ମହାଭାରତ କଥା-୧୪୪ Photograph: (OTV)
(Mahabharat Story-144)
ରାତି ପାହି ସକାଳ ହେଲା। କୌରବ ଓ ପାଣ୍ଡବମାନଙ୍କ ଭିତରେ ତୃତୀୟ ଦିନର ଯୁଦ୍ଧ ଆରମ୍ଭ ହେଲା। କୌରବମାନଙ୍କ ସେନାପତି ପିତାମହ ଭୀଷ୍ମ ତାଙ୍କ ସେନାମାନଙ୍କୁ ନେଇ ଅଭେଦ୍ୟ ଗରୁଡ଼ ବ୍ୟୁହ ରଚନା କଲେ। ବ୍ୟୁହର ମୁହଁରେ ସ୍ୱୟଂ ଭୀଷ୍ମ ନିଜେ ରହିଲେ। ଗରୁଡ଼ର ଆଖି ଭାବରେ ରହିଲେ ଦ୍ରୋଣ ଓ ସାତ୍ୱତ ବଂଶୀୟ କୃତବର୍ମା। ତ୍ରଗର୍ତ୍ତ, ମତ୍ସ, କୈକେୟ ଓ ବାଟଧାନମାନଙ୍କ ସହିତ ମିଶି କୃପାଚାର୍ଯ୍ୟ ଓ ଅଶ୍ୱଥାମା ଗରୁଡ଼ର ମୁଣ୍ଡରେ ରହିଲେ। ଭୁରିଶ୍ରବା, ଶଲ୍ୟ, ଭଗଦତ୍ତ ଓ ଜୟଦ୍ରଥ ଅନ୍ୟ କିଛି ରାଜାଙ୍କ ସହ ଗରୁଡ଼ର ବେକ ସ୍ଥାନରେ ରହିଲେ। ଦୁର୍ଯ୍ୟୋଧନ ତାଙ୍କର କିଛି ଭାଇଙ୍କୁ ନେଇ ଗରୁଡ଼ର ପୃଷ୍ଠଦେଶରେ ରହିଲେ। କମ୍ବୋଜ, ଶକ ଓ ଶୂରସେନ ଆଦି ଦେଶୀୟ ଯୋଦ୍ଧାମାନେ ଗରୁଡ଼ର ପୁଚ୍ଛ ଭାବରେ ରହିଲେ। ମଗଧ ଓ କଳିଙ୍ଗ ଆଦି ଦକ୍ଷିଣ ଦିଗରେ ରହିଲେ ଏବଂ ବିକୁଞ୍ଜ, ମୁଣ୍ଡ ଓ କୁଣ୍ଡୀଦୃଷଗଣ ବ୍ୟୁହର ବାମ ଭାଗରେ ରହିଲେ।
କୌରବମାନଙ୍କର ବ୍ୟୁହ ରଚନା ଦେଖି ପାଣ୍ଡବ ସେନାପତି ଧୃଷ୍ଟଦ୍ୟୁମ୍ନ ଅର୍ଜୁନଙ୍କ ସହ ପରାମର୍ଶ କରି ପାଣ୍ଡବ ସେନାଙ୍କୁ ଅର୍ଦ୍ଧଚନ୍ଦ୍ର ଆକାରରେ ଏକ ବ୍ୟୁହରେ ସଜାଇଲେ। ଅର୍ଦ୍ଧଚନ୍ଦ୍ରର ଦକ୍ଷିଣ ଶୃଙ୍ଗରେ ସୈନ୍ୟ ସାମନ୍ତ ଧରି ଭୀମସେନ ରହିଲେ। ତାଙ୍କ ପଛରେ ରହିଲେ ରାଜା ବିରାଟ ଓ ରାଜା ଦ୍ରୁପଦ। ତାଙ୍କ ପଛରେ ଚେଦି, କାଶୀ, କରୂପ ଓ ପୌରବଗଣଙ୍କୁ ଧରି ଧୃଷ୍ଟକେତୁ ରହିଲେ। ଅର୍ଦ୍ଧଚନ୍ଦ୍ରର ମଧ୍ୟ ଭାଗରେ ରହିଲେ ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀଙ୍କ ସହ ପାଞ୍ଚାଳ ଆଦି ଦେଶର ସୈନ୍ୟଦଳ। ତା' ପଛକୁ ରହିଲେ ସାତ୍ୟକି, ଦ୍ରୌପଦୀଙ୍କ ପାଞ୍ଚପୁଅ ଓ ଅଭିମନ୍ୟୁ। ସେମାନଙ୍କ ପଛରେ ଠିଆ ହେଲେ ଭୀମପୁତ୍ର ଘଟୋତ୍କଚ।
