/odishatv-khabar/media/post_attachments/uploadimage/library/16_9/16_9_0/56000_1626693421.jpg)
56000
ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏବେ ଟିମ୍ ଇଣ୍ଡିଆ ୧୧ ପଏଣ୍ଟ ହାସଲ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସେମିଫାଇନାଲ୍ ନିକଟତର ହୋଇଛି।
ଏହି ମ୍ୟାଚରେ କ୍ୟାପଟେନ୍ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୮ ରନ୍ କରିଥିଲା। ଭାରତ ପକ୍ଷରୁ କୋହଲି ସର୍ବାଧିକ ୭୨ (୮୨ ବଲ୍, ୮ ଚୌକା) ରନ୍ କରିଥିଲେ। ଜବାବରେ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ୱେଷ୍ଟଇଣ୍ଡିଜ୍ ୩୪.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୩ ରନ୍ କରିବାକୁ ସକ୍ଷମ ହୋଇଛି।
ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଅଧିନାୟକ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ ଭଲ ଆରମ୍ଭ କରିଥିଲେ। ରୋହିତ୍ ଭଲ ଖେଳିଆସୁଥିବା ବେଳେ ତାଙ୍କୁ କେଚାର ରୋଚ୍ ପ୍ୟାଭିଲିୟନ୍ ପଠାଇଥିଲେ। ରୋହିତ୍ ୨୩ ବଲରେ ୧ ଚୌକା ଓ ୧ ଛକା ସହ ୧୮ ରନ୍ କରିଥିଲେ।
ଏହା ପରେ ରାହୁଲଙ୍କୁ ଭଲ ସାଥ୍ ଦେଇଥିଲେ ବିରାଟ୍। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ିଥିଲେ। ରାହୁଲ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଜେସନ୍ ହୋଲ୍ଡର କ୍ଲିନ୍ ବୋଲ୍ଡ କରିଥିଲେ। ରାହୁଲ୍ ୬୪ ବଲରେ ୬ ଚୌକା ସହ ୪୮ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିଜୟ ଶଙ୍କର କ୍ରମାଗତ ଦ୍ୱିତୀୟଥର ପାଇଁ ନିରାଶ କରିଥିଲେ। ସେ ଦୁଇଟି ଆକର୍ଷଣୀୟ ଚୌକା ମାରି ଭଲ ଷ୍ଟାର୍ଟ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ।
ଶଙ୍କର (୧୪)ଙ୍କୁ ରୋଚ୍ ୱିକେଟକିପର ଶାଇ ହୋପଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ। ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଅର୍ଦ୍ଧଶତକ ମାରିଥିବା କେଦାର ଯାଦବଙ୍କ ବ୍ୟାଟ୍ ମଧ୍ୟ ଚାଲିନଥିଲା। କେଦାର ୭ ରନ୍ କରି ରୋଚଙ୍କ ଶିକାର ହୋଇଥିଲେ। ଭଲ ଟଚରେ ଥିବା ବିରାଟ ଦମଦାର ବ୍ୟାଟିଂ କରି ନିଜର ୫୩ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ମହେନ୍ଦ୍ର ସିଂହ ଧୋନି ଭଲ ସହଯୋଗ କରିଥିଲେ। ତେବେ ଧୋନି ପୁଣିଥରେ ଧିମା ବ୍ୟାଟିଂ କରି କୋହଲିଙ୍କ ଉପରେ ଚାପ ପକାଇଥିଲେ। ଯଦ୍ଦ୍ୱାରା କୋହଲି ବଡ଼ ଶଟ୍ ଖେଳିବାକୁ ଯାଇ ନିଜ ୱିକେଟ୍ ହରାଇ ବସିଥିଲେ। ଭାରତର ସ୍କୋର ୧୮୦ ଥିବା ବେଳେ କୋହଲିଙ୍କୁ ହୋଲ୍ଡର ଆଉଟ୍ କରି ଇଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ।
ଏହା ପରେ ହାର୍ଦ୍ଦିକ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୨୫୦ ରନ୍ ଅତିକ୍ରମ କରାଇଥିଲେ। ଧୋନି ଓ ହାର୍ଦ୍ଦିକ ଷଷ୍ଠ ୱିକେଟ୍ ପାଇଁ ୭୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ପାଣ୍ଡ୍ୟା ଦମଦାର ବ୍ୟାଟିଂ କରି ୪୬ (୩୮ ବଲ୍, ୫ ଚୌକା) ରନର ଦ୍ରୁତ ଇନିଂସ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ। ଧୋନି ଶେଷଭାଗରେ ଦ୍ରୁତ ରନ୍ କରିଥିଲେ, ଯାହା ଫଳରେ ଭାରତ ୨୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଧୋନି ୬୧ ବଲରେ ୩ ଚୌକା ଓ ୨ ଛକା ସହ ୫୬ ରନ୍ କରି ଅପରାଜିତ ଥିଲେ। ଇଣ୍ଡିଜ୍ ପକ୍ଷରୁ ରୋଚ୍ ୩୬ ରନ୍ ଦେଇ ୩ଟି, ହୋଲ୍ଡର୍ ଓ ଶେଲଡନ୍ କଟ୍ଟରେଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।
