବନ ସଜା କାଟୁଥିବା କଏଦୀ କୋଭିଡ କଟକଣା ଭିତରେ କରୁଛନ୍ତି ଶ୍ରମ

author-image
Sarbeswar
ଅଦ୍ୟତନ ହୋଇଛି
ଜେଲ ଭିତରେ ପଶିଲାଣି କରୋନା

jail

  • ବଲାଙ୍ଗିର ପାଟଣାଗଡ଼ ହେଉ କି ମୟୂରଭଞ୍ଜର ଉଦଳା….
  • ସତର୍କତା ସତ୍ତ୍ୱେ ଜେଲରେ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା
  • ସ୍ଥିତି ବେକାବୁ ହେଉଥିବା ଦେଖି ତତ୍ପର କର୍ତ୍ତୃପକ୍ଷ
  • ଜେଲ୍ କର୍ତ୍ତୃପକ୍ଷ କହିଲେ ସଂକ୍ରମଣ ରୋକିବାକୁ ନିଆଯାଉଛି ପଦକ୍ଷେପ
Advertisment

ଭୁବନେଶ୍ୱର: କରୋନା ମହାମାରୀ ଭୟରେ ଚାରିଆଡେ ତ୍ରାହିତ୍ରାହି। ତେବେ ଜନବସତିଠାରୁ ଅଲଗା ରହୁଥିବା ଜେଲ୍ ଭିତରେ ବି ଆତଙ୍କ ଖେଲାଇଲାଣି ଏହି ମହାମାରୀ। ରାଜ୍ୟର ବିଭିନ୍ନ ଜିଲ୍ଳା କାରାଗାର ଏବଂ ଉପ କାରଗାରରେ ଏବେ କରୋନା କହର ଦେଖିବାକୁ ମିଳିଲାଣି। ସଂକ୍ରମଣର ଶିକାର ହେଉଛନ୍ତି ଅନ୍ତେବାସୀ ଓ କର୍ମଚାରୀ। ସ୍ଥିତିକୁ ଦେଖି ଅନ୍ତେବାସୀଙ୍କ ସଂର୍ପକୀୟଙ୍କ ଆଶଙ୍କା ବଢିଥିବା ବେଳେ ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଜିଲ୍ଲା ପ୍ରଶାସନ ଓ ଜେଲ୍ କର୍ତ୍ତୃପକ୍ଷ।

କାରାଗାରକୁ କରୋନା ଭୟ। ଜେଲର ଚାରିକାନ୍ଥ ଭିତରକୁ ଧସେଇ ପଶିଲାଣି କରୋନା ଭୂତାଣୁ। ସଂକ୍ରମଣର ଶିକାର ହେଲେଣି ଅନ୍ତେବାସୀ ଓ କର୍ମଚାରୀ। ସେଥିପାଇଁ କଏଦୀଙ୍କ ଲାଗି କଡା କଟକଣା। ଆଜୀବନ ସଜା କାଟୁଥିବା କଏଦୀ କୋଭିଡ କଟକଣା ଭିତରେ କରୁଛନ୍ତି ଶ୍ରମ। ବଲାଙ୍ଗିର ଜିଲ୍ଳା କାରାଗାରରେ ପ୍ରଥମେ ତିନିଜଣ କର୍ମଚାରୀ ସଂକ୍ରମିତ ହୋଇଥିବାବେଳେ ଏବେ ଜଣେ ମହିଳାଙ୍କ ସମେତ ଆଉ ୧୧ ଅନ୍ତେବାସୀ ବି ପଜିଟିଭ୍ ଚିହ୍ନଟ ହେଲେଣି। ସେହିଭଳି ଜିଲ୍ଳାରେ ଥିବା ଆଉ ତିନିଟି ଉପ-କାରାଗାର ମଧ୍ୟରୁ ପାଟଣାଗଡ ସବ-ଜେଲ୍ ଏବେ କରୋନାର ହବ୍ ପାଲଟିଛି। ୧୨୦ ଅନ୍ତେବାସୀଙ୍କ ମଧ୍ୟରୁ ୫୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇସାରିଛି। ଜେଲ୍ ଅଧୀକ୍ଷକ କହିଛନ୍ତି ସରକାରଙ୍କ କୋଭିଡ କଟକଣାକୁ କଡାକଡି ପାଳନ କରାଯାଉଛି। ଜେଲ ଭିତରେ କରୋନା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ଼ ସହ ଜେଲ ବାହାରେ ସଙ୍ଗରୋଧ କେନ୍ଦ୍ର ପାଇଁ ଯୋଜନା କରାଯାଇଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି।

Advertisment

ଏପଟେ ମୟୂରଭଞ୍ଜ ଜିଲ୍ଲା ଉଦଳା ସବ-ଜେଲରେ ଗତକାଲି ଟେଷ୍ଟ ହୋଇଥିବା ୭୬ ଜଣ ବିଚାରଧୀନ କଏଦୀଙ୍କ ମଧ୍ୟରୁ ୨୧ଜଣ କରୋନା ଆକ୍ରାନ୍ତ ଜଣାପଡିବା ପରେ ପୁରା ଜେଲକୁ ସାନିଟାଇଜ କରାଯାଇଛି। ସଂକ୍ରମିତ କଏଦୀମାନେ ଆଇସୋଲେସନରେ ରହିଛନ୍ତି। ଏଭଳି ସ୍ଥିତିକୁ ଦେଖି ରାଜ୍ୟର ଅନ୍ୟ ଜେଲ୍ କର୍ତ୍ତୃପକ୍ଷ ମଧ୍ୟ ସଜାଗ ହେଲେଣି। ଚୌଦ୍ୱାର ମଣ୍ଡଳ କାରାଗାରର ପରିସରକୁ ଅଗ୍ନିଶମ ବାହିନୀ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି। ଜେଲ ପରିସରରେ କ୍ୱାରେଣ୍ଟିନ୍ ଓ ଆଇସୋଲେସନ ୱାର୍ଡ଼ କରାଯିବା ସହ ନେଗେଟିଭ ରିପୋର୍ଟ ଦେଖିବା ପରେ ହିଁ ଭିତରକୁ ଛଡାଯାଉଛି। ପର୍ଯ୍ୟାୟକ୍ରମେ ସବୁ ଅନ୍ତେବାସୀଙ୍କ ସ୍ୱାବ ଟେଷ୍ଟ ସହ ଟିକାକରଣ ବ୍ୟବସ୍ଥା କରାଯାଉଥିବା ଜେଲ୍ ଅଧୀକ୍ଷକ କହିଛନ୍ତି।

ନିକଟରେ ସାରା ଦେଶରେ ଜେଲ ଭିତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। କାରାଗର ପରିସରରେ ଭିଡ ହ୍ରାସ କରିବାକୁ ଜାମିନ ଏବଂ ପାରୋଲ ମିଳିଥିବା କଏଦୀଙ୍କୁ ଶୀଘ୍ର ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

ବଲାଙ୍ଗିରରୁ ମନରଞ୍ଜନ ଜୋଶୀ, ଚୌଦ୍ୱାରରୁ ପ୍ରକାଶ ନାୟକ ଏବଂ ଉଦଳାରୁ ମାନସ ପାଣି

Advertisment
Advertisment