Advertisment

ମୁମ୍ବାଇରେ ଟିମ୍ ଇଣ୍ଡିଆର ରନ୍ ବର୍ଷା

ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ନିର୍ମମ ଧୂଲେଇ କରିଛନ୍ତି। ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନର ବଡ଼ ସ୍କୋର କରିଛି। ରାହୁଲ୍ ସର୍ବାଧିକ ୯୧ (୫୬ ବଲ୍‌, ୯ ଚୌକା, ୪ ଛକା) […]

author-image
Pradesh Pratyush
ମୁମ୍ବାଇରେ ଟିମ୍ ଇଣ୍ଡିଆର ରନ୍ ବର୍ଷା

team india

ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ନିର୍ମମ ଧୂଲେଇ କରିଛନ୍ତି। ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନର ବଡ଼ ସ୍କୋର କରିଛି। ରାହୁଲ୍ ସର୍ବାଧିକ ୯୧ (୫୬ ବଲ୍‌, ୯ ଚୌକା, ୪ ଛକା) ରନ୍ କରିଥିବା ବେଳେ ରୋହିତ୍ତ ୭୧ (୩୪ ବଲ୍‌, ୬ ଚୌକା, ୫ ଛକା) ଏବଂ କୋହଲି ଅପରାଜିତ ୭୦ (୨୯ ବଲ୍‌, ୪ ଚୌକା, ୭ ଛକା) ରନ୍ କରିଛନ୍ତି। ଇଣ୍ଡିଜର ହେଡେନ୍ ୱାଲ୍ସ ଓ କେଶରିକ୍ ୱିଲିୟମ୍ସଙ୍କୁ ଛାଡ଼ିଦେଲେ ବାକି ବୋଲର ଓଭରପିଛା ୧୦ରୁ ଅଧିକ ରନ୍ ବ୍ୟୟ କରିଛନ୍ତି। ମ୍ୟାଚ୍ ଏବଂ ସିରିଜ୍ ପାଇଁ ଇଣ୍ଡିଜକୁ ନିର୍ଦ୍ଧାରିତ ଓଭରରେ ୨୪୧ ରନ୍ କରିବାକୁ ପଡ଼ିବ।

Advertisment

ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହି ନିଷ୍ପତ୍ତି ଟିମ୍ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇନଥିଲା। ପ୍ରଥମ ଦୁଇଟି ମ୍ୟାଚରେ ନିରାଶ କରିଥିବା ରୋହିତଙ୍କ ବ୍ୟାଟ୍ ଆଜି ଖୁବ୍ ଚାଲିଥିଲା। ତାଙ୍କୁ ସାଥୀ ଖେଳାଳି ଲୋକେଶ ରାହୁଲ୍ ଭରପୂର ସହଯୋଗ କରିଥିଲେ। ଦୁହେଁ ଆକ୍ରମଣତ୍ମକ ବ୍ୟାଟିଂ କରି ଭାରତର ସ୍କୋରକୁ ଯଥାକ୍ରମେ ୪.୧ ଓଭରରେ ୫୦ ଏବଂ ୮ ଓଭରରେ ୧୦୦ ରନରେ ପହଞ୍ଚାଇଥିଲେ।

ରୋହିତ୍ ୨୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ରାହୁଲ ୨୯ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ୍ ନିଜର ଘରୋଇ ପିଚରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିଥିଲେ। ରୋହିତ୍ ଓ ରାହୁଲ୍ ପ୍ରଥମ ୱିକେଟ୍ ପାଇଁ ୧୩୫ ରନର ଭାଗୀଦାରୀ କରି ଭାରତକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। ରୋହିତ୍ ବ୍ୟକ୍ତିଗତ ୭୧ ରନ୍ କରି କେସରିକ୍ ୱିଲିୟମ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଋଷଭ ପନ୍ତ ଖାତା ଖୋଲିପାରିନଥିଲେ। ତାଙ୍କୁ ପୋଲାର୍ଡ ପ୍ୟାଭିଲିୟନ୍ ପଠାଇଥିଲେ।

Advertisment

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପଟେନ୍ କୋହଲି ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ଇଣ୍ଡିଜର କୌଣସି ବୋଲରଙ୍କ ଉପରେ ଦୟା ଦେଖାଇନଥିଲେ ଏବଂ ମାତ୍ର ୨୧ ବଲରେ କ୍ୟାରିୟରର ୨୪ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ୟପକ୍ଷରେ ଅର୍ଦ୍ଧଶତକ ମାରିବା ପରେ ରାହୁଲ୍ ସାମାନ୍ୟ ଧିମା ପଡ଼ିଯାଇଥିଲେ, କିନ୍ତୁ ଅନ୍ୟପଟେ କୋହଲି ଏହାର ଭରଣ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୯୫ ରନର ପାର୍ଟନରଶିପ୍ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ।

ରାହୁଲ୍ ମାତ୍ର ୯ ରନ୍ ପାଇଁ ନିଜର ତୃତୀୟ ଶତକରୁ ବଞ୍ଚିତ ହୋଇଥିଲେ। ସେ ଇନିଂସର ଅନ୍ତିମ ଓଭରରେ ଶେଲଡନ୍ କଟ୍ଟରେଲଙ୍କ ଶିକାର ହୋଇଥିଲେ। ତେବେ କୋହଲି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତକୁ ୨୪୦ ରନରେ ପହଞ୍ଚାଇଥିଲେ। ଇଣ୍ଡିଜ୍ ପକ୍ଷରୁ କଟ୍ଟରେଲ୍‌, ୱିଲିୟମ୍ସ ଓ ପୋଲାର୍ଡ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

Advertisment
Advertisment