Advertisment

Mahabharat Story: କଳିଙ୍ଗ ସେନାଙ୍କ ଯୁଦ୍ଧ ଓ ଭୀମଙ୍କ ପରାକ୍ରମ କଥା

ମହାଭାରତ ଯୁଦ୍ଧରେ କିଏ ତୀର ମାରି ଶ୍ରୀକୃଷ୍ଣକୁ କ୍ଷତାକ୍ତ କରିଥିଲେ? କଳିଙ୍ଗ ରାଜା ଓ ତାଙ୍କ ସେନା କାହା ପକ୍ଷରେ ଯୁଦ୍ଧ ଲଢୁଥିଲେ? କଳିଙ୍ଗ ରାଜକୁମାରଙ୍କୁ କିଏ ହତ୍ୟା କଲେ? ଆଚାର୍ଯ୍ୟ ଦ୍ରୋଣ ଓ ଧୃଷ୍ଟଦ୍ୟୁମ୍ନଙ୍କ ଯୁଦ୍ଧର ଫଳାଫଳ କ'ଣ ହେଲା? ଏଇସବୁ କଥା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।

Mahabharat Story-143

ମହାଭାରତ କଥା-୧୪୩ Photograph: (OTV)

Advertisment

ମହାଭାରତ (Mahabharat Story) ଯୁଦ୍ଧର ଦ୍ୱିତୀୟ ଦିନରେ ଅନେକ ଘଟଣା ଘଟିଲା। ଭୀଷ୍ମ ପ୍ରବଳ ପରାକ୍ରମରେ ପାଣ୍ଡବ ସେନାଙ୍କୁ ହତ୍ୟା କରୁଥା'ନ୍ତି। ଅର୍ଜୁନ ଆସି ତାଙ୍କୁ ବାଧା ଦେଲେ। ଅର୍ଜୁନଙ୍କ ତୀର ଚାଳନାକୁ କୌରବ ବୀରମାନେ ସାମ୍ନା କରିପାରୁନଥା'ନ୍ତି। ଦୁର୍ଯ୍ୟୋଧନ ଆସି ଭୀଷ୍ମଙ୍କୁ କହିଲେ, "ପିତାମହ! ଏବେ ଅର୍ଜୁନଙ୍କୁ ବିନାଶ କରିବାର ଦାୟିତ୍ୱ ଆପଣଙ୍କର।" ଦୁର୍ଯ୍ୟୋଧନ ଭାବିନଥିଲେ ବିରାଟ ପୁତ୍ର ଉତ୍ତର ଓ ଶ୍ୱେତଙ୍କ ମୃତ୍ୟୁ ପରେ ଅର୍ଜୁନ ଏପରି ଭାବରେ ତାଙ୍କ ସେନାଙ୍କୁ ବିନାଶ କରିବେ।

ଭୀଷ୍ମ ଓ ଅର୍ଜୁନଙ୍କ ଭିତରେ ତୁମୁଳ ସମର ଚାଲିଥାଏ। ଏକ ଆରକୁ ବଳିଆର ଯୋଦ୍ଧା। କେହି ପଛକୁ ଘୁଞ୍ଚୁନଥା'ନ୍ତି କି ଆଗକୁ ବି ବଢି ପାରୁନଥା'ନ୍ତି। ଦୁହେଁ ଶ୍ରେଷ୍ଠ ଧନୁର୍ଦ୍ଧର ବୀର ଥିଲେ। ଭୀଷ୍ମ ଯେତେ ତୀର ମାରୁଥିଲେ ଅର୍ଜୁନ ସେସବୁକୁ ନିମିଷକରେ କାଟି ପକାଉଥିଲେ ଓ ଅର୍ଜୁନଙ୍କ ସମସ୍ତ ତୀରକୁ ଭୀଷ୍ମ ନଷ୍ଟ କରିଦେଉଥିଲେ। ହଠାତ୍ ଭୀଷ୍ମଙ୍କ ଧନୁରୁ ଏକା ସମୟରେ ତିନୋଟି ତୀର ଆସି ଅର୍ଜୁନଙ୍କ ରଥର ସାରଥି ସାଜିଥିବା ଶ୍ରୀକୃଷ୍ଣଙ୍କ ବକ୍ଷ ସ୍ଥଳକୁ ବିଦ୍ଧ କଲା। ଅର୍ଜୁନ ଦେଖିଲେ କୃଷ୍ଣ ରକ୍ତରଞ୍ଜିତ ହେଇ ଲାଲ ଫୁଲ ଫୁଟିଥିବା ପଳାସ ଗଛ ପରି ଦିଶୁଛନ୍ତି।

