/odishatv-khabar/media/post_attachments/uploadimage/library/16_9/16_9_0/Dhoni-Rishav_1626945290.jpg)
Dhoni- Rishav
ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚ୍ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇଟିଂ ହେବ । ଏହି ମ୍ୟାଚ ଅଧିକ ରୋମାଞ୍ଚକର ହେବ ବୋଲି କ୍ରୀଡ଼ାବିତ ମାନେ ଆଶଙ୍କା କରିଛନ୍ତି। କାରଣ ଏହି ମ୍ୟାଚରେ ଧୋନି ଏବଂ ରିସଭ ପନ୍ଥ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଦୁଇ ଜଣଙ୍କୁ ଗୁରୁ-ଚେଲା ବୋଲି ସମ୍ବୋଧନ କରାଯାଉଛି। ରିସଭ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଥିବା ବେଳେ ଚେନ୍ନାଇର ନେତୃତ୍ୱ ନେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ଏହି ଦୁଇ ଟିମ ଶନିବାର ଆଇପିଏଲର ୧୪ ତମ ସଂସ୍କରଣରେ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଏହି ମ୍ୟାଚ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହୋଇଛି।
ଗତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପହଞ୍ଚି ପରାଜିତ ହୋଇଥିଲା। ତେଣୁ ଏଥର ଦଳ ଫୁଲ ଦମରେ ଖେଳ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଏହାସହ ଏଥର ଟାଇଟଲ ଜିତିବା ସ୍ୱପ୍ନ ପୁରଣ କରିବାକୁ ଚେଷ୍ଟା କରିବ ଦଳ । ତିନିଥର ଚାମ୍ପିଅନ୍ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ଗତ ବର୍ଷ ୮ଟି ଦଳ ମଧ୍ୟରେ ସପ୍ତମ ସ୍ଥାନରେ ରହିଥିଲା।
ଆଇପିଏଲ୍ ରେକର୍ଡ ଅନୁଯାୟୀ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏବେ ସୁଦ୍ଧା ମୋଟ ୨୩ଟି ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ଚେନ୍ନାଇ ୧୫ଟି ମ୍ୟାଚ ଜିତିଥିବା ବେଳେ ଦିଲ୍ଲୀ ୮ଟି ମ୍ୟାଚ୍ ଜିତିଛି। ତେବେ ଗତ ପାଞ୍ଚଟି ମ୍ୟାଚ୍ରେ ଚେନ୍ନାଇର ପଲ୍ଲା ଭାରିଥିଲା। ସେଥି ମଧ୍ୟରୁ ସେ ୩ଟି ମ୍ୟାଚ ଜିତିଛି।
ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଆହତ ହେବା କାରଣରୁ ସେ ଦଳରୁ ବାଦ୍ ପଡ଼ିଛନ୍ତି। ତେଣୁ ତାଙ୍କ ସ୍ଥାନରେ ଭାରତୀୟ କ୍ରିକେଟର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ଥ ଅଧିନାୟକ ପଦ ସମ୍ଭାଳିବେ। କିଛି ଦିନ ପୂର୍ବେ ରିଷଭ କହିଥିଲେ ଯେ, ଆଇପିଏଲରେ ପ୍ରଥମ ମ୍ୟାଚରେ ସେ ଧୋନିଙ୍କଠାରୁ ଶିଖିଥିବା ସମସ୍ତ କୌଶଳ ପ୍ରୟୋଗ କରିବେ। ସେ ଆହୁରି କହିଥିଲେ ଅଧିନାୟକ ଭାବେ ପ୍ରଥମ ମ୍ୟାଚ ଧୋନିଙ୍କ ବିରୋଧରେ ଖେଳିବାକୁ ଯାଉଛନ୍ତି। ଏହା ତାଙ୍କ ପାଇଁ ଏକ ଭଲ ଅନୁଭବ ହେବ ବୋଲ ତାଙ୍କର ଆଶା। କାରଣ ଧୋନିଙ୍କଠାରୁ ସେ ଅନେକ କିଛି ଶିଖିଛନ୍ତି। ପ୍ରଥମ ମ୍ୟାଚରେ ସେ ତାଙ୍କ ଅଭିଜ୍ଞତା ଓ ଧୋନିଙ୍କଠାରୁ ଶିଖିଥିବା ସମସ୍ତ ପ୍ରକାର କୌଶଳ ବ୍ୟବହାର କରିବେ। ତେବେ ପନ୍ଥ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ଅଷ୍ଟ୍ରେଲିଆ ତଥା ଇଂଲଣ୍ଡ ବିପକ୍ଷରେ ମ୍ୟାଚ ୱିନର ଭାବେ ବିବେଚିତ ମଧ୍ୟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)