/odishatv-khabar/media/post_attachments/uploadimage/library/16_9/16_9_0/89_1626692648.jpg)
89
ଭୁବନେଶ୍ୱର: ଓଡ଼ିଶା ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍ସିପ୍) ଅଛନ୍ତି। ସେ ନିଜେ ଏକଥା ପ୍ରକାଶ କରିଛନ୍ତି। ‘ଦ ସଣ୍ଡେ ଏକ୍ସପ୍ରେସ୍’କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି। ଆଉ ଏହା ସହିତ ଦୂତୀ ହେଉଛନ୍ତି ଭାରତର ପ୍ରଥମ ଆଥ୍ଲେଟ୍ ଯିଏ ଖୋଲାଖୋଲି ଭାବେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଯେ, ସେ ସମଲିଙ୍ଗୀ ରିଲେସନ୍ସିପ୍ରେ ଅଛନ୍ତି।
ଦୂତୀ ତାଙ୍କ ଗାଁ ଚକ୍ର ଗୋପାଲପୁରର ଜଣେ ଝିଅ ସହିତ ସଂପର୍କରେ ଅଛନ୍ତି। ସେ ତାଙ୍କୁ ହିଁ ବିବାହ କରିବାକୁ ଚାହୁଁଛନ୍ତି। ତେବେ ସେ ତାଙ୍କ ନାଁ ପ୍ରକାଶ କରି ନାହାନ୍ତି। ତାଙ୍କ ନାଁ ପ୍ରକାଶ କଲେ ଅଯଥାରେ ସେ ସମସ୍ତଙ୍କ ଦୃଷ୍ଟିଆକର୍ଷଣ ହେବେ ବୋଲି ଦୂତୀ କହିଛନ୍ତି।
‘ଦ ସଣ୍ଡେ ଏକ୍ସପ୍ରେସ୍’କୁ ସେ କହିଛନ୍ତି,“ମୁଁ ଜଣଙ୍କୁ ପାଇଛି ଯିଏ ମୋ ପାଇଁ ଉପଯୁକ୍ତ। ମୁଁ ସ୍ୱାଧୀନତାରେ ବିଶ୍ୱାସ କରେ। ଜଣେ ବ୍ୟକ୍ତି କାହା ସହିତ ରହିବ ତାହା ତା’ର ବ୍ୟକ୍ତିଗତ ସ୍ୱାଧୀନତା ବୋଲି ମୁଁ ବିଚାର କରେ। ଯେଉଁମାନେ ସମଲିଙ୍ଗୀ ରିଲେସନ୍ସିପ୍ରେ ରହିବାକୁ ଚାହାନ୍ତି, ମୁଁ ସବୁବେଳେ ସେମାନଙ୍କୁ ସମର୍ଥନ କରି ଆସିଛି। ତେବେ ବର୍ତ୍ତମାନ ମୁଁ ୱାର୍ଲ୍ଡ ଚାମ୍ପିଅନ୍ସିପ୍ ଓ ଅଲିମ୍ପିକ୍ ଗେମ୍ ଉପରେ ଧ୍ୟାନ ଦେଉଛି। କିନ୍ତୁ ଭବିଷ୍ୟତରେ ମୁଁ ତାଙ୍କ (ଜଣେ ମହିଳା) ସହିତ ଘର କରି ରହିବି।”
ସେ କହିଛନ୍ତି,“ଭଲ ପାଇବା ପାଇଁ ସମସ୍ତଙ୍କର ସ୍ୱାଧୀନତା ରହିବା ଉଚିତ୍ ବୋଲି ମୁଁ ମନେ କରେ। ଭଲ ପାଇବା ଠାରୁ ବଡ଼ ସ୍ୱତଃପ୍ରବୃତ୍ତ ଆବେଗ ଆଉ କ’ଣ ରହିଛି। ଏହାକୁ ଅଗ୍ରାହ୍ୟ କରାଯିବା ଉଚିତ୍ ନୁହେଁ। ସୁପ୍ରିମ୍କୋର୍ଟ ବି ଏନେଇ ରହିଥିବା ପୁରୁଣା ଆଇନ୍କୁ ଖାରଜ କରି ଦେଇଛନ୍ତି। ମୁଁ କାହା ସହିତ ଘର ସଂସାର କରିବି, ସେ ନେଇ କେହି ମତେ ଜଣେ ଆଥ୍ଲେଟ୍ ଦୃଷ୍ଟିକୋଣରୁ ବିଚାର କରିବା ଉଚିତ୍ ନୁହେଁ ବୋଲି ମୁଁ ମନେ କରେ। ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି। ଏହାକୁ ସମ୍ମାନ ଦିଆଯିବା ଉଚିତ୍। ମୁଁ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତି ଚାଲିବି।”
ଏହି ଖବର ପ୍ରସାରିତ ହେବା ପରେ ନିଜ ମତ ସଂପର୍କରେ ସ୍ପଷ୍ଟ କରି ଦୂତୀ ଓଟିଭିକୁ କହିଛନ୍ତି,“ସଂପର୍କରେ ପୁଅ, ଝିଅ କିଛି ଦେଖାଯାଏନି। ଆମେ ପରସ୍ପରକୁ ବାଛିଛୁ। ଆମେ ସାରା ଜୀବନ ସାଥୀ ହୋଇ ରହିବୁ। ହୃଦୟ ଯାହାକୁ ଥରେ ବାଛିନିଏ, ସାରା ଜୀବନ ତାର ସାଥୀ ହୋଇ ରହେ। ସମ୍ବିଧାନ ଓ ସୁପ୍ରିମକୋର୍ଟ ବି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇଛନ୍ତି। ମୁଁ ୧୮ ବର୍ଷରୁ ଉର୍ଦ୍ଧ୍ୱ, ମୁଁ କିଛି ଅପରାଧ କରିନି।”
ସେ ଆହୁରି କହିଛନ୍ତି,“ଏବେ ବିବାହ କରିବାର କିଛି ଯୋଜନା ନାହିଁ। ଯେବେ ବିବାହ କରିବି,ସମସ୍ତଙ୍କୁ କହିବି ଓ ନିମନ୍ତ୍ରଣ କରିବି। ଓଡ଼ିଆ ଘରର ବିଧିବିଧାନ ଅନୁସାରେ ବିବାହ କରିବି।”
ସୂଚନାଯୋଗ୍ୟ, ୨୦୧୮ ଏସିଆନ୍ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ସେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଏହି ଦୁଇ ପଦକ ଜିତିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)