/odishatv-khabar/media/post_attachments/uploadimage/library/16_9/16_9_0/vv_1626685650.jpg)
vv
କୋଲକାତା: ଭାରତୀୟ କ୍ରିକେଟ୍ ପାଇଁ ଆଜି ଐତିହାସିକ ଦିନ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ତା’ର ପ୍ରଥମ ଦିବାରାତ୍ର ତଥା ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ତଥା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ଏହି ମୁକାବିଲା ଯେ କେବଳ ଭାରତ ପାଇଁ ନୁହେଁ ବରଂ ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ। ଏହି ଐତିହାସିକ ମୁକାବିଲାର ପ୍ରତ୍ୟକ୍ଷଦର୍ଶୀ ସାଜିଛନ୍ତି ହଜାର ହଜାର ସଂଖ୍ୟକ ଦର୍ଶକ। ଘରୋଇ ଦର୍ଶକଙ୍କୁ ନିରାଶ ନକରି ଭାରତ ତା’ର ପ୍ରଥମ ପିଙ୍କ୍ ବଲ୍ ମ୍ୟାଚରେ କମାଲ୍ କରିଛି।
ପ୍ରଥମ ଦିବସରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ବାଂଲାଦେଶକୁ ପଛରେ ପକାଇଛି। ଈଶାନ୍ତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ପେସ୍ ବ୍ୟାଟେରୀ ଚମତ୍କାର ବୋଲିଂ କରି ପ୍ରଥମେ ବାଂଲାଦେଶକୁ ପ୍ରଥମ ଇନିଂସରେ ମାତ୍ର ୧୦୬ ରନରେ ସୀମିତ ରଖିଥିଲେ। ଏହା ପରେ କ୍ୟାପଟେନ୍ ବିରାଟ୍ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦିବସର ଖେଳ ଶେଷ ସୁଦ୍ଧା ୪୬ ଓଭରରେ ୩ ୱିକେଟ୍ ହରାଇ ୧୭୪ ରନ୍ କରିଛି । ଫଳରେ ଭାରତ ୭ ୱିକେଟ୍ ବାକି ଥାଇ ୬୮ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କୋହଲି ୬୯ (୯୩ ବଲ୍, ୮ ଚୌକା) ଓ ଆଜିଙ୍କ୍ୟ ରାହାଣେ ୨୩ (୨୨ ବଲ୍, ୩ ଚୌକା) ରନ୍ କରି ଅପରାଜିତ ରହିଛନ୍ତି।
ଟିମ୍ ଇଣ୍ଡିଆର ଦୁଇ ଓପ୍ନର ମୟଙ୍କ ଅଗ୍ରୱାଲ୍ ଓ ରୋହିତ୍ ଶର୍ମା ନିରାଶ କରିଛନ୍ତି। ଇନ୍ଦୋରରେ ଦ୍ୱିଶତକୀୟ ଇନିଂସ୍ ଖେଳିଥିବା ମୟଙ୍କ ମାତ୍ର ୧୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ରୋହିତ୍ ମଧ୍ୟ କ୍ରିଜରେ ବେଶୀ ସମୟ ତିଷ୍ଠିପାରି ନଥିଲେ। ସେ ବ୍ୟକ୍ତିଗତ ୨୧ ରନ୍ କରି ଇବାଦତ୍ ହୁସେନଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ଅଭିଜ୍ଞ ପୂଜାରା ଓ କୋହଲି ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଅର୍ଦ୍ଧଶତକ ମାରିବା ସହ ତୃତୀୟ ୱିକେଟ୍ ପାଇଁ ୯୪ ରନର ଭାଗୀଦାରୀ କରିଥିଲେ। ପୂଜାରା ୫୫ (୧୦୫ ବଲ୍, ୮ ଚୌକା) ରନ୍ କରି ଇବାଦତଙ୍କ ଶିକାରୀ ହୋଇ୍ଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଭାଇସ୍ କ୍ୟାପଟେନ୍ ରାହାଣେ ସକାରାତ୍ମକ ବ୍ୟାଟିଂ କରି କୋହଲିଙ୍କୁ ଭରପୂର ସାଥ୍ ଦେଇଛନ୍ତି। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୩୭ ରନ୍ ଯୋଡ଼ିଛନ୍ତି। ବାଂଲାଦେଶ ପକ୍ଷରୁ ଇବାଦତ୍ ୨ଟି ଓ ଅଲ୍-ଆମିନ୍ ହୁସେନ୍ ଗୋଟିଏ ୱିକେଟ୍ ନେଇଛନ୍ତି।
