/odishatv-khabar/media/post_attachments/uploadimage/library/16_9/16_9_0/indvssl_1626346384.jpg)
indvssl
ନୂଆଦିଲ୍ଲୀ: ପ୍ରମାଣ ଅଭାବରୁ ୨୦୧୧ ବିଶ୍ୱକପ୍ ଫାଇନାଲ୍ ଫିକ୍ସିଂ ଅଭିଯୋଗକୁ ନେଇ ଚାଲିଥିବା ତଦନ୍ତକୁ ଶ୍ରୀଲଙ୍କା ପୋଲିସ୍ ରୋକି ଦେଇଛି। ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର୍ କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଧନେଙ୍କ ବୟାନ୍ ରେକର୍ଡ କରିବା ପରେ ୨୦୧୧ ବିଶ୍ୱକପ୍ ଫାଇନାଲ୍ ଫିକ୍ସିଂ ଅଭିଯୋଗର କୌଣସି ପ୍ରମାଣ ମିଳିନାହିଁ। ଏହି କାରଣରୁ ବର୍ତ୍ତମାନ ଏହାକୁ ନେଇ ଚାଲିଥିବା ସମସ୍ତ ତଦନ୍ତକୁ ରୋକିବାକୁ ନିଷ୍ପତ୍ତି ନିଆଯାଇଛି।
ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦା ଆଲୁଥଗମାଗେ ଅଭିଯୋଗ ଆଣିଥିଲେ ଯେ, ୨୦୧୧ ବିଶ୍ୱକପ୍ ଫାଇନାଲ୍ ଫିକ୍ସିଂ ହୋଇଥିଲା। ଯାହାକୁ ନେଇ ପୁଲିସର ସ୍ୱତନ୍ତ୍ର ବିଭାଗ ତଦନ୍ତ ଆରମ୍ଭ କରିଦେଇଥିଲା। ଏନେଇ ପୁଲିସ୍ ଅଧୀକ୍ଷକ ଜଗତ ଫୋନସେକା କହିଛନ୍ତି, ଆମକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କ୍ରୀଡ଼ା ମନ୍ତ୍ରଳାଳୟର ସଚିବଙ୍କୁ ଆମେ ସମସ୍ତ ରିପୋର୍ଟ ପଠାଇ ଦେଇଛୁ। ଆଜି ସମସ୍ତ ଅନ୍ତରୀଣ ଚର୍ଚ୍ଚା ପରେ ତଦନ୍ତକୁ ରୋକିଦିଆ ଯାଇଛି।
ତଦନ୍ତକାରୀ ସଂସ୍ଥା ଶ୍ରୀଲଙ୍କା କ୍ରିକେଟ୍ ଟିମର ମୁଖ୍ୟ ଚୟନକର୍ତ୍ତା ଅରବିନ୍ଦ ଡି'ସିଲଭାଙ୍କ ବ୍ୟତୀତ ଫାଇନାଲ୍ ଟିମର କ୍ୟାପଟେନ୍ କୁମାର ସାଙ୍ଗାକାରା, ଓପନିଂ ବ୍ୟାଟ୍ସମ୍ୟାନ୍ ଉପୁଲ ଥରଙ୍ଗା ଓ ମାହେଲା ଜୟବର୍ଦ୍ଧନେଙ୍କୁ ପଚରାଉଚୁରା କରିଥିଲା।
ସୂଚନାଯୋଗ୍ୟ, ୨୦୧୧ ବିଶ୍ୱକପ୍ ଫାଇନାଲରେ ଆୟୋଜକ ଭାରତ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇ ୨୮ ବର୍ଷ ପରେ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲା। ଫାଇନାଲରେ ଶ୍ରୀଲଙ୍କା ଭାରତ ଆଗରେ ୨୭୫ ରନର ଟାର୍ଗେଟ୍ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ ୧୦ ବଲ୍ ଥାଇ ମ୍ୟାଚକୁ ଜିତି ନେଇଥିଲା। ଭାରତ ପକ୍ଷରୁ ଗୌତମ ଗମ୍ଭୀର ୯୭ ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ୯୧ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)