ଲକ୍ଷ୍ମୀ ନାରାୟଣ ବ୍ରତ Photograph: (OTV)
ହିନ୍ଦୁ ଧର୍ମରେ ବ୍ରତ ଓ ଉପବାସର ଏକ ବିଶେଷ ମହତ୍ତ୍ୱ ରହିଛି। ଓଡ଼ିଆ ପର୍ବପର୍ବାଣୀ (Odia Parba Parbani) ମଧ୍ୟରେ ଦେବୀ ଲକ୍ଷ୍ମୀ ଓ ଭଗବାନ ନାରାୟଣଙ୍କ ପାଇଁ ପାଳନ ହେଉଥିବା ବ୍ରତ ଉପବାସର ବିଶେଷ ମହତ୍ତ୍ୱ ରହିଛି। ଧନ, ଜନ ତଥା ସୁଖ ଐଶ୍ୱର୍ଯ୍ୟର ଦେବୀ ହେଉଛନ୍ତି ମାଆ ଲକ୍ଷ୍ମୀ। ମାଙ୍କ ଆରାଧନା ପାଇଁ ପ୍ରତି ଓଡ଼ିଆ ଘରେ ବିଭିନ୍ନ ସମୟରେ ଓଷାବ୍ରତ ପାଳନ ହୁଏ। ସୌଭାଗ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ଭାବେ ମାଆ ଲକ୍ଷ୍ମୀଙ୍କୁ ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଭାବେ ପୂଜା କରାଯାଏ। ଓଡ଼ିଶାରେ ମାଆ ଲକ୍ଷ୍ମୀଙ୍କୁ ସୁଦଶା ବ୍ରତ ଓ ମାର୍ଗଶୀର ମାସ ଗୁରୁବାରରେ ବିଶେଷ ଆରାଧନା କରାଯାଏ। ସେମିତି, ପ୍ରଭୁ ନାରାୟଣଙ୍କ ପାଇଁ ବିଭିନ୍ନ ଓଷା ବ୍ରତ ସାଙ୍ଗକୁ ପ୍ରତି ମାସର ଏକାଦଶୀ ବ୍ରତର ମହିମା ଉଲ୍ଲେଖନୀୟ। ଏହିସବୁ ବ୍ରତମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ ବ୍ରତ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ବ୍ରତ ବିଶେଷକରି ଓଡ଼ିଶା ଏବଂ ଅନ୍ୟାନ୍ୟ ପୂର୍ବ ଭାରତୀୟ ରାଜ୍ୟମାନଙ୍କରେ ପ୍ରଚଳିତ। ଏହି ବ୍ରତ ମାଧ୍ୟମରେ ଧାର୍ମିକ ମହତ୍ତ୍ୱ ପ୍ରତିପାଦନ ସାଙ୍ଗକୁ ପରିବାରର ସୁଖ ଶାନ୍ତି ଏବଂ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ କାମନା କରାଯାଏ। ଏହି ବ୍ରତର ପାଳନ ଦ୍ୱାରା ଭକ୍ତମାନେ ଧନ-ଧାନ୍ୟ, ପୁତ୍ର-ପୌତ୍ର ଏବଂ ପୁଣ୍ୟ ପ୍ରାପ୍ତି କରନ୍ତି ବୋଲି ବିଶ୍ୱାସ ରହିଛି।
ବ୍ରତର ଆରମ୍ଭର କାହାଣୀ
ଦିନେ ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରେ ଆସି ଦେବର୍ଷି ନାରଦ ପହଞ୍ଚିଲେ। ଯୁଧିଷ୍ଠିର ତାଙ୍କୁ ଆଦର ସତ୍କାର କରି ଆସନ ଦେବା ପରେ ପଚାରିଲେ- ହେ ଦେବର୍ଷି ! ଆପଣ ତ ସକଳ ଜ୍ଞାନର ଅଧିକାରୀ, ତେବେ ଦୟାକରି କୁହନ୍ତୁ ଯେ, କେଉଁ ବ୍ରତ କଲେ ଲୋକ ଧନଧାନ୍ୟ, ପୁତ୍ର, ସୁଖ, ଐଶ୍ୱର୍ଯ୍ୟ, ରାଜବିଭବ ଓ ଗୋ-ମହିଷାଦି ପଶୁ ସଂପଦ ପ୍ରାପ୍ତ ହୁଏ ଏବଂ ମୃତ୍ୟୁ ପରେ ପୁଣ୍ୟବନ୍ତ ଭାବରେ ବୈକୁଣ୍ଠ ଲାଭ କରେ?
ଯୁଧିଷ୍ଠିରଙ୍କର ଏ ପ୍ରଶ୍ନର ଉତ୍ତରରେ ଦେବର୍ଷି ନାରଦ କହିଲେ- ହେ ମହାରାଜା ! ଲକ୍ଷ୍ମୀନାରାୟଣ ବ୍ରତ କଲେ ଏ ସମସ୍ତ କାମନା ପୂରଣ ହୁଏ। ଆପଣଙ୍କ ପୂର୍ବରୁ ଅସୁରଙ୍କ ଦ୍ଵାରା ପୀଡ଼ିତ ହୋଇ ଦେବରାଜ ଇନ୍ଦ୍ର ଏହି ପ୍ରଶ୍ନ ଦେବଗୁରୁ ବୃହସ୍ପତିଙ୍କୁ ପଚାରିଥିଲ। ଥରେ ସ୍ୱର୍ଗରେ ଦେବ-ଦାନବ ଯୁଦ୍ଧ ଲାଗିଲା। ରାଜା ଇନ୍ଦ୍ର ବାରମ୍ବାର ଅସୁର ମାନଙ୍କଠାରୁ ପରାଜିତ ହେଲେ। ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଲେ। ତେଣୁ ଦେବରାଜ ଦିନେ ବଡ଼ ଅସହାୟ ଓ ବିପନ୍ନ ଭାବରେ ଦେବଗୁରୁ ବୃହସ୍ପତିଙ୍କ ନିକଟରେ ପହଞ୍ଚିଲେ। ଏ ଯୁଦ୍ଧ ସମସ୍ୟାର ସମାଧାନ ପାଇଁ ଗୋଟିଏ ବ୍ରତ ଅନୁଷ୍ଠାନ କରିବାର ଇଚ୍ଛା ପ୍ରକାଶ କଲେ। କିନ୍ତୁ କେଉଁ ବ୍ରତ କଲେ ସୁଫଳ ମିଳିବ ତାହା ଜାଣି ନଥିଲେ। ଦେବଗୁରୁ ବୃହସ୍ପତି ତାଙ୍କୁ ବିଜୟ, ଅଚଳା ଲକ୍ଷ୍ମୀ ଓ ସୁଖପ୍ରଦ ଲକ୍ଷ୍ମୀନାରାୟଣ ବ୍ରତ କରିବା ଲାଗି ଉପଦେଶ ଦେଲେ। ଇନ୍ଦ୍ର ପୂର୍ବରୁ ଏହି ବ୍ରତ ବିଷୟରେ କିଛି ଜାଣି ନଥିଲେ। ଏଥିରେ କେଉଁ ଦେବତାଙ୍କୁ କେଉଁ ତିଥିରେ ପୂଜା କରାଯାଏ ବୋଲି ପଚାରିଲେ। ବୃହସ୍ପତି ଉତ୍ତର ଦେଇଥିଲେ- ମଧୁସୂଦନ ଅର୍ଥାତ୍ ସ୍ୱୟଂ ନାରାୟଣ କହିଛନ୍ତି, ଲକ୍ଷ୍ମୀନାରୟଣ ବ୍ରତ ହିଁ ବ୍ରତମାନଙ୍କ ମଧ୍ୟରେ ଶ୍ରେଷ୍ଠ।
ପାଳନ ବିଧି
କୌଣସି ମାସର ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ ଯେପରି ସୁଦଶାବ୍ରତ ହୁଏ, ସେହିପରି କୌଣସି ମାସର ଏକାଦଶୀ ତିଥ୍ ଗୁରୁବାରରେ ପଡ଼ିଲେ ଲକ୍ଷ୍ମୀନାରାୟଣ ବ୍ରତ ହୁଏ। ପ୍ରତ୍ୟେକ ଗୁରୁବାର ସୁନା ବା ରୂପାର ଲକ୍ଷ୍ମୀ-ନାରାୟଣ ମୂର୍ତ୍ତିର ପୂଜା କରାଯାଏ, କିନ୍ତୁ ଏକାଦଶୀ ଗୁରୁବାରରେ ଏହା ଅଧିକ ବିଧିପୂର୍ବକ ହୁଏ। ଏଥିରେ ଲକ୍ଷ୍ମୀ ନାରାୟଣଙ୍କର ସୁନା ବା ରୂପା ମୂର୍ତ୍ତି ଗଠନ କରି ତାଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଏ। ଅଷ୍ଟଦଳ ପଦ୍ମ ଅଙ୍କନ କରି ତା'ଉପରେ ଏହି ପ୍ରତିମା ସ୍ଥାପନା କରି ପଞ୍ଚ ଉପଚାରରେ ପୂଜା କରିବାକୁ ହୁଏ।
“ପଞ୍ଚ ଉପଚାରେ ଭକ୍ତିରେ ପୂଜିବ। ଦୁର୍ବାକ୍ଷତ ଦେଇ ପ୍ରାର୍ଥନା କରିବ ।।
ଦଶ ସୂତ୍ର ଦଶ ଗଣ୍ଠିଯୁକ୍ତ ଡୋର । କୁଙ୍କୁମେ ତାହାକୁ କରି ମନୋହର ।।
ବିଶୋଧ ସ୍ଵମନ୍ତ୍ରେ କରି ସମର୍ପଣ । ଏମନ୍ତେ ଗୃହସ୍ତେ କରିବ ବନ୍ଧନ ।।
ମୋଠାରେ ପ୍ରସନ୍ନ ହୁଅନ୍ତୁ ସନ୍ତତ। ପରମାନନ୍ଦ ଶ୍ରୀ ଲକ୍ଷ୍ମୀଙ୍କ ସହିତ ।।
ବ୍ରତକଥା ଶୁଣି କରିବ ପ୍ରଣାମ। ଲକ୍ଷ୍ମୀ ନାରାୟଣେ ହୋଇ ସ୍ଥିରମନ।।"
ଏହି ପୂଜାରେ "ଓଂ ଲକ୍ଷ୍ମୀନାରାୟଣାଭ୍ୟାଂ ନମଃ" ମନ୍ତ୍ର ଜପ କରାଯାଏ ଏବଂ ପଞ୍ଚୋପଚାର ପଦ୍ଧତି ବା ପାଞ୍ଚ ପ୍ରକାରର ଉପଚାର: ଧୂପ, ଦୀପ, ନୈବେଦ୍ୟ, ପୁଷ୍ପ ଏବଂ ଚନ୍ଦନ ଆଦିରେ ଉପାସନା କରାଯାଏ। ଏକ ଦଶ ଖିଆ ସୂତ୍ର ବା ଦଶ ଗଣ୍ଠିଯୁକ୍ତ ସୂତ୍ର ତିଆରି କରାଯାଏ, ଏହାକୁ ହଳଦୀରେ ରଙ୍ଗାଇ ମୂଳ ମନ୍ତ୍ର ଜପ କରି ଡାହାଣ ହାତରେ ବାନ୍ଧାଯାଏ। ଏହା ବ୍ରତରେ ସଂକଳ୍ପର ପ୍ରତୀକ ଅଟେ। ଏହି ବ୍ରତରେ ଉପବାସ କରି ସନ୍ଧ୍ୟା ସମୟରେ ଫଳାହାର କରାଯାଏ। ଏହି ବ୍ରତକୁ ଭକ୍ତି ଏବଂ ନିୟମର ସହିତ ପାଳନ କରାଗଲେ ଭକ୍ତର ମନୋକାମନା ପୂରଣ ହୁଏ।
ଲକ୍ଷ୍ମୀନାରାୟଣ ବ୍ରତ ହିନ୍ଦୁ ସଂସ୍କୃତିର ଏକ ଅଭିନ୍ନ ଅଂଶ ଅଟେ, ଯାହା ଭକ୍ତମାନଙ୍କୁ ଲୌକିକ ଏବଂ ଆଧ୍ୟାତ୍ମିକ ଉଭୟ ସ୍ତରରେ ଉନ୍ନତ କରେ। ଏହି ବ୍ରତ ପାଳନ ଦ୍ୱାରା କେବଳ ପରିବାରର ସମୃଦ୍ଧି ହୁଏ ତାହା ନୁହେଁ, ବରଂ ସମାଜକୁ ଧର୍ମ ପଥରେ ଚାଲିବାର ପ୍ରେରଣା ମିଳେ। ଆଧୁନିକ ଜୀବନରେ ମଧ୍ୟ ଏହି ପରମ୍ପରାକୁ ଜାରି ରଖିବା ଆବଶ୍ୟକ, ଯାହା ଆମର ସାଂସ୍କୃତିକ ଜୀବନଶୈଳୀକୁ ସଂରକ୍ଷଣ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/28/laxmi-narayan-brata-2026-01-28-19-45-57.jpg)