୨୬୯ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ (୬)ଙ୍କୁ ମହମ୍ମଦ ଶାମି ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ଶାମିଙ୍କ ଶଟ୍ ପିଚ୍ ବଲକୁ ମାରିବାକୁ ଯାଇ ଗେଲ୍ ଲଙ୍ଗ୍ ଅନରେ କେଦାର ଯାଦବଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶାଇ ହୋପ୍ (୫) ମଧ୍ୟ ନିରାଶ କରିଥିଲେ। ତାଙ୍କୁ ମହମ୍ମଦ ଶାମି ନିଜର ଚମତ୍କାର ଇନ୍ ସୁଇଙ୍ଗ୍ ଦ୍ୱାରା କ୍ଲିନ୍ ବୋଲ୍ଡ କରିଥିଲେ।
ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ବିଶ୍ୱକପ୍ ଟିମରେ ସାମିଲ୍ ହୋଇଥିବା ସୁନୀଲ ଅମ୍ବ୍ରିସ୍ ଏବଂ ନିକୋଲାସ ପୁରାନ୍ ଭଲ ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୫୫ ରନର ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିଲେ। ଦୁହେଁ ସେଟ୍ ହୋଇ ଭଲ ଖେଳିଆସୁଥିଲେ, କିନ୍ତୁ ଏହି ଯୋଡ଼ିକୁ ହାର୍ଦ୍ଦିକ ପାଣ୍ଡ୍ୟା ଭାଙ୍ଗିବାରେ ସଫଳ ହୋଇଥିଲେ। ଅମ୍ବ୍ରିସ୍ ୩୧ (୪୦ ବଲ୍, ୨ ଚୌକା) ରନ୍ କରି ପାଣ୍ଡ୍ୟାଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ପରେ ପରେ ପୁରାନ୍ (୨୮)ଙ୍କୁ କୁଲଦୀପ ଯାଦବ ନିଜର ଶିକାର ବନାଇଥିଲେ।
ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ହୋଲ୍ଡର୍ (୬) ମଧ୍ୟ ନିରାଶ କରି ଚହଲଙ୍କ ଶିକାର ହୋଇଥିଲେ। ଏଥିସହ ୱେଷ୍ଟଇଣ୍ଡିଜର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇ ଭାରତ ମ୍ୟାଚକୁ ନିଜ କବଜାରେ କରିଥିଲା। ଭାରତର ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍ରା ୨୭ତମ ଓଭରର ପ୍ରଥମ ଦୁଇଟି ବଲରେ ଯଥାକ୍ରମେ କାର୍ଲସ୍ ବ୍ରାଥୱେଟ୍ (୬) ଓ ଫାବିଆନ୍ ଆଲେନ୍ (୦)ଙ୍କୁ ଆଉଟ୍ କରି ଲଗାତାର ଦୁଇଟି ସଫଳତା ଅର୍ଜନ କରିଥିଲେ।
ବୁମ୍ରାଙ୍କ ପାଖରେ ହ୍ୟାଟ୍ରିକ୍ ନେବାର ସୁଯୋଗ ରହିଥିଲେ, ସେ ଏହାକୁ ହାସଲ କରିପାରିନଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କଠାରୁ ସହଯୋଗ ନପାଇ ଶିମରନ୍ ହେଟମେୟର୍ ହତାଶ ହୋଇ ନିଜ ୱିକେଟ୍ ଦେଇ ବସିଥିଲେ। ସେ ମାତ୍ର ୧୮ ରନ୍ କରି ଶାମିଙ୍କ ଶିକାର ହୋଇଥିଲେ। ଏହା ପରେ ଭାରତର ବିଜୟ କେବଳ ଔପଚାରିକତା ରହିଯାଇଥିଲା। କଟ୍ଟରେଲ୍ ୧୦ ରନ୍ କରି ଚହଲଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିବା ବେଳେ ଅନ୍ତିମ ୱିକେଟ୍ ଭାବେ ଓଶାନି ଟମାସ (୬)ଙ୍କୁ ଶାମି ଆଉଟ୍ କରିଥିଲେ। ଏଥିସହ ଇଣ୍ଡିଜ୍ ଇନିଂସ୍ ୧୪୩ ରନରେ ସୀମିତ ରହିଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଶାମି ୧୬ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ପାଣ୍ଡ୍ୟା ଓ କୁଲଦୀପ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)