/odishatv-khabar/media/post_attachments/uploadimage/library/16_9/16_9_0/leopard_1626438059.jpg)
leopard
ଗୁଜରାଟ: ଗୁଜରାଟ ତାପି ଜିଲ୍ଲା ବାଲୋଡ ଅଞ୍ଚଳର ଚିତାବାଘ ଯୋଡ଼ାକୁ ନେଇ ଚର୍ଚ୍ଚା। ଏହି ଚିତାବାଘ ଯୋଡ଼ା ଜନବସତିକୁ ପଶି ଆସିଥିବାରୁ ସେମାନଙ୍କୁ ଧରିବାକୁ ଯନ୍ତା ବସାଯାଇଥିଲା। ଗୋଟିଏ ଜନ୍ତୁ ତ ଧରା ପଡ଼ିଲା, କିନ୍ତୁ ସେଠାରେ ଥିବା କ୍ୟାମେରାରେ କଏଦ୍ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ ତାଜୁବ।
ଦୁଇ ଚିତାବାଘ ମଧ୍ୟରେ ପ୍ରେମ। ପିଞ୍ଜରା ଭିତରେ ଅଛି ଅଣ୍ଡିରା ଚିତାବାଘ। ପିଞ୍ଜରା ବାହାରେ ତାକୁ ଅପେକ୍ଷା କରି ରହିଛି ମାଈ ଚିତାବାଘ। ଯନ୍ତାରୁ ପ୍ରେମିକକୁ ବାହାର କରିବାକୁ ମାଈ ଚିତାବାଘ ବହୁତ ଚେଷ୍ଟା କରୁଛି। ଏପରିକି ଅଣ୍ଡିରା ଚିତାବାଘଟି ମଧ୍ୟ ମୁକୁଳିବାକୁ ବହୁତ ଚେଷ୍ଟା କରିଥିଲା। ଶିକାର କରିବାକୁ ଆସି ଯନ୍ତାରେ ପଡ଼ି ଯାଇଥିଲା ଅଣ୍ଡିରା ଚିତାବାଘ। ନିଜ ପ୍ରେମିକକୁ ମୁକ୍ତ କରିବା ଲାଗି ରାତି ସାରା ମାଈ ଚିତାବାଘଟି ଚେଷ୍ଟା କରିଥିଲା। ସକାଳେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆସିଥିବାରୁ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲା ମାଈ ଚିତାବାଘଟି। ଏସବୁ କଏଦ ହୋଇଛି ସିସିଟିଭିରେ।
ଚିତାବାଘକୁ କାବୁ କରି ପରେ ତାକୁ ଛାଡ଼ି ଦିଆଯାଇଥିଲା ଘଞ୍ଚ ଜଙ୍ଗଲରେ। କିନ୍ତୁ ଆଶ୍ଚର୍ଯ୍ୟର କଥା ନିଜ ପ୍ରେମିକକୁ ଖୋଜି ଖୋଜି ଏହି ସ୍ଥାନକୁ ପୁଣି ଆସିଥିଲା ମାଈ ଚିତାବାଘଟି। ଯନ୍ତା ବସାଯାଇଥିବା ସ୍ଥାନକୁ ବାରମ୍ବାର ଆସିଥିଲା। ବୋଧହୁଏ ସେ ଭାବୁଥିଲା ତାର ପ୍ରେମିକ ହଠାତ ଏଠାରୁ କୁଆଡ଼େ ଗାଏବ ହୋଇଯାଇଛି।
ଏହି ଅଞ୍ଚଳରେ କିଛି ଦିନ ଧରି ଗୋଟିଏ ଯୋଡ଼ା ଚିତାବାଘ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ। କୌଣସି ଅଘଟଣ ହେବା ଆଶଙ୍କା କରି ସେମାନେ ଫ୍ରେଣ୍ଡସ୍ ଅଫ୍ ଆନିମଲ୍ ସୋସାଇଟିକୁ ଖବର ଦେଇଥିଲେ। ଚିତାବାଘକୁ ଧରିବାକୁ ଯନ୍ତା ବସା ଯାଇଥିଲା। ୬ ଥର ଚକ୍ମା ଦେବା ପରେ ସପ୍ତମ ଥର ଯନ୍ତାରେ ପଡ଼ି ଯାଇଥିଲା ଅଣ୍ଡିରା ଚିତାବାଘ। ଗନ୍ଧ ବାରି ବାରି ହୁଏତ କିଛି ଦିନ ପରେ ଦୁଇ ଚିତାବାଘ ପରସ୍ପରକୁ ପାଇଯିବେ, କିନ୍ତୁ ଏଇ କିଛି ଦିନ ଯେମିତି ଉଭୟେ ପରସ୍ପରକୁ ଖୋଜିଲେ, ତାହା ପଶୁପ୍ରେମୀଙ୍କୁ ପ୍ରଭାବିତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)