/odishatv-khabar/media/post_attachments/uploadimage/library/16_9/16_9_0/KOHLI_1626686641.jpg)
KOHLI
ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଉପରେ କବଜା କରିଛନ୍ତି। ନିକଟରେ ବାଂଲାଦେଶ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ କୋହଲି ଭଲ ପ୍ରଦର୍ଶନ କରିଥିଲେ, ଯେଉଁକାରଣରୁ ତାଙ୍କ ରାଙ୍କିଙ୍ଗରେ ସୁଧାର ହୋଛି। ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗରେ କୋହଲି ୯୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ସ୍ମିଥ୍ ୯୨୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।
ଆଶେସ୍ ସିରିଜରେ ଦମଦାର ପ୍ରଦର୍ଶନ ପରେ ସ୍ମିଥ୍ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଏବେ କୋହଲି ପୁଣିଥରେ ତାଙ୍କଠାରୁ ଶୀର୍ଷ ସ୍ଥାନ ଛଡ଼ାଇ ଆଣିଛନ୍ତି। ସ୍ମିଥ୍ ଆଶେସ୍ ସିରିଜରେ ମୋଟ ୪ଟି ମ୍ୟାଚ୍ ଖେଳି ୭୭୪ ରନ୍ କରିଥିଲେ। ଏହା ପରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିଶତକ ଏବଂ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ। କିନ୍ତୁ ସ୍ମିଥ୍ ପାକିସ୍ତାନ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଯଥାକ୍ରମେ ୪ ଓ ୩୬ ରନ୍ କରିଥିଲେ। ଏହି ବିଫଳତା କାରଣରୁ ସ୍ମିଥ୍ ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି।
୮୪ ଟେଷ୍ଟରେ ୨୭ ଶତକ ସହ ୭୨୦୨ ରନ୍ କରିଥିବା କୋହଲି ଚଳିତ ବର୍ଷ ଆଉ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ। ତେବେ ୭୦ ଟେଷ୍ଟରେ ୨୬ ଶତକ ସହ ୭୦୧୩ ରନ୍ କରିଥିବା ସ୍ମିଥଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବାକୁ ଅଛି। ତେଣୁ ସ୍ମିଥ୍ ଭଲ ପ୍ରଦର୍ଶନ କରି ପୁଣିଥରେ ଶୀର୍ଷ ସ୍ଥାନକୁ ଫେରିବାକୁ ପ୍ରୟାସ କରିବେ। ସ୍ମିଥଙ୍କ ସାଥୀ ଖେଳାଳି ଡେଭିଡ୍ ୱାର୍ଣ୍ଣରଙ୍କୁ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ସେ ଏକାଥରକେ ୧୨ଟି ସ୍ଥାନ ଉପରକୁ ଉଠି ଟପ୍-୧୦ରେ ପ୍ରବେଶ କରିଛନ୍ତି।
ପାକିସ୍ତାନ ବିପକ୍ଷ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଅପରାଜିତ ୩୩୫ ରନର ଇନିଂସ୍ ଖେଳିଥିବା ୱାର୍ଣ୍ଣର୍ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ସାଥୀ ଖେଳାଳି ମାର୍ନସ୍ ଲାବୁଶେନଙ୍କୁ ମଧ୍ୟ ବିପୁଳ ଫାଇଦା ହୋଇଛି। ଲାବୁଶେନ୍ ୧୧୦ଟି ସ୍ଥାନ ଉପରକୁ ଅଷ୍ଟମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ୱାର୍ଣ୍ଣରଙ୍କ ଉପରକୁ ଉଠିବା ଦ୍ୱାରା ଭାରତର ଭାଇସ୍-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଖସି ଷଷ୍ଠରେ ପହଞ୍ଚିଛନ୍ତି।
ଏବେ ଭାରତର ତିନିଜଣ ବ୍ୟାଟ୍ସମ୍ୟାନ୍ ଟପ-୧୦ରେ ରହିଛନ୍ତି। ଚେତେଶ୍ୱର ପୂଜାରା ଚତୁର୍ଥ ଓ ରାହାଣେ ଷଷ୍ଠ ସ୍ଥାନରେ ଅଛନ୍ତି। ଖରାପ ଫର୍ମରେ ଥିବା ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ମାରି ଟପ୍-୧୦ରେ ପ୍ରବେଶ କରି ସପ୍ତମ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନର ବାବର ଆଜମ ଦୁଇଟି ସ୍ଥାନ ଉଠି ୧୩ଶ ସ୍ଥାନରେ ପହଞ୍ଚିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)