ଏହା ପୂର୍ବରୁ ବାଂଲାଦେଶ ପାଇଁ ଟସ୍ ଜିତି ବ୍ୟାଟିଂ ନେବା ମହଙ୍ଗା ପଡ଼ିଥିଲା। ବାଂଲାଦେଶ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଯଥା ଶାଦମାଦ୍ ଇସଲାମ୍ (୨୯), ଲିଟନ୍ ଦାସ (୨୪) ଓ ନୟିମ୍ ହାସନ୍ (୧୯) ଦୁଇଅଙ୍କ ଛୁଇଁଥିବା ବେଳେ ବାକି ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ତେବେ ଭାରତୀୟ ପେସ୍ ବୋଲରମାନେ ପିଙ୍କ୍ ବଲର ଭରପୂର ଫାଇଦା ଉଠାଇଛନ୍ତି ଏବଂ ଭ୍ରମଣକାରୀ ଦଳର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ବେଶୀ ସମୟ ତିଷ୍ଠିବାକୁ ଦେଇନଥିଲେ। ଭାରତର ସଫଳ ବୋଲର ଭାବେ ଈଶାନ୍ତ ଶର୍ମା ୨୨ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଘରୋଇ ବୋଲର ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିଲେ।
ପ୍ରଥମ ୬ ଓଭରରେ ଦୁଇ ଓପ୍ନର ଶାଦମାନ୍ ଓ ଇମରୁଲ୍ କାୟେସ୍ (୪) ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କିନ୍ତୁ ବର୍ତ୍ତମାନ ଭାରତର ସବୁଠାରୁ ସଫଳ ପେସ୍ ବୋଲର ଈଶାନ୍ତ ଏହି ଯୋଡ଼ିକୁ ବେଶୀ ସମୟ ତିଷ୍ଠିବାକୁ ଦେଇନଥିଲେ। ଈଶାନ୍ତ କାୟେସଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରି ଭାରତ ପାଇଁ ପିଙ୍କ୍ ବଲରେ ପ୍ରଥମ ସଫଳତା ହାସଲ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବେଳେ କ୍ୟାପଟେନ୍ ମୋମିନୁଲ୍ ହକ୍ (୦) ଓ ମହମ୍ମଦ ମିଥୁନ୍ (୦)ଙ୍କୁ ଉମେଶ ଗୋଟିଏ ଓଭର ଭିତରେ ଆଉଟ୍ ଆଉଟ୍ ବାଂଲାଦେଶକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।
ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମୁଶଫିକର୍ ରହିମ୍ (୦)ଙ୍କୁ ପୁଣିଥରେ ଶାମି ନିଜର ଶିକାର ବନାଇଥିଲେ। ଭଲ ଖେଳିଆସୁଥିବା ଶାଦମାନଙ୍କୁ ଆଉଟ୍ କରି ଉମେଶ ଭ୍ରମଣକାରୀ ଦଳର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ଫେରିଥିଲେ। ମହମ୍ମଦୁଲ୍ଲାଙ୍କ ଖରାପ ଫର୍ମ ଏଠାରେ ମଧ୍ୟ ଜାରି ରହିଥିଲା । ସେ ବ୍ୟକ୍ତିଗତ ୬ ରନ୍ କରି ଈଶାନ୍ତଙ୍କ ବଲରେ ଋଦ୍ଧିମାନ୍ ସାହାଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଲିଟନ୍ ଦାସ ନିଜର ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରି ଟିମ୍ ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଇନିଂସର ୨୨ତମ ଓଭରରେ ଲିଟନ୍ ଦାସ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିବା ପରେ ବାଂଲାଦେଶ ଟିମ୍ ଭୁଶୁଡ଼ି ଯାଇଥିଲା। ଆହତ ଯୋଗୁ ସେ ମ୍ୟାଚରୁ ଆଉଟ୍ ହେଇଥିବା ବେଳେ ତାଙ୍କ ସ୍ଥାନରେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ମେହିଦୀ ହାସନ୍ ମିରାଜଙ୍କୁ ସାମିଲ୍ କରାଯାଇଥିଲା। ଶେଷଭାଗରେ ଇବାଦତ୍ ହୁସେନ୍ (୧), ମେହିଦୀ (୮) ଓ ଆବୁ ଜାୟେଦ୍ (୦) ଦୁଇଅଙ୍କ ଛୁଇଁପାରିନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)