/odishatv-khabar/media/post_attachments/uploadimage/library/16_9/16_9_0/indi_1626686978.jpg)
indi
ହାଇଦ୍ରାବାଦ: କ୍ୟାପଟେନ୍ ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଶିମରନ୍ ହେଟମେୟର୍ ଓ କ୍ୟାପଟେନ୍ କାଇରନ୍ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା।
ଜବାବରେ ଭାରତ ୧୮.୪ ଓଭରରେ ୪ ୱିକେଟ୍ ହରାଇ ୨୦୯ ରନ୍ କରି ବିଜୟୀ ହୋଇଛି। ଏଥିସହ ଭାରତ ଘରୋଇ ମାଟିରେ ରେକର୍ଡ ରନ୍ ପିଛା କରିଛି। ଏହା ପୂର୍ବରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ୨୦୭ ରନର ଲକ୍ଷ୍ୟର ପିଛା କରିଥିଲା। ଭାରତ ପକ୍ଷରୁ କୋହଲି ସର୍ବାଧିକ ୯୪ (୫୦ ବଲ୍, ୬ ଚୌକା, ୬ ଛକା) ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ରାହୁଲ୍ ୬୨ (୪୦ ବଲ୍, ୫ ଚୌକା, ୪ ଛକା) ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି।
୨୦୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ରୋହିତ୍ ଶର୍ମା ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ରାହୁଲ ଓ କୋହଲି ଦ୍ୱିତୀୟ ୱିକେଟ୍ ପାଇଁ ଶତକୀୟ (୧୦୦) ଭାଗୀଦାରୀ କରି ଭାରତର ବିଜୟ ଆଶା ବଢ଼ାଇଥିଲେ। ରାହୁଲ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ କୋହଲି ସତର୍କତାର ସହ ଖେଳିଥିଲେ । ରାହୁଲ ୩୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଭାରତର ସ୍କୋର ୧୩୦ ଥିବା ବେଳେ ରାହୁଲଙ୍କୁ ଖାରୀ ପିଏରୀ ଆଉଟ୍ କରି ଇଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଋଷଭ ପନ୍ତ ଦ୍ରୁତ ରନ୍ କରିଥିଲେ ହେଁ, ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୯ ବଲରେ ୨ ଛକା ସହ ୧୮ ରନ୍ କରି ଶେଲଡନ୍ କଟ୍ଟରେଲଙ୍କ ଶିକାର ହୋଇଥିଲେ। ପଞ୍ଚମ ସ୍ଥାନରେ ଆସିଥିବା ଶ୍ରେୟସ୍ ଆୟର୍ (୪) ନିରାଶ କରିଥିବା ବେଳେ କୋହଲି ଶେଷ ପର୍ଯ୍ୟନ୍ତ ଅପରାଜିତ ଭାରତକୁ ୮ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ଇଣ୍ଡିଜ୍ ପକ୍ଷରୁ ଖାରୀ ୨ଟି, କଟ୍ଟରେଲ୍ ଓ ପୋଲାର୍ଡ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ପୂର୍ବରୁ ଭାରତ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇନିଂସର ଦ୍ୱିତୀୟ ଓଭରରେ ଦୀପକ ଚହର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଲେଣ୍ଡଲ ସିମନ୍ସ (୨)ଙ୍କୁ ପ୍ୟାଭିଲିୟନ୍ ପଠାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ଓପ୍ନର ଏଭିନ୍ ଲୁଇସ୍ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉପରେ ଚାପ ପକାଇଥିଲେ। ସେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବ୍ରାଣ୍ଡନ୍ କିଙ୍ଗଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ।
ଲୁଇସ୍ ମାତ୍ର ୧୭ ବଲରେ ୩ ଚୌକା ଓ ୪ ଛକା ମାରି ୱାଶିଂଟନ୍ ସୁନ୍ଦରଙ୍କ ଶିକାର ହୋଇଥିଲେ। ନିଜର ଚତୁର୍ଥ ମ୍ୟାଚ୍ ଖେଳୁଥିବା ବ୍ରାଣ୍ଡନ୍ ମଧ୍ୟ ଦ୍ରୁତ ରନ୍ କରି ଦଳର ସ୍କୋରକୁ ୧୦ ଓଭରରେ ୧୦୦ ଅତିକ୍ରମ କରାଇଥିଲେ। ତାଙ୍କୁ ଅନ୍ୟତମ ଯୁବ ବ୍ୟାଟ୍ସମ୍ୟାନ୍ ହେଟମେୟର୍ ଭରପୂର ସହଯୋଗ କରିଥିଲେ। ତେବେ କିଙ୍ଗ୍ ବ୍ୟକ୍ତିଗତ ୩୧ (୨୩ ବଲ୍, ୩ ଚୌକା, ୧ ଛକା) ରନ୍ କରି ଭାରତର ସବୁଠାରୁ ଅଭିଜ୍ଞ ବୋଲର ରବୀନ୍ଦ୍ର ଜାଡେଜା ବଲରେ ଆଉଟ୍ ହେବା ପରେ ହେଟମେୟର୍ ଓ କ୍ୟାପଟେନ୍ ପୋଲାର୍ଡ ରନ୍ ଗତିକୁ ବଢ଼ାଇଥିଲେ। ହେଟମେୟରଙ୍କ ଉପସ୍ଥିତିରେ ପୋଲାର୍ଡ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ୧୭ ଓଭରରେ ଟିମର ସ୍କୋରକୁ ୧୭୨ ରନରେ ପହଞ୍ଚାଇଥିଲେ ଏବଂ ଏହି ସମୟରେ ଟିମର ସ୍କୋର ୨୨୦ ରନ୍ ଟପିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ୟୁଜବେନ୍ଦ୍ର ଚହଲ୍ ନିଜର ଶେଷ ସ୍ପେଲରେ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇ ରନରେ ଅଙ୍କୁଶ ଲଗାଇଥିଲେ।
ହେଟମେୟର୍ ୫୬ (୪୧ ବଲ୍, ୨ ଚୌକା, ୪ ଛକା) ରନର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ବେଳେ ପୋଲାର୍ଡ ଦ୍ରୁତ ୩୭ (୧୯ ବଲ୍, ୧ ଚୌକା, ୪ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଜେସନ୍ ହୋଲ୍ଡର ଓ ଦିନେଶ ରାମଦିନ୍ ଶେଷଭାଗରେ ଭଲ ବ୍ୟାଟିଂ କରି ଟିମ୍ ସ୍କୋରକୁ ୨୦୦ ରନ୍ ଅତିକ୍ରମ କରାଇଥିଲେ। ହୋଲ୍ଡର୍ ୯ ବଲରେ ୧ ଚୌକା ଓ ୨ ଛକା ସହ ୨୪ ଓ ରାମଦିନ୍ ୭ ବଲରେ ୧୧ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଦୀପକ ଚହର୍ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୫୬ ରନ୍ ବ୍ୟୟ କରି ମାତ୍ର ଗୋଟିଏ ୱିକେଟ୍ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚହଲ୍ ୨ଟି, ସୁନ୍ଦର ଓ ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)