ipl2021
ନୂଆଦିଲ୍ଲୀ: ପୁଣି ଥରେ ବିସିସିଆଇ ପାଇଁ ସଙ୍କଟମୋଚକ ସାଜିଲା ୟୁଏଇ । ବିସିସିଆଇ ଏବେ ୟୁଏଇରେ ଆଇପିଏଲ୍ ୨୦୨୧ ତଥା ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । କରୋନା କାରଣରୁ ଚଳିତଥର ୨୯ଟି ମ୍ୟାଚ୍ ପରେ ଭାରତରେ ଖେଳାଯାଉଥିବା ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ଏବେ ଅବଶିଷ୍ଟ ୩୧ଟି ମ୍ୟାଚ୍ ସେପ୍ଟେମ୍ବର ୧୯ କିମ୍ବା ୨୦ ରୁ ୟୁଏଇରେ ଆରମ୍ଭ ହୋଇପାରେ । ଶନିବାର ବିସିସିଆଇର ଭର୍ଚୁଆଲ୍ ସ୍ପେସାଲ ଜେନେରାଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତୁତ ହେଉଛି ।
ତେବେ ଫାଇନାଲ ମ୍ୟାଚ୍ ୟୁଏଇରେ ୧୦ ଅକ୍ଟୋବରରେ ଖେଳାଯିବ ବୋଲି ପୂର୍ବରୁ ସ୍ଥିର ହୋଇସାରିଛି । ସବୁଠାରୁ ବଡ଼ କଥା ହେଲା ଏଥର ତୃତୀୟ ଥର ପାଇଁ ୟୁଏଇ ଆଇପିଏଲ୍ ଆୟୋଜନ କରିବ । କରୋନା କାରଣରୁ ଆଇପିଏଲର ୧୩ତମ ସଂସ୍କରଣ ସମ୍ପୂର୍ଣ୍ଣ ଭାବେ ୟୁଏଇରେ ଖେଳାଯାଇଥିଲା । ତେବେ ଇତିହାସରେ ଏହା ଦ୍ୱିତୀୟ ଥର ହେବ । ଯେତେବେଳେ ୟୁଏଇ ବିସିସିଆଇର ଡଙ୍ଗାକୁ ମଝି ସମୁଦ୍ରରୁ ଟାଣି ଉଦ୍ଧାର କରୁଛି ଏବଂ ଆଇପିଏଲ ଆୟୋଜନକୁ ସମ୍ପୂର୍ଣ୍ଣ କରବାକୁ ଯାଉଛି ।
ନିର୍ବାଚନ ପାଇଁ ୟୁଏଇରେ ମ୍ୟାଚ୍
ଏହାପୂର୍ବରୁ ୨୦୧୪ରେ, ୟୁଏଇରେ ଆଇପିଏଲର ପ୍ରଥମ ୨୦ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହା ପରେ ସିଜନର ଅବଶିଷ୍ଟ ମ୍ୟାଚ୍ ଭାରତରେ ଖେଳାଯାଇଥିଲା । ୨୦୧୪ ରେ, ଆଇପିଏଲର ସପ୍ତମ ସିଜନ୍ ଖେଳାଯାଇଥିଲା । ସେହି ସମୟରେ ଦେଶରେ ସାଧାରଣ ନିର୍ବାଚନ ଚାଲିଥିଲା । ତେଣୁ ଏଭଳି ପରିସ୍ଥିତିରେ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ଲିଗ୍ ମ୍ୟାଚ ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ମନା କରିଥିଲେ । ଯାହାଫଳରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ୨୦ଟି ମ୍ୟାଚ୍ ଆବୁଧାବି, ଦୁବାଇ ଏବଂ ଶାରଜାହଠାରେ ଖେଳାଯାଇଥିଲା । ଏହାପରେ ଅବଶିଷ୍ଟ ମ୍ୟାଚ ଭାରତରେ ଅନୁଷ୍ଠିତ ହୋଇଥିଲା ।
କରୋନା କାରଣରୁ ସ୍ଥଗିତ ରଖିବାକୁ ପଡିଥିଲା
ଆଇପିଏଲର ୧୪ ତମ ସିଜନର ପ୍ରାରମ୍ଭିକ ୨୯ଟି ମ୍ୟାଚ୍ ଭାରତରେ ଖେଳାଯାଇଥିଲା ଏବଂ ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଖେଳାଯିବ । ବାସ୍ତବରେ, ଏହି ସିଜିନରେ କଡ଼ା ବାୟୋ ବବଲ ସତ୍ତ୍ୱେ କିଛି ଖେଳାଳି କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଫଳରେ ବିସିସିଆଇ ପକ୍ଷରୁ ଆଇପିଏଲକୁ ୨୯ଟି ମ୍ୟାଚ ପରେ ସ୍ଥଗିତ ରଖା ଯାଇଥିଲା । କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ କରୋନା ଅନେକ ଖାଳାଳି ଓ ସପୋର୍ଟ ଷ୍ଟାଫ୍ ଅଧିକ ପ୍ରଭାବିତ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ipl2021_1622304487.jpg)