ଶ୍ରୀ ଚୈତନ୍ୟଙ୍କ ଜନ୍ମଦିନ Photograph: (OTV)
ଶ୍ରୀ ଚୈତନ୍ୟଙ୍କୁ ଉତ୍କଳର ବୈଷ୍ଣବମାନେ ମହାପ୍ରଭୁ ଆଖ୍ୟାରେ ଆଖ୍ୟାତ କରନ୍ତି ଏବଂ କୃଷ୍ଣଙ୍କର ଅବତାର ରୂପେ ଗ୍ରହଣ କରନ୍ତି। ଷଡ଼ଗୋସ୍ୱାମୀ ପ୍ରମୁଖ ବଙ୍ଗୀୟ ବୈଷ୍ଣବଗଣ ଚୈତନ୍ୟଙ୍କୁ ରାଧାକୃଷ୍ଣଙ୍କ ମିଳନତତ୍ତ୍ଵ ରୂପେ ଗ୍ରହଣ କରନ୍ତି। ଏହା ମଧ୍ୟ ଶୁଦ୍ଧା ଭକ୍ତିବାଦର ବୈଷ୍ଣବମାନଙ୍କ ମତ। ଭାରତୀୟ ଧର୍ମ ଓ ସଂସ୍କୃତିରେ ଅନେକ ମହାନ୍ ସନ୍ଥ ଓ ଭକ୍ତମାନଙ୍କର ଜନ୍ମ ଉତ୍ସବ ବିଶେଷ ମହତ୍ତ୍ୱ ରଖିଥାଏ। ସେମାନଙ୍କ ମଧ୍ୟରୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଣେ ଅନନ୍ୟ ବ୍ୟକ୍ତିତ୍ୱ। ତାଙ୍କର ଜନ୍ମ ଉତ୍ସବ, ଯାହାକୁ 'ଗୌର ପୂର୍ଣ୍ଣିମା' ବା 'ଶ୍ରୀ ଚୈତନ୍ୟ ଜୟନ୍ତୀ' ନାମରେ ଜଣାଯାଏ ଓ ବୈଷ୍ଣବ ସମ୍ପ୍ରଦାୟରେ ଏହା ଅତ୍ୟନ୍ତ ଆନନ୍ଦ ଓ ଭକ୍ତିଭାବରେ ପାଳନ କରାଯାଏ। ଏହି ଉତ୍ସବ କେବଳ ଏକ ଜନ୍ମଦିନ ନୁହେଁ, ବରଂ ଭକ୍ତି ଆନ୍ଦୋଳନର ଏକ ପ୍ରତୀକ ଯାହା ସମଗ୍ର ବିଶ୍ୱରେ ଭକ୍ତମାନଙ୍କୁ ପ୍ରେରଣା ଯୋଗାଏ। ଶ୍ରୀ ଚୈତନ୍ୟଙ୍କର ଜୀବନ ଓ ଶିକ୍ଷା ଆଧାରରେ ଏହି ଉତ୍ସବର ମହତ୍ତ୍ୱ ବୁଝାଯାଏ।
ଶ୍ରୀ ଚୈତନ୍ୟଙ୍କର ଜନ୍ମ
ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଜନ୍ମ ୧୪୮୬ ଖ୍ରୀଷ୍ଟାବ୍ଦରେ ବଙ୍ଗଳାର ନବଦ୍ୱୀପ (ବର୍ତ୍ତମାନର ପଶ୍ଚିମବଙ୍ଗର ନଦିଆ ଜିଲ୍ଲା)ରେ ହୋଇଥିଲା। ତାଙ୍କର ପ୍ରକୃତ ନାମ ଥିଲା ବିଶ୍ୱମ୍ଭର ମିଶ୍ର, କିନ୍ତୁ ଭକ୍ତମାନେ ତାଙ୍କୁ 'ଗୌରାଙ୍ଗ', ଗୌରହରି, ନିମାଇଁ, ମହାପ୍ରଭୁ ଏବଂ ସନ୍ୟାସ ନାମ ଶ୍ରୀକୃଷ୍ଣ ଚୈତନ୍ୟ ନାମରେ ଜାଣନ୍ତି। ଭାରତରେ ଭକ୍ତିବାଦର ଜଣାଶୁଣା ପ୍ରଚାରକ ଶ୍ରୀ ଚୈତନ୍ୟ ଦୋଳପୂର୍ଣ୍ଣମୀ ସଂଧ୍ୟା ଚନ୍ଦ୍ରଗ୍ରହଣ ସମୟରେ ହୋଇଥିଲା। ଇତିହାସ ଦୃଷ୍ଟିରୁ ତାଙ୍କ ପୂର୍ବ ପୁରୁଷ ଥିଲେ ଓଡ଼ିଆ। ଖୁବ ଅଳ୍ପ ବୟସରୁ ସେ କୃଷ୍ଣଙ୍କ ନାମ ସଙ୍କୀର୍ତ୍ତନ କରିବା ସହ ଭଜନ ଗାଇବା ଆରମ୍ଭ କରିଥିଲେ। ତାଙ୍କ ଦୀକ୍ଷାଗୁରୁ ଥିଲେ ଈଶ୍ୱର ପୁରୀ ଏବଂ ସନ୍ୟାସ ଗୁରୁଙ୍କ ନାମ କେଶବ ଭାରତୀ।