ଦୁଇ ସେନାପତି ସେମାନଙ୍କ ସୈନ୍ୟମାନଙ୍କୁ ଦୁଇଟି ଅଲଗା ଅଲଗା ବ୍ୟୁହରେ ସଜେଇଲା ପରେ ତୁମୁଳ ସମର ଆରମ୍ଭ ହେଲା। ଯୁଦ୍ଧ ଆରମ୍ଭ ହେବାର ଅଳ୍ପ ସମୟ ଭିତରେ ଶହ ଶହ ପଦାତିକ ସୈନ୍ୟ, ଅଶ୍ୱାରୋହୀ, ଗଜାରୋହୀ ମରଣ ମୁହଁରେ ପଡ଼ି ମାଟିରେ ଗଡ଼ିଲେ। ମଣିଷ ଓ ପଶୁମାନଙ୍କ ମରଶରୀର ସାଙ୍ଗରେ ରଥ ସବୁ ଭାଙ୍ଗି ସେଇ ଯୁଦ୍ଧ କ୍ଷେତ୍ରରେ ପଡ଼ି ଗଦା ହେଲା । ରକ୍ତର ଧାର ଗୋଟେ ନଈ ପରି ଯୁଦ୍ଧକ୍ଷେତ୍ରରେ ବହିବାକୁ ଲାଗିଲା। ତା' ସାଙ୍ଗରେ ଧୂଳିର ବହଳ ଆସ୍ତରଣ ଏମିତି ଉପରକୁ ଉଠିଲା ଯେ କିଛି ସମୟ ପାଇଁ ସୂର୍ଯ୍ୟ ଆଉ ଦିଶିଲେ ନାହିଁ।
ମହାରଥି ଦ୍ରୋଣ କୌରବଙ୍କ ବ୍ୟୁହ ରକ୍ଷା କରୁଥିବାରୁ ପାଣ୍ଡବମାନେ ସେ ବ୍ୟୁହକୁ ଶତ ଚେଷ୍ଟା ପରେ ବି ଭେଦ କରିପାରିଲେନି । ସେମିତି ବୀର ଧନଞ୍ଜୟ ଓ ବଳଶାଳୀ ଭୀମ ପାଣ୍ଡବମାନଙ୍କ ବ୍ୟୁହକୁ ରକ୍ଷା କରୁଥିବାରୁ କୌରବମାନେ ବି ସେମାନଙ୍କ ବ୍ୟୁହରେ ପ୍ରବେଶ କରିପାରିଲେନି ।
କୌରବ ବୀରମାନେ ଅର୍ଜୁନଙ୍କୁ ଘେରିବାକୁ ଚେଷ୍ଟା କଲେ। କୌରବ ପକ୍ଷର ରଥିମାନେ ସେମାନଙ୍କ ଅସ୍ତ୍ର ଶସ୍ତ୍ର ଧରି ଅର୍ଜୁନଙ୍କ ଉପରେ ଚାରିପାଖରୁ ଏକ ସମୟରେ ଆକ୍ରମଣ କଲେ। ସେମାନେ ବହୁ ସଂଖ୍ୟରେ ମୁଦ୍ଗର, ପ୍ରାସ, ମୂଷଳ, ଶକ୍ତି, ଗଦା, ପରିଘ ଓ ପରଶୁ ଆଦିରେ ଆକ୍ରମଣ କରୁଥା'ନ୍ତି । କିନ୍ତୁ ବିଜୁଳି ପ୍ରାୟ ହାତ ଓ ଅସ୍ତ୍ର ଚାଳନା କରି ଅର୍ଜୁନ ସେ ସମସ୍ତ ଅସ୍ତ୍ରଶସ୍ତ୍ରକୁ ଅତି ସହଜରେ ନଷ୍ଟ କରୁଥା'ନ୍ତି । କୌରବ ପକ୍ଷରୁ ସୌବଳ ସେନା ଆକ୍ରମଣ କରି ସାତ୍ୟକିଙ୍କ ରଥକୁ ଭାଙ୍ଗି ପକାଇଲେ । ସାତ୍ୟକି ତାଙ୍କ ଭଙ୍ଗା ରଥ ଛାଡ଼ି ଅଭିମନ୍ୟୁଙ୍କ ରଥରେ ଚଢ଼ିଗଲେ। ତାପରେ ଅଭିମନ୍ୟୁ ଓ ସାତ୍ୟକି ମିଶି ସୌବଳ ସେନାଙ୍କ ଉପରେ ଆକ୍ରମଣ କଲେ।
ଭୀଷ୍ମ ଓ ଦ୍ରୋଣ ମିଶି ପାଣ୍ଡବ ସେନାଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରି ସେମାନଙ୍କୁ ବିନାଶ କରୁଥା'ନ୍ତି । ଯୁଧିଷ୍ଠିର, ନକୁଳ ଓ ସହଦେବ ଦ୍ରୋଣଙ୍କ ସୈନ୍ୟଙ୍କୁ ମାରିବାକୁ ଲାଗିଲେ । ଭୀମସେନ ଓ ତାଙ୍କ ପୁଅ ଘଟୋତ୍କଚଙ୍କ ପରାକ୍ରମ ଦେଖି ସେମାନଙ୍କୁ ଅଟକାଇବାକୁ ଦୁର୍ଯ୍ୟୋଧନ ବାହାରିଲେ । ଭୀମସେନ ବିଳମ୍ବ ନକରି ଦୁର୍ଯ୍ୟୋଧନଙ୍କ ଉପରକୁ ତୀର ମାରିଲେ । ତୀର ଦୁର୍ଯ୍ୟୋଧନଙ୍କ ଛାତିରେ ବାଜିବାରୁ ସେ ସେଇଠି ମୂର୍ଚ୍ଛା ଗଲେ। ଦୁର୍ଯ୍ୟୋଧନଙ୍କ ସାରଥି ସଙ୍ଗେ ସଙ୍ଗେ ରଥ ଧରି ସେଠାରୁ ଦୂରକୁ ଚାଲିଗଲା। ଦୁର୍ଯ୍ୟୋଧନଙ୍କ ରଥ ଦୂରକୁ ଚାଲିଯିବାରୁ କୌରବ ସେନାଙ୍କ ଉତ୍ସାହ ଭାଙ୍ଗିଗଲା ଓ ସେମାନେ ଏପଟେ ସେପଟେ ବିଛାଡ଼ି ହୋଇଗଲେ । ଭୀମ ସେ ସୁଯୋଗର ସଦ୍ ବ୍ୟବହାର କରି କୌରବ ସେନାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଲାଗିଲେ । ଯୁଦ୍ଧ କ୍ଷେତ୍ରରୁ ପଳାୟନ କରୁଥିବା ସୈନ୍ୟମାନଙ୍କୁ ଦ୍ରୋଣ ଓ ଭୀଷ୍ମ ଅଟକାଇବାକୁ ଯେତେ ଚେଷ୍ଟା କଲେ ବି କେହି ଅଟକି ରହୁନଥା'ନ୍ତି । ଗୋଟେ ରଥରେ ବସି ସାତ୍ୟକି ଓ ଅଭିମନ୍ୟୁ ଶକୁନିଙ୍କ ଅନେକ ସୈନ୍ୟଙ୍କୁ ବିନାଶ କଲେ । ଅର୍ଜୁନ ମଧ୍ୟ ଗୋଟେ ଦିଗରେ ରହି କୌରବ ସେନାଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରୁଥା'ନ୍ତି । ଚାରି ଦିଗରୁ ପାଣ୍ଡବ ରଥିମାନଙ୍କ ଆକ୍ରମଣକୁ ସାମ୍ନା କରