Advertisment

Rohit Sharma: କାହିଁକି ଦିନିକିଆ ଟିମର ଅଧିନାୟକତ୍ୱ ହରାଇଲେ ରୋହିତ ଶର୍ମା ?

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଯୁବ ବ୍ୟାଟର୍ ଶୁବମନ ଗିଲ୍ ହୋଇଛନ୍ତି ଭାରତୀୟ ଟିମର ନୂଆ ଅଧିନାୟକ । ଅଭିଜ୍ଞ ରୋହିତ ଶର୍ମା ଟିମରେ ଥିବା ସତ୍ତ୍ୱେ ତାଙ୍କ ଠାରୁ କାଢ଼ି ନିଆଯାଇଛି ଏହି ବଡ଼ ଦାୟିତ୍ୱ । ତେବେ କାହିଁକି ଅଧିନାୟକତ୍ୱ ହରାଇଲେ ରୋହିତ ? ଚୟନ କମିଟି ଓ ମୁଖ୍ୟ କୋଚଙ୍କ କ’ଣ ରହିଛି ଯୋଜନା?

rohit sharma

rohit sharma Photograph: (OTV)

Advertisment

ଟିମ୍ ଇଣ୍ଡିଆ ଏବେ ସୀମିତ ଓଭର୍ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି । ଏହି ଗସ୍ତର ସବୁଠାରୁ ବଡ଼ କଥା ହେଉଛି, ଅଭିଜ୍ଞ ରୋହିତ ଶର୍ମାଙ୍କ ଉପସ୍ଥିତି ସତ୍ତ୍ୱେ ପ୍ରଥମ ଥର ଭାରତୀୟ ଦିନିକିଆ ଟିମ୍ ଯୁବ ବ୍ୟାଟର୍ ଶୁବମନ ଗିଲଙ୍କ ନେତୃତ୍ୱରେ ଖେଳିବ ।ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଟିମ୍ ଘୋଷଣା ହେବା ପୂର୍ବ ଯାଏଁ ରୋହିତ ହିଁ ଦିନିକିଆ ଟିମର ଅଧିନାୟକ ଥିଲେ । ଚଳିତ ବର୍ଷର ଆଦ୍ୟଭାଗରେ ତାଙ୍କ ନେତୃତ୍ୱରେ ଭାରତ ୧୨ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି (୫୦-ଓଭର୍ ଫର୍ମାଟ୍) ଜିତିଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ଗିଲ୍ ଉପ-ଅଧିନାୟକ ଥିଲେ ।

Advertisment

ଏହା ପୂର୍ବରୁ ରୋହିତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ୍ ମୁକୁଟ ହାସଲ କରିଥିବା ବେଳେ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲା ।
ସୀମିତ ଓଭର୍ କ୍ରିକେଟ୍ରେ ଏତେ ଭଲ ଟ୍ରାକ୍ ରେକର୍ଡ ସତ୍ତ୍ୱେ ରୋହିତଙ୍କୁ ଟିମରେ ରଖାଯିବା ଅଥଚ ଅଧିନାୟକ କରା ନ ଯିବା ନିଷ୍ପତ୍ତିକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।  ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ତାଙ୍କ ଠାରୁ କାହିଁକି ଅଧିନାୟକତ୍ୱ କାଢ଼ି ନିଆଗଲା ? ଚୟନ କମିଟି ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ କ’ଣ ରହିଛି ଯୋଜନା?

ପ୍ରଥମ କାରଣ: ୨୦୨୭ ବିଶ୍ୱକପ୍ ଯୋଜନାରେ ଫିଟ୍ ହେଉ ନାହାନ୍ତି ‘ହିଟମ୍ୟାନ’

‘ହିଟମ୍ୟାନ୍’ ଭାବେ ଖ୍ୟାତ ରୋହିତ ଶର୍ମାକୁ ଏବେ ୩୮ ବର୍ଷ ବୟସ । ୨୦୨୭ ବିଶ୍ୱକପ୍ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଯିବଣି । ଏପରି ସ୍ଥଳେ ସେତେବେଳକୁ ସେ ଶାରୀରିକ ଓ ମାନସିକ ରୂପରେ ବିଶ୍ୱକପ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ଥିବେ କି ? ତାଙ୍କ ଭିତରେ କ’ଣ ନେତୃତ୍ୱ ନେବାର ଦକ୍ଷତା ଓ ରନ୍ ସଂଗ୍ରହର କ୍ଷୁଧା ବଳବତ୍ତର ଥିବ ? ସେହି ବୟସରେ ଫର୍ମ ତାଙ୍କ ସାଥ୍ ଦେବ ତ? ଭାରତର କ୍ରିକେଟ୍ ଇତିହାସ ଅନୁଯାୟୀ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ବଡ଼ କ୍ରିକେଟର୍ ୩୮ ବୟସ ଯାଏଁ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଖେଳିଥିଲେ ।

Advertisment

ବୟସ ଓ ଫିଟ୍ନେସ୍ ଦୃଷ୍ଟିରୁ ରୋହିତ ଭାରତର ୨୦୨୭ ବିଶ୍ୱକପ୍ ଯୋଜନାରେ ଫିଟ୍ ହେଉ ନାହାନ୍ତି । ତାଙ୍କ ଠାରୁ ଅଧିନାୟକତ୍ୱ କାଢ଼ି ନିଆଯିବାର ଏହା ମୁଖ୍ୟ କାରଣ । ଚୟନକାରୀମାନଙ୍କ ଏହି ନିଷ୍ପତ୍ତିରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ବିଚାର ବି ଯୋଡ଼ି ହୋଇ ରହିଛି । ଗମ୍ଭୀର ଏକ ଦୂରଦୃଷ୍ଟି ନେଇ ଆସିଛନ୍ତି, ଯିଏ ଭବିଷ୍ୟତର ଟିମ୍ ଗଢ଼ିବାକୁ ଚାହାନ୍ତି । ବରିଷ୍ଠ ଖେଳାଳି ତାଙ୍କ ‘ସ୍କିମ୍ ଅଫ୍ ଥିଙ୍ଗ୍ସ’ରେ ନାହାନ୍ତି ।

ଦ୍ୱିତୀୟ କାରଣ: ପୁରୁଣା ନୀତି ଆଡ଼କୁ ଫେରୁଛି ବିସିସିଆଇ

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ତା’ର ‘ସବୁ ଫର୍ମାଟରେ ଜଣେ ଅଧିନାୟକ’ ନୀତି ଆଡ଼କୁ ଫେରୁଛି । ମୁଖ୍ୟ ଚୟନକାରୀ ଅଜିତ ଅଗରକରଙ୍କ କହିବାନୁଯାୟୀ, ତିନି ଫର୍ମାଟ୍ ପାଇଁ ଅଲଗା ଅଲଗା ଅଧିନାୟକ ରଖାଯିବା ସମ୍ଭବ ନୁହେଁ । ଶୁବମନ ଗିଲ୍ଙ୍କୁ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଦିନିକିଆ ଟିମର ଅଧିନାୟକ ମନୋନୀତ କରାଯିବା ପୂର୍ବରୁ ତିନି ଫର୍ମାଟରେ ତିନି ଅଧିନାୟକ ଥିଲେ । ଗିଲ୍ ଟେଷ୍ଟ, ରୋହିତ ଶର୍ମା ଦିନିକିଆ ଓ ସୂର୍ଯ୍ୟକୁମାର ଯାଦବ ଟି-୨୦ ଆନ୍ତର୍ଜାତିକ ଟିମ୍ର ଅଧିନାୟକତ୍ୱ କରୁଥିଲେ ।

Advertisment

 ଗତ ବର୍ଷ ଭାରତର ଟି-୨୦ ବିଶ୍ୱକପ୍ ବିଜୟ ପରେ ରୋହିତ କ୍ଷୁଦ୍ରତମ ଫର୍ମାଟରୁ ଅବସର ନେଇଥିଲେ । ଏହାପରେ ସୂର୍ଯ୍ୟକୁମାରଙ୍କୁ ଟି-୨୦ ଟିମ୍ର ନୂଆ ଅଧିନାୟକ କରାଯାଇଥିଲା । ସେହିପରି ଚଳିତ ବର୍ଷ ଜୁନ୍-ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଆୟୋଜିତ ଟେଷ୍ଟ ସିରିଜ୍ ପୂର୍ବରୁ ରୋହିତ ପାରମ୍ପରିକ ଫର୍ମାଟ୍ ଛାଡ଼ିଥିଲେ । ଗିଲଙ୍କୁ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ସେ ଏବେ ଉଭୟ ଟେଷ୍ଟ ଓ ଦିନିକିଆ ଟିମର ଅଧିନାୟକ ଏବଂ ଟି-୨୦ ଟିମର ଉପ-ଅଧିନାୟକ ।

ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ଥିବା ବେଳେ ବିରାଟ କୋହଲିଙ୍କୁ ଟି-୨୦ ଅଧିନାୟକତ୍ୱ ନ ଛାଡ଼ିବାକୁ କହିଥିଲେ, କାରଣ ବୋର୍ଡ ଅଲଗା ଅଲଗା ଅଧିନାୟକ ଚାହୁଁ ନ ଥିଲା । ଏବେ ଗିଲଙ୍କ ଅଭ୍ୟୁଦୟ ପରେ ବୋର୍ଡ ପୁଣିଥରେ ‘ସବୁ ଫର୍ମାଟରେ ଜଣେ ଅଧିନାୟକ’ ନୀତି ଆଡ଼କୁ ଅଗ୍ରସର ହେଉଛି । ତେଣୁ ଆଗାମୀ ଦିନରେ ଗିଲ୍ ଯଦି ଟି-୨୦ ଟିମ୍ର ନେତୃତ୍ୱ ନିଅନ୍ତି, ତାହା ଆଶ୍ଚର୍ଯ୍ୟର ବିଷୟ ହେବ ନାହିଁ ।

ତୃତୀୟ କାରଣ: ଅଧିନାୟକ ଭାବେ ଗିଲଙ୍କୁ ପର୍ଯ୍ୟାପ୍ତ ସମୟ ଦେବାର ଲକ୍ଷ୍ୟ

ଦିନିକିଆ ବିଶ୍ୱକପକୁ ଏବେ ଦୁଇ ବର୍ଷ ବାକି ଅଛି । ଚୟନ କମିଟି ମୁଖ୍ୟ ଅଜିତ ଅଗରକରଙ୍କ ବିଚାରରେ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ଦେବାର ଏହା ପ୍ରକୃଷ୍ଟ ସମୟ । ମ୍ୟାନେଜ୍ମେଣ୍ଟ ଗିଲଙ୍କୁ ଦିନିକିଆ ଅଧିନାୟକ ଭାବରେ ପର୍ଯ୍ୟାପ୍ତ ସମୟ ଦେବାକୁ ଚାହେଁ, ଯାହା ଫଳରେ ସେ ଅଧିନାୟକତ୍ୱରେ ପରିପକ୍ୱତା ହାସଲ କରିପାରିବେ । ଏହାଛଡ଼ା ଏକ ମଜଭୁତ ଟିମ୍ ଗଢ଼ାଯିବା ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ମିଶି ବିଭିନ୍ନ ଦିଗ ଉପରେ ରଣକୌଶଳ ପ୍ରସ୍ତୁତ କରାଯାଇପାରିବ ।

ଏବେ ଯେତେବେଳେ ରୋହିତ ଶର୍ମା ୨୦୨୭ ବିଶ୍ୱକପ୍ ଯୋଜନାରେ ଫିଟ୍ ହେଉ ନାହାନ୍ତି, ବିସିସିଆଇ ତା’ର ‘ସବୁ ଫର୍ମାଟରେ ଜଣେ ଅଧିନାୟକ’ ନୀତିକୁ ଫେରିବାକୁ ଚାହୁଁଛି ଏବଂ ରୋହିତଙ୍କ ଉତ୍ତରାଧିକାରୀ ଦାବିଦାର ଭାବେ ଗିଲଙ୍କ ଅଭ୍ୟୁଦୟ ହୋଇସାରିଛି , ସେତେବେଳେ ଚୟନ କମିଟି ଭବିଷ୍ୟତକୁ ଦୃଷ୍ଟିରେ ରଖି ଜଣ ସୁଦକ୍ଷ ଯୁବ ଖେଳାଳିଙ୍କ ଉପରେ ନେତୃତ୍ୱ ଭାର ନ୍ୟସ୍ତ କରିବା ସେତେ ଅଯୌକ୍ତିକର ନୁହେଁ ।

ଚତୁର୍ଥ କାରଣ: ଘରୋଇ କ୍ରିକେଟ୍ ଖେଳୁ ନାହାନ୍ତି ରୋହିତ

୨୦୧୩ ପୂର୍ବ ଯାଏଁ ରୋହିତ ଶର୍ମା ନିୟମିତ ଭାବେ ଘରୋଇ କ୍ରିକେଟ୍ ଖେଳୁଥିଲେ, କିନ୍ତୁ ଏହା ପରଠାରୁ ତାଙ୍କ ଘରୋଇ ମ୍ୟାଚ୍ ସଂଖ୍ୟା କମିବାରେ ଲାଗିଲା । ସେ ୨୦୧୮ରେ ଶେଷ ଥର ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ମୁମ୍ବାଇ ପକ୍ଷରୁ ଲିଷ୍ଟ-ଏ ମ୍ୟାଚ୍ ଖେଳିଥିଲେ । ଏହା ପରଠାରୁ ସେ ଘରୋଇ କ୍ରିକେଟ୍ ଠାରୁ ଦୂରେଇ ରହିଛନ୍ତି । ଚୟନ କମିଟି ଏ କଥା ଉପରେ ଗୁରୁତ୍ୱାରୋପ କରିସାରିଛି ଯେ ଭାରତୀୟ ଟିମର ଅଂଶବିଶେଷ ହେବା ପାଇଁ ପ୍ରତି ଖେଳାଳିଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ହେବ ।  ତେବେ ରୋହିତ ଏ କଥାକୁ ଗୁରୁତ୍ୱ ଦେଇ ନାହାନ୍ତି ।

ଏହାଛଡ଼ା ରୋହିତ ଆନ୍ତର୍ଜାତିକ କ୍ରିକେଟରେ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି । ଚଳିତ ବର୍ଷ ଭାରତୀୟ ଟିମ୍ ଏ ଯାବତ ମାତ୍ର ଆଠ ଦିନିକିଆ ମ୍ୟାଚ୍ ଖେଳିଛି । ଏବେ ବିଶ୍ୱ ସ୍ତରରେ ଦିନିକିଆ ମ୍ୟାଚର ସଂଖ୍ୟା ହ୍ରାସ ପାଉଥିବା ବେଳେ ଟି-୨୦ ଓ ଟେଷ୍ଟ ମ୍ୟାଚର ସଂଖ୍ୟା ବଢ଼ୁଛି । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ଏ+ ଗ୍ରେଡ୍ରେ ସାମିଲ୍ ରୋହିତ ବର୍ଷ ତମାମ ନିଜ ମ୍ୟାଚ୍ ଫିଟନେସର ଆବଶ୍ୟକ ସ୍ତର ଓ ଫର୍ମକୁ କିପରି ବଜାୟ ରଖିପାରିବେ?

ଯଦି ରୋହିତ ଦିନିକିଆ ସହ ଟେଷ୍ଟ କି ଘରୋଇ କ୍ରିକେଟ୍ ଖେଳୁଥା’ନ୍ତେ, ତା’ହେଲେ ଏ ପ୍ରଶ୍ନ ଉଠୁ ନ ଥା’ନ୍ତା । ସମ୍ଭବତଃ ଅଧିନାୟକତ୍ୱ ବି ଥା’ନ୍ତା । ଘରୋଇ କ୍ରିକେଟ୍ ନ ଖେଳିବା ଓ କମ୍ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ପଞ୍ଚମ କାରଣ: ପ୍ରତିଭାଶାଳୀ ଯୁବ ଓପନର୍ମାନଙ୍କ ବର୍ଦ୍ଧିତ ଚାପ

୨୦୨୩ ଠାରୁ ରୋହିତ ନିଜ ବ୍ୟାଟିଂ ଶୈଳୀ ବଦଳାଇଥିଲେ । ସେ ଓପନିଂ କରି ଇନିଂସ୍ ସମ୍ଭାଳିବା ପରିବର୍ତ୍ତେ ବଡ଼ ସଟ୍ ଖେଳି ଟିମକୁ ଦ୍ରୁତ ଗତିରେ ଆଗେଇନେବା ଉପରେ ଫୋକସ୍ କରିଆସୁଛନ୍ତି । ଏକ ପରିସଂଖ୍ୟାନ ଅନୁଯାୟୀ, ଏହି କାରଣରୁ ସେବେଠାରୁ ଏ ଯାବତ ୨୨ ଇନିଂସରେ ତାଙ୍କ ସ୍କୋର୍ ୩୦ରୁ ୯୦ ମଧ୍ୟରେ ରହିଛି । ଏହି ଅବଧି ମଧ୍ୟରେ ସେ ତିନି ଶତକ ହାସଲ କରିଛନ୍ତି । ୨୫ରୁ ୨୧ ଇନିଂସରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୦ରୁ ଅଧିକ ରହିଛି ।

ଆଜିର କ୍ରିକେଟରେ ଆକ୍ରମଣାତ୍ମକ ପ୍ରଦର୍ଶନକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ରୋହିତ ଯେଉଁ ବ୍ୟାଟିଂ ଶୈଳୀ ଆପଣାଉଛନ୍ତି, ତାହା ହୁଏତ ପ୍ରାସଙ୍ଗିକ ହୋଇପାରେ; ହେଲେ ସେହି କାର୍ଯ୍ୟ କରିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ପାଖରେ ଯଶସ୍ୱୀ ଜୟସ୍ୱାଲ, ଅଭିଷେକ ଶର୍ମାଙ୍କ ଭଳି ଯୁବ ଓପନର୍ ଉପଲବ୍ଧ ଅଛନ୍ତି । ଯଶସ୍ୱୀଙ୍କୁ ତ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଟିମରେ ସାମିଲ୍ କରାଯାଇଛି । ଏହାର ଅର୍ଥ ସିରିଜରେ ରୋହିତ ଫର୍ମରେ ନ ଥିବା ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନରେ ଯଶସ୍ୱୀଙ୍କୁ ସୁଯୋଗ ଦିଆଯାଇପାରେ ।

ଯଶସ୍ୱୀ ଓ ଅଭିଷେକ ନିଜ ପ୍ରଦର୍ଶନ ଜରିଆରେ ଦିନିକିଆ ଟିମରେ ସ୍ଥାନ ପାଇବା ଲାଗି ଚୟନ କମିଟି ଉପରେ ଚାପ ପକାଉଛନ୍ତି । ଉଭୟ ଆଗାମୀ ଦିନରେ ରୋହିତଙ୍କ ସ୍ଥାନ ନେବା ପାଇଁ ଉପଯୁକ୍ତ ଦାବିଦାର । ରୋହିତଙ୍କ ଠାରୁ ଅଧିନାୟକତ୍ୱ କଢ଼ାଯିବା ପଛର ଏହା ବି ଏକ କାରଣ ହୋଇପାରେ, କାରଣ ଚୟନକାରୀମାନେ ଯଶସ୍ୱୀ ଓ ଅଭିଷେକଙ୍କ ଭଳି ପ୍ରତିଭାଙ୍କୁ ବେଶୀ ଅପେକ୍ଷା କରାଇବା ମୁଡରେ ନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