Advertisment

କୃଷ୍ଣଙ୍କ ଦେହରେ ଭୀଷ୍ମଙ୍କ ଶର ବିଦ୍ଧ ହେବା ଓ ସେଥିରୁ ରକ୍ତ ବହାରିବା ଦେଖି ଅର୍ଜୁନଙ୍କର କ୍ରୋଧର ସୀମା ରହିଲାନି। ସେ ଅତି ତୀବ୍ର ଗତିରେ ଭୀଷ୍ମଙ୍କ ଉଦ୍ଦେଶ୍ୟରେ ତୀର ବର୍ଷା କରିବାକୁ ଲାଗିଲେ। ଅର୍ଜୁନ ଏକା ସମୟରେ ଏତେ ତୀର ବର୍ଷା କଲେ ଯେ ଭୀଷ୍ମଙ୍କ ରଥ ସେ ତୀରମାନଙ୍କ ଭିତରେ ହଠାତ୍ ଅଦୃଶ୍ୟ ହୋଇଗଲା। ମୁହୂର୍ତ୍ତକରେ ପୁଣି ଭୀଷ୍ମ ସେ ସମସ୍ତ ତୀରକୁ ପ୍ରତିହତ କରି ଅର୍ଜୁନଙ୍କ ଦିଗରେ ଶହ ଶହ ତୀର ଚାଳନା କଲେ। ଅର୍ଜୁନଙ୍କ ଦ୍ୱାରା ଭୀଷ୍ମଙ୍କୁ ପରାଜିତ କରିବା ସହଜ ନଥିଲା। ଭୀଷ୍ମ ମଧ୍ୟ ଅର୍ଜୁନଙ୍କୁ ପରାଜିତ କରିପାରୁନଥା'ନ୍ତି କି ପାଣ୍ଡବ ସେନାଙ୍କ ଭିତରେ ପ୍ରବେଶ କରିପାରୁନଥା'ନ୍ତି।

ଭୀଷ୍ମ ଓ ଅର୍ଜୁନଙ୍କ ଭିତରେ ତୁମୁଳ ସମର ଚାଲିଥିବା ବେଳେ ଆଉ ଠାଏ ଆଚାର୍ଯ୍ୟ ଦ୍ରୋଣ ଓ ଧୃଷ୍ଟଦ୍ୟୁମ୍ନଙ୍କ ଭିତରେ ଘୋର ସମର ଆରମ୍ଭ ହେଲା। ଦ୍ରୋଣ ଓ ପାଞ୍ଚାଳ ନରେଶ ଦ୍ରୁପଦଙ୍କ ଭିତରେ ପୁରୁଣା ଶତ୍ରୁତା ଥିଲା। ତେଣୁ ଦ୍ରୁପଦ ନନ୍ଦନ ଧୃଷ୍ଟଦ୍ୟୁମ୍ନଙ୍କର ଦ୍ରୋଣଙ୍କ ଉପରେ ଓ ଦ୍ରୋଣଙ୍କର ଧୃଷ୍ଟଦ୍ୟୁମ୍ନଙ୍କ ଉପରେ ପୁରୁଣା ରାଗ ଥିଲା । ଧୃଷ୍ଟଦ୍ୟୁମ୍ନ ପ୍ରବଳ ପରାକ୍ରମରେ ଦ୍ରୋଣଙ୍କ ଉପରକୁ ଶର ବର୍ଷା କରୁଥା'ନ୍ତି ଓ ଦ୍ରୋଣ ସେ ସମସ୍ତ ଶରକୁ ଅତି ସହଜରେ ପ୍ରତିହତ କରୁଥା'ନ୍ତି। ଅନ୍ୟପକ୍ଷେ ଦ୍ରୋଣଙ୍କ ବାଣମାନଙ୍କୁ ବି ଧୃଷ୍ଟଦ୍ୟୁମ୍ନ ଅତି ସହଜରେ ନଷ୍ଟ କରି ପକାଉଥା'ନ୍ତି। କିଛି ସମୟ ପରେ ଦ୍ରୋଣ ବାଣ ମାରି ଧୃଷ୍ଟଦ୍ୟୁମ୍ନଙ୍କ ଧନୁକୁ ଭାଙ୍ଗି ପକାଇଲେ। ଧୃଷ୍ଟଦ୍ୟୁମ୍ନ ପରମ କ୍ରୋଧରେ ଦ୍ରୋଣଙ୍କ ଉପରକୁ ଏକ ଶକ୍ତିଶାଳୀ ଗଦା ଫୋପାଡିଲେ।

Advertisment

ଦ୍ରୋଣ କିନ୍ତୁ ଧୃଷ୍ଟଦ୍ୟୁମ୍ନଙ୍କ ଗଦା ପାଖରୁ ନିଜକୁ ବଞ୍ଚେଇନେଲେ। ଗଦା ଫିଙ୍ଗାରୁ କିଛି ଫଳ ନମିଳିବାରୁ ଧୃଷ୍ଟଦ୍ୟୁମ୍ନ ଏଥର ପୁଣି ଧନୁ ଧାରଣ କଲେ । ଧୃଷ୍ଟଦ୍ୟୁମ୍ନଙ୍କର ପୁର୍ନବାର ଧନୁ ଧରିବା ଦେଖି  ଦ୍ରୋଣ ସଙ୍ଗେ ସଙ୍ଗେ ତୀରମାରି ଧୃଷ୍ଟଦ୍ୟୁମ୍ନଙ୍କ ରଥର ସାରଥି ଓ ଘୋଡ଼ାମାନଙ୍କୁ ମାରିପକାଇଲେ। ନିଜ ରଥର ଘୋଡ଼ା ଓ ସାରଥିଙ୍କ ମୃତ୍ୟୁ ଦେଖି ଧୃଷ୍ଟଦ୍ୟୁମ୍ନ ଗୋଟେ ଖଣ୍ଡା ଧରି ଦ୍ରୋଣଙ୍କୁ ମାରିବାକୁ ଧାଇଁଲେ। କିନ୍ତୁ ଦ୍ରୋଣ ଏତେ ତୀର ବର୍ଷା କଲେ ଯେ ଧୃଷ୍ଟଦ୍ୟୁମ୍ନ ଆଉ ଆଗକୁ ଯାଇ ପାରିଲେନି। ଧୃଷ୍ଟଦ୍ୟୁମ୍ନଙ୍କ ଅବସ୍ଥା ଦେଖି ଭୀମ କିଛି ଦୂରରୁ ତାଙ୍କୁ ସାହାଯ୍ୟ କରିବାକୁ ପାଖକୁ ଆସିଲେ। ଭୀମ ବିଳମ୍ବ ନକରି ଶର ମାରି ଦ୍ରୋଣଙ୍କୁ ବିଦ୍ଧ କରିବାକୁ ଲାଗିଲେ । ଦ୍ରୋଣଙ୍କୁ ଯୁଦ୍ଧରେ ବ୍ୟସ୍ତ ରଖିଲା ବେଳକୁ ଧୃଷ୍ଟଦ୍ୟୁମ୍ନ ଅନ୍ୟ ଏକ ରଥ ଆରୋହଣ କଲେ ଓ ଭୀମଙ୍କ ସହ ମିଶି ଦ୍ରୋଣଙ୍କ ସହ ପୁଣିଥରେ ଯୁଦ୍ଧ ଆରମ୍ଭ କଲେ।

ଦୁର୍ଯ୍ୟୋଧନ ଦେଖିଲେ ଭୀମ ଓ ଧୃଷ୍ଟଦ୍ୟୁମ୍ନ ମିଳିମିଶି ଦ୍ରୋଣଙ୍କୁ ଆକ୍ରମଣ କରୁଛନ୍ତି। ତେଣୁ ଦୁର୍ଯ୍ୟୋଧନ ଯଥାଶୀଘ୍ର ଦ୍ରୋଣଙ୍କୁ ସହାୟତା ଯୋଗାଇବାକୁ ତାଙ୍କ ଶିବିରରେ ଯୋଗ ଦେଇଥିବା କଳିଙ୍ଗ ରାଜାଙ୍କୁ ଆଦେଶ ଦେଲେ। କଳିଙ୍ଗ ରାଜା ତାଙ୍କର ବିଶାଳ ପଦାତିକ ସୈନ୍ୟ, ଗଜାରୋହୀ, ଅଶ୍ୱାରୋହୀ ଓ ରଥାରୋହୀଙ୍କୁ ଧରି କୁରୁକ୍ଷେତ୍ର ଯୁଦ୍ଧରେ ଯୋଗ ଦେଇଥା'ନ୍ତି। ଏବେ କଳିଙ୍ଗ ରାଜା ତାଙ୍କ ସୈନ୍ୟଙ୍କୁ ଧରି ଭୀମଙ୍କ ସହ ସିଧା ଯୁଦ୍ଧ ଆରମ୍ଭ କରିଦେଲେ। ରାଜାଙ୍କ ସାଙ୍ଗରେ ଶ୍ରୁତାୟୁ ଓ ରାଜକୁମାର କେତୁମାନ୍ ତାଙ୍କ ନିଷାଦ ସୈନ୍ୟଙ୍କୁ ଧରି ଭୀମଙ୍କୁ ଚାରିଦିଗରୁ ଘେରି ଯୁଦ୍ଧ କରୁଥା'ନ୍ତି। ଭୀମସେନ କିନ୍ତୁ ସାମାନ୍ୟ ବିଚଳିତ ନହୋଇ ବୀରତ୍ୱର ସହ ତାଙ୍କ ରଥରେ ବସି ସମସ୍ତଙ୍କୁ ସାମ୍ନା କରୁଥା'ନ୍ତି। ଭୀମଙ୍କୁ ସାହାଯ୍ୟ କରିବାକୁ ତାଙ୍କ ସହ ଚେଦୀ ଓ ମତ୍ସ ଦେଶର ଯୋଦ୍ଧା ବି ଯୋଗଦେଇଥା'ନ୍ତି । କିନ୍ତୁ ସେମାନେ ବେଶି ସମୟ କଳିଙ୍ଗ ସେନାଙ୍କ ସହ ଯୁଦ୍ଧ କରିନପାରି ଛତ୍ରଭଙ୍ଗ ଦେଇ ସେଠାରୁ ପଳାୟନ କଲେ।

Advertisment

ଘୋର ଯୁଦ୍ଧ ଚାଲିଥାଏ। ହାତୀ, ଘୋଡ଼ା ଓ ସୈନ୍ୟମାନଙ୍କ ରକ୍ତରେ ସେ ଅରାକର ମାଟି କାଦୁଅ ହୋଇ ସାରିଥାଏ। କଳିଙ୍ଗ ରାଜକୁମାର ଶକ୍ରଦେବ ଭୀମଙ୍କୁ ପ୍ରବଳ ଆକ୍ରମଣ କଲେ ଓ ଶର ମାରି ଭୀମଙ୍କ ରଥର ଘୋଡ଼ାମାନଙ୍କୁ ମାରି ପକାଇଲେ। ଆକ୍ରମଣ ସହି ନପାରି ଆପଣା ସୈନ୍ୟମାନଙ୍କ ଛତ୍ର ଭଙ୍ଗ ଓ ନିଜ ରଥର ଘୋଡ଼ାମାନଙ୍କର ମରଣ ଦେଖି ଭୀମସେନଙ୍କ ରାଗ ମୁଣ୍ଡକୁ ଉଠିଗଲା। ରାଗରେ ସେ ଗୋଟେ ପ୍ରକାଣ୍ଡ ଲୁହା ଗଦା ଶକ୍ରଦେବଙ୍କ ଉପରକୁ ଫିଙ୍ଗିଲେ। ସେଇ ଗଦା ମାଡ଼ରେ ଏକାଥରେ ଶକ୍ରଦେବ ଓ ତାଙ୍କ ରଥର ଘୋଡ଼ାମାନେ ମୁହଁମାଡ଼ି ମାଟି କାମୁଡ଼ି ତଳେ ପଡ଼ିଗଲେ। ନିଜ ପୁଅର ଏପରି ଅବସ୍ଥା ଦେଖି କଳିଙ୍ଗ ରାଜା ତାଙ୍କର ରଥିମାନଙ୍କୁ ଧରି ଭୀମସେନଙ୍କୁ ଚାରିପାଖରୁ ଘେରି ଆକ୍ରମଣ କଲେ।

ସେଉଠୁ କଳିଙ୍ଗ ରାଜା ଭୀମଙ୍କ ଉପରକୁ ଏକ ସର୍ପବାଣ ପ୍ରୟୋଗ କଲେ। ଭୀମ କିନ୍ତୁ ତାଙ୍କ ଖଣ୍ଡାରେ ସେ ବାଣକୁ ତତକ୍ଷଣାତ୍ କାଟି ପକାଇଲେ। କଳିଙ୍ଗ ରାଜାଙ୍କୁ ସାହାଯ୍ୟ କରିବାକୁ ତାଙ୍କ ପୁଅ ରାଜକୁମାର ଭାନୁମାନ ତାଙ୍କ ବିଶାଳ ହାତୀ ଉପରେ ବସି ଅନ୍ୟ ଏକ ଦିଗରୁ ଭୀମଙ୍କ ଉପରକୁ ତୀର ବର୍ଷା କରିବା ସହ ସିଂହନାଦ କରି ପାଣ୍ଡବ ସୈନ୍ୟଙ୍କ ଭିତରେ ଭୟ ତିଆରି କଲେ । ଭୀମ କିନ୍ତୁ ଭାନୁମାନଙ୍କ ଆକ୍ରମଣକୁ ବେଶି ସମୟ ଦେଲେନି। ସେ ନିଜ ରଥରୁ ଓହ୍ଲାଇ ସିଧା ଭାନୁମାନ ବସିଥିବା ହାତୀ ଉପରକୁ ଚଢ଼ିଗଲେ ଓ ସେଇଠି ଆପଣା ଖଣ୍ଡାରେ ଭାନୁମାନଙ୍କୁ ବିଦ୍ଧ କଲେ । ରାଜକୁମାରଙ୍କ ମରଶରୀର ହାତୀ ପିଠିରୁ ତଳକୁ ସେଇଠି ଖସିପଡ଼ିଲା।

ରାଜକୁମାରଙ୍କ ମୃତ୍ୟୁ ପରେ ବି କଳିଙ୍ଗ ରାଜା ଓ ତାଙ୍କ ସୈନ୍ୟମାନଙ୍କର ପାଣ୍ଡବଙ୍କ ଉପରେ ଆକ୍ରମଣ କମିଲାନି। ସେମାନେ ମିଳିମିଶି ଭୀମ ଓ ପାଣ୍ଡବ ସେନାଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରୁଥା'ନ୍ତି। କଳିଙ୍ଗ ରାଜା ଓ ରାଜକୁମାର କେତୁମାନ ଭୀମଙ୍କ ଉପରକୁ ତୀର ବର୍ଷା କରୁଥା'ନ୍ତି । ସେମାନଙ୍କ ଅସଂଖ୍ୟ ତୀର ବାଜି ଭୀମଙ୍କ ଦେହରୁ ଧାର ଧାର ରକ୍ତ ବହୁଥାଏ। ନିଜ ଶରୀରର କ୍ଷତ ପ୍ରତି ଭୀମଙ୍କର କୌଣସି ନିଘା ନଥାଏ। ସେ ସଙ୍ଗେ ସଙ୍ଗେ ତାଙ୍କ ଧନୁରେ ତିନୋଟି ଶର ରାଜକୁମାର କେତୁମାନଙ୍କ ଉଦ୍ଦେଶ୍ୟରେ ନିକ୍ଷେପ କଲେ। କେତୁମାନ୍ ନିହତ ହେଲେ। ତାପରେ ପରେ ଭୀମସେନ ତାଙ୍କ ବିଶାଳ ଗଦା ଧରି କଳିଙ୍ଗ ସେନାଙ୍କୁ ଅତି ନିର୍ଦ୍ଦୟ ଭାବରେ ସଂହାର କରିବାକୁ ଲାଗିଲେ। ଭୀମଙ୍କ ଗଦା ପ୍ରହାରରେ କଳିଙ୍ଗ ସେନାର ଶହ ଶହ ସୈନ୍ୟ, ହାତୀ ଓ ଘୋଡ଼ା ସବୁ ମରଣ ମୁହଁରେ ପଡ଼ିବାକୁ ଲାଗିଥା'ନ୍ତି। ଭୀମଙ୍କ ରୌଦ୍ର ରୂପକୁ ଅଟକଇବାକୁ କାହା ପାଖରେ ଆଉ ସାଧ୍ୟ ନଥାଏ। ଭୀମଙ୍କୁ ସହାୟତା ଦେବା ପାଇଁ ତାଙ୍କ ପାଖେ ପାଖେ ଧୃଷ୍ଟଦ୍ୟୁମ୍ନ ଓ ସାତ୍ୟକି ବି ରହିଥା'ନ୍ତି। ସେମାନେ ବି ଭୀମଙ୍କ ସାଙ୍ଗରେ କଳିଙ୍ଗ ସେନାଙ୍କ ସହ ଯୁଦ୍ଧ କରୁଥା'ନ୍ତି।

ଭୀଷ୍ମ ଦେଖୁଥା'ନ୍ତି ଭୀମ କେମିତି ଧୃଷ୍ଟଦ୍ୟୁମ୍ନ ଓ ସାତ୍ୟକିଙ୍କ ସହ କାଳଯମ ପରି କଳିଙ୍ଗ ସେନାଙ୍କୁ ନିହତ କରୁଛନ୍ତି। ଏକଥା ଦେଖି ଭୀଷ୍ମ ଶର ମାରି ଭୀମଙ୍କ ରଥର ଘୋଡ଼ାମାନଙ୍କୁ ମାରି ପକାଇଲେ। ଘୋଡ଼ା ମରିଯିବାରୁ ଭୀମ ତାଙ୍କ ରଥରୁ ତଳକୁ ଡେଇଁପଡ଼ି ତାଙ୍କ ଗଦାରେ ଶତୃମାନଙ୍କୁ ପ୍ରହାର କରିବାକୁ ଲାଗିଲେ। ସେତିକିବେଳେ ସାତ୍ୟକି ତୀର ମାରି ଭୀଷ୍ମଙ୍କ ରଥର ସାରଥିକୁ ହତ୍ୟା କଲେ। ଆଉ କିଛି ଘଟଣା ଘଟିବା ପୂର୍ବରୁ ଭୀଷ୍ମଦେବଙ୍କ ରଥର ଘୋଡ଼ାମାନେ ରଥକୁ ଅନ୍ୟ ଦିଗରେ ଧରି ଚାଲିଗଲେ।

ଏମିତି ଏକ ସୁଯୋଗ ଅପେକ୍ଷାରେ ପାଣ୍ଡବ ସେନାମାନେ ଥିଲେ। ସେମାନେ ପ୍ରବଳ ପରକ୍ରମରେ କୌରବ ସେନାଙ୍କ ଉପରକୁ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଲେ। ଭୀମ, ସାତ୍ୟକି ଓ ଧୃଷ୍ଟଦ୍ୟୁମ୍ନ ପ୍ରଚଣ୍ଡ ବେଗରେ କୌରବ ସେନାଙ୍କ ସଂହାର କରୁଥା'ନ୍ତି। ଅନ୍ୟଠି ବୀର ଧନଞ୍ଜୟ ରୂଦ୍ର ରୂପ ଧରି କୌରବ ସେନାଙ୍କୁ ହତ୍ୟା କରୁଥା'ନ୍ତି। ଶ୍ରୀକୃଷ୍ଣ ବିଜୁଳି ବେଗରେ ରଥ ଚଳାଉଥା'ନ୍ତି ଓ ଅର୍ଜୁନ ତୀର ମାରି ଶହ ଶହ କୌରବ ସେନାଙ୍କୁ ପ୍ରତିକ୍ଷଣରେ ନିହତ କରୁଥା'ନ୍ତି। କୌରବ ସେନାଙ୍କ ଭିତରେ ଭୟର ସଞ୍ଚାର ହେବାରୁ ସେମାନେ ଛତ୍ରଭଙ୍ଗ ଦେଉଥା'ନ୍ତି। ଅର୍ଜୁନଙ୍କ ରଥ ଆଗକୁ ଆସି କେହି ବି ତାଙ୍କୁ ସାମ୍ନା କରିବାକୁ ସାହାସ କରିପାରୁନଥା'ନ୍ତି।

ପଶ୍ଚିମ ଆକାଶରେ ସୂର୍ଯ୍ୟାସ୍ତ ହେବାକୁ ବସିଲା। ଅସ୍ତକାଳୀନ ସୂର୍ଯ୍ୟଙ୍କ ଆଭାରେ ଆକାଶ ଲାଲ୍ ଦିଶୁଥିଲା। ତା' ସାଙ୍ଗକୁ ରକ୍ତ ବହି ଲାଲ୍ ଦିଶୁଥିଲା କୁରୁକ୍ଷେତ୍ରର ମାଟି। କୌରବ ସେନାଙ୍କ ସେନାପତି ପିତାମହ ଭୀଷ୍ମ ଆଚାର୍ଯ୍ୟ ଦ୍ରୋଣଙ୍କୁ କହିଲେ, "ସନ୍ଧ୍ୟା ହେବାକୁ ବସିଲାଣି। ଏବେ ଭୟରେ ଛତ୍ରଭଙ୍ଗ ଦେଇଥିବା କୌରବ ସେନାଙ୍କୁ ଆଉ ଏକାଠି କରାଯାଇ ପାରିବନି। ଆଜି ପାଇଁ ଯୁଦ୍ଧ ବରଂ ଏଇଠି ବନ୍ଦ ରହୁ। କାଲି ସକାଳର ସୂର୍ଯ୍ୟ ଉଦୟ ସହ ଯୁଦ୍ଧ ଆଉଥରେ ଆରମ୍ଭ ହେବ।"

ସେ ଦିନର ଯୁଦ୍ଧର ବିରାମ ହେଲା। ପାଣ୍ଡବ ଶିବିରରେ ଆନନ୍ଦ। ସେମାନେ ଆଜି ଢେର୍ ଶତ୍ରୁଙ୍କୁ ସଂହାର କରିଛନ୍ତି।

Mahabharat Story Mahabharat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