/odishatv-khabar/media/post_attachments/uploadimage/library/16_9/16_9_0/karunanidhi-11_1626696710.jpg)
karunanidhi
ଚେନ୍ନାଇ: ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ତାଙ୍କ ସମ୍ମାନାର୍ଥେ ଆଜି ଦେଶବ୍ୟାପୀ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଦେଶର ସବୁ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ସରକାରୀ କାର୍ଯ୍ୟକ୍ରମ ନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ସେହିପରି କରୁଣାନିଧିଙ୍କ ପରଲୋକରେ ତାମିଲନାଡ଼ୁ ସରକାର ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି। ଆଜି ଚେନ୍ନାଇରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ।
କରୁଣାନିଧିଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରୁ ଶାସକ ଦଳର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ବିଧାୟକ ଦେବୀପ୍ରସାଦ ମିଶ୍ର ଶେଷକୃତ୍ୟରେ ଯୋଗ ଦେବାକୁ ଚେନ୍ନାଇ ଯିବେ ବୋଲି ଜଣାପଡ଼ିଛି।
ଏବେ ସ୍ୱର୍ଗତ କରୁଣାନିଧିଙ୍କ ମରଶରୀରକୁ ଚେନ୍ନାଇ ରାଜାଜୀ ହଲ୍ରେ ରଖାଯାଇଛି। ବିଶିଷ୍ଟ ବ୍ୟକ୍ତି ଓ ସମର୍ଥକମାନେ ସେଠାରେ ତାଙ୍କ ଶେଷଦର୍ଶନ କରୁଛନ୍ତି।
କରୁଣାନିଧିଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। କରୁଣାନିଧିଙ୍କୁ ତାମିଲନାଡୁର ଜଣେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ଅଭିହିତ କରିବା ସହ ସାମାଜିକ ପରିବର୍ତ୍ତନ ଓ ସଂସ୍କାର କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେହିପରି କରୁଣାନିଧିଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।
ଗତକାଲି ସନ୍ଧ୍ୟାରେ ଚେନ୍ନାଇର କାବେରୀ ହସ୍ପିଟାଲ୍ରେ କରୁଣାନିଧିଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।
ସେ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୧୩ ଥର ବିଧାନସଭାକୁ ନିର୍ବାଚିତ ହୋଇ ଯାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)