ବୈଷ୍ଣବ ଧର୍ମଗ୍ରନ୍ଥମାନଙ୍କ ଅନୁସାରେ, ଶ୍ରୀ ଚୈତନ୍ୟ ଭଗବାନ କୃଷ୍ଣଙ୍କର ଅବତାର ରୂପେ ବିବେଚିତ ହୁଅନ୍ତି। ତାଙ୍କର ଜନ୍ମ ସମୟରେ ଚନ୍ଦ୍ରଗ୍ରହଣ ହୋଇଥିଲା, ଯାହାକୁ ଭକ୍ତମାନେ ଏକ ଦିବ୍ୟ ଘଟଣା ରୂପେ ଦେଖନ୍ତି। ତାଙ୍କର ପିତା ଜଗନ୍ନାଥ ମିଶ୍ର ଓ ମାତା ଶଚୀ ଦେବୀ ଥିଲେ ଏକ ଧାର୍ମିକ ବ୍ରାହ୍ମଣ ପରିବାରର। ବାଲ୍ୟକାଳରୁ ହିଁ ଚୈତନ୍ୟ ଅସାଧାରଣ ବୁଦ୍ଧିମତ୍ତା ଓ ଭକ୍ତିର ପ୍ରତୀକ ଥିଲେ।ତାଙ୍କର ଜୀବନ ଭକ୍ତି ଆନ୍ଦୋଳନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲା। ସଂକୀର୍ତ୍ତନ ଓ ହରିନାମ ଜପ ମାଧ୍ୟମରେ ସେ ସମାଜରେ ଭକ୍ତିର ବୀଜ ବୁଣିଥିଲେ। ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ପ୍ରତିଷ୍ଠାତା ରୂପେ ତାଙ୍କର ଯୋଗଦାନ ଅବିସ୍ମରଣୀୟ। ଏହି ଜନ୍ମ ଉତ୍ସବ ତାଙ୍କର ଏହି ଆଧ୍ୟାତ୍ମିକ ଯାତ୍ରାର ସ୍ମରଣ କରାଏ।
ଜନ୍ମ ଉତ୍ସବର ମହତ୍ତ୍ୱ
ଶ୍ରୀ ଚୈତନ୍ୟଙ୍କ ଜନ୍ମ ଉତ୍ସବର ମହତ୍ତ୍ୱ କେବଳ ଧାର୍ମିକ ନୁହେଁ, ବରଂ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଭକ୍ତମାନେ ଶ୍ରୀ କୃଷ୍ଣଙ୍କର ଭକ୍ତିରେ ମଗ୍ନ ହୁଅନ୍ତି ଓ ଚୈତନ୍ୟଙ୍କର ଶିକ୍ଷାକୁ ସ୍ମରଣ କରନ୍ତି। ତାଙ୍କର ମୂଳ ଶିକ୍ଷା ଥିଲା 'ହରେ କୃଷ୍ଣ' ମହାମନ୍ତ୍ରର ଜପ, ଯାହା କଳିଯୁଗରେ ମୁକ୍ତିର ସରଳ ଉପାୟ ରୂପେ ବିବେଚିତ। ଏହି ଉତ୍ସବ ସମାନତା, ଭ୍ରାତୃତ୍ୱ ଓ ଭକ୍ତିର ବାର୍ତ୍ତା ପ୍ରଚାର କରେ। ଚୈତନ୍ୟ ମହାପ୍ରଭୁ ଜାତି-ବର୍ଣ୍ଣ ଭେଦଭାବ ବିନା ସମସ୍ତଙ୍କୁ ଭକ୍ତିର ପଥରେ ଆକୃଷ୍ଟ କରିଥିଲେ, ଯାହା ଆଜି ମଧ୍ୟ ପ୍ରାସଙ୍ଗିକ।ଏହି ଦିନରେ ଭକ୍ତମାନେ ଉପବାସ ରଖନ୍ତି ଓ ରାତ୍ରିରେ ଭକ୍ତିମୟ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ଏହା ହୋଲିର ଆନନ୍ଦ ସହିତ ଯୋଡ଼ି ହୋଇଥାଏ, ଯେଉଁଥିରେ ରଙ୍ଗ ଓ ଆନନ୍ଦର ସମନ୍ୱୟ ଦେଖାଯାଏ। ବିଶ୍ୱବ୍ୟାପୀ ଏହି ଉତ୍ସବ ବଡ଼ ଧୂମଧାମରେ ପାଳନ କରାଯାଏ।
ଉତ୍ସବର ପାଳନ
ଗୌର ପୂର୍ଣ୍ଣିମାରେ ଭକ୍ତମାନେ ପ୍ରାତଃକାଳରୁ ହିଁ ପ୍ରସ୍ତୁତି ଆରମ୍ଭ କରନ୍ତି। ମନ୍ଦିରମାନଙ୍କରେ ଶ୍ରୀ ଚୈତନ୍ୟଙ୍କର ମୂର୍ତ୍ତିକୁ ସ୍ନାନ କରାଯାଏ ଓ ଫୁଲ, ଚନ୍ଦନ ଓ ପ୍ରସାଦ ଅର୍ପଣ କରାଯାଏ। ସଂକୀର୍ତ୍ତନ ଓ ଭଜନ ମାଧ୍ୟମରେ ଭକ୍ତମାନେ ନାଚଗାନ କରନ୍ତି। ଚରଣାମୃତ ଓ ପ୍ରସାଦ ବଣ୍ଟନ ହୁଏ। ଅନେକ ସ୍ଥାନରେ ନଗର ସଂକୀର୍ତ୍ତନ ଯାତ୍ରା ପାଳନ ହୁଏ।
ଶ୍ରୀ ଚୈତନ୍ୟଙ୍କ ସନ୍ନ୍ୟାସୀ ଜୀବନ
କୃଷ୍ଣଙ୍କ ପରମ ଭକ୍ତ ଶ୍ରୀ ଚୈତନ୍ୟଙ୍କ ସନ୍ନ୍ୟାସୀ ଜୀବନ ପୃଷ୍ଠ ଭୂମିରେ ରହିଛି କିଛି ରୋଚକ ଘଟଣା ଓ କାହାଣୀ। କୁହାଯାଏ ଯେ ତାଙ୍କ ବଡ଼ ଭାଇ ବିଶ୍ୱରୂପ ସନ୍ୟାସ ହୋଇ ଯାଇଥିଲେ, ଏବଂ ନିମାଇଁ ପାଠ ପଢ଼ିବା ସମୟରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥଲା। ସେ ସନ୍ନ୍ୟାସ ଧର୍ମ ଗ୍ରହଣ କରିବାର ଛଅ ବର୍ଷ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ଅତିବାହିତ କରିଥିଲେ ଓ ଜୀବନର ଶେଷ ୨୪ବର୍ଷ ସେ ପୁରୀରେ ଅତିବାହିତ କରିଥିଲେ। ପୁରୀକୁ କେନ୍ଦ୍ର କରି ସେ ପୁରା ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରିଥିଲେ। ଚୈତନ୍ୟଙ୍କୁ ସଂକୀର୍ତ୍ତନର ପିତା ବୋଲି କୁହାଯାଏ। ଭାରତବର୍ଷର ବିଶିଷ୍ଟ ପଣ୍ଡିତମାନେ ତାଙ୍କ ପ୍ରଭାବରେ କୃଷ୍ଣ ଭକ୍ତ ହୋଇଥିଲେ। ସେ ବହୁ ଭକ୍ତଙ୍କୁ ବିଷ୍ଣୁଙ୍କର ବିଭିନ୍ନ ଅବତାର ରୂପେ ଦର୍ଶନ ଦେଇଛନ୍ତି। ଓଡ଼ିଶାରେ ସେ ଦେଖାଇଥିବା ଷଡ଼ଭୂଜ ଗୌରାଙ୍ଗ ମୂର୍ତ୍ତିି ଓ ତାଙ୍କ ଶ୍ରୀପାଦପଦ୍ମ ପୁରୀ ଶ୍ରୀମନ୍ଦିର ବେଢ଼ାରେ ପୂଜା ପାଉଛନ୍ତି।
ସେ ତାଙ୍କର ଶହ ଶହ ଗୌଡ଼ୀୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାଯ୍ୟରେ ନିଜର ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ। ଏହି ଧର୍ମର ମୂଳତତ୍ତ୍ୱ ହେଲା ପ୍ରେମ ଓ ଭଗବାନ କୃଷ୍ଣଙ୍କଠାରେ ଗଭୀର ଭକ୍ତି। ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ। ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ। ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା। ତତ୍କାଳୀନ ଶାସକଙ୍କ ବିରୋଧରେ ଆଇନ ଅମାନ୍ୟ କୃଷ୍ଣ ନାମ ସଂକୀର୍ତ୍ତନ ଆନ୍ଦୋଳନ କରି ଚାନ୍ଦକାଜୀଙ୍କୁ ସାଧୁ କରାଇ ଦେଇଥିଲେ। ଚୈତନ୍ୟ ଦେବ ବେଦ ଓ ଭାଗବତୋକ୍ତ ସାମ୍ୟବାଦର ପ୍ରବର୍ତ୍ତକ। ଜାତିଭେଦକୁ ସେ ଦୂର କରି ଯବନ ହରିଦାସ ଠାକୁରଙ୍କୁ ତାଙ୍କ ନାମ ଆନ୍ଦୋଳନର ଆଚାର୍ଯ୍ୟ କରାଇଥିଲେ। ରାମାନନ୍ଦ ରାୟଙ୍କଦ୍ୱାରା ଭକ୍ତି ତତ୍ତ୍ୱର ଶିକ୍ଷା ପ୍ରଚାର କରାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/03/birthday-of-sri-chaitanya-2026-03-03-19-40-31.jpg)