/odishatv-khabar/media/post_attachments/uploadimage/library/16_9/16_9_0/jagannath-land_1626504701.jpg)
jagannath temple
ପୁରୀ: ପ୍ରତିଦିନ ସାର୍ବଜନୀନ ହେବ ଶ୍ରୀମନ୍ଦିର ହୁଣ୍ଡିକୁ ଦାନ ସୁନା ରୂପାର ପରିମାଣ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ଚଳାଇଥିବାବେଳେ ଅନ୍ୟପକ୍ଷରେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ଓ ବରିଷ୍ଠ ସେବାୟତ। ପ୍ରତିଦିନ ସାର୍ବଜନୀନ କରିବା ପୂର୍ବରୁ ମେ’ ପ୍ରଥମ ସପ୍ତାହରେ ହୁଣ୍ଡିକୁ ଦାନ ଆକାରରେ ମିଳିଥିବା ସୁନା ରୁପାର ହିସାବ ଦେଇଛି ପ୍ରଶାସନ।
ନୀଳକନ୍ଦରର ରତ୍ନତ୍ସିଂହାସନରେ ପୂଜାପାଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି ଶ୍ରୀକ୍ଷେତ୍ରକୁ। ଦର୍ଶନ କରି ଭକ୍ତ ମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନା, ରୂପା ଓ ଟଙ୍କା ଦାନ କରିଥାନ୍ତି। ଦାନ ସୂତ୍ରରେ ମିଳୁଥିବା ଟଙ୍କାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାର୍ବଜନୀନ କରାଯାଇଥାଏ।
କିନ୍ତୁ କେତେ ପରିମାଣର ସୁନା ଓ ରୂପା ଭକ୍ତ ମାନେ ଦାନ କରିଥାନ୍ତି ତାହା ସାର୍ବଜନୀନ କରାଯାଏନାହିଁ। ହେଲେ ଏବେ ଶ୍ରୀମନ୍ଦିର ପ୍ରଶାସନ ପ୍ରତିଦିନ ସୁନା ରୂପାର ପରିମାଣ ସାର୍ବଜନୀନ କରିବା ପାଇଁ ଯୋଜନା ଆରମ୍ଭ କରିଛି। ପ୍ରଥମେ ଗତ ମେ ୧ରୁ ୮ତାରିଖ ସପ୍ତାହକର ହିସାବ ସାମ୍ନାକୁ ଆଣିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ସପ୍ତାହକ ଭିତରେ ୧ କିଲୋ ୪୬୦ ଗ୍ରାମ ସୁନା ଏବଂ ୧ କିଲୋ ୮୩୫ ଗ୍ରାମ ରୂପା ଦାନ ସୂତ୍ରରେ ମିଳିଛି।
ସେପଟେ ପ୍ରଶାସନର ହିସାବ କହୁଛି ଦୀର୍ଘ ୩୪ ବର୍ଷ ଭିତରେ ଏ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ମିଳିଛି ୧୮କେଜି ୨୬୧ ଗ୍ରାମ ସୁନା ଏବଂ ୧୧୯ କେଜି ରୂପା। ଯେଉଁ ସୁନାର ଆନୁମାନିକ ମୂଲ୍ୟ ୫କୋଟିରୁ ଅଧିକ ଥିବା ବେଳେ ରୂପାର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ। ଓଡିଶା ଗେଜେଟ ରିପୋର୍ଟ ଅନୁସାରେ ୧୯୮୩ ମସିହାରେ ନାଟମଣ୍ଡପରେ ସ୍ଥାପନ କରାଯାଇଥିଲା ହୁଣ୍ଡି ଏବଂ ସେ ବର୍ଷ ମୋଟ ୨୬ଗ୍ରାମ ସୁନା ମିଳିଥବା ବେଳେ ରୂପା ୧କେଜି ୯୫ ଗ୍ରାମ ମିଳିଥିଲା।
ଏହି ୩୪ବର୍ଷ ଭିତରେ ମହାପ୍ରଭୁଙ୍କର ୨ଟି ନବକଳେବର ସଂପନ୍ନ ହୋଇଛି। ୧୯୯୬ ନବକଳେବର ବର୍ଷରେ ହୁଣ୍ଡିରେ ୨୩୭ ଗ୍ରାମ ସୁନା ଏବଂ ୧କେଜି ୩୦୯ ଗ୍ରାମ ରୂପା ପଡିଥିଲା। ସେହଭଳି ୨୦୧୫ ନବକଳେବର ବର୍ଷରେ ୯୬୧ ଗ୍ରାମ ୮୩୬ ମିଲିଗ୍ରାମ ସୁନା ପଡିଥିବା ବେଳେ ୭କେଜି ୪୮୯ ମିଲିଗ୍ରାମ ରୂପା ଦାନ ସୁତ୍ରରେ ମିଳିଥଲା। ଏସବୁ ହିସାବ ସାର୍ବଜନୀନ କରାଯାଇପାରିନଥିଲା। କିନ୍ତୁ ଏବେ ଯେଉଁଭଳି ଭାବେ ସାର୍ବଜନୀନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ତାକୁ ପରିଚାଳନା ପରିଷଦର ସଦସ୍ୟ ଓ ବରିଷ୍ଠ ସେବାୟତ ମାନେ ସ୍ୱାଗତ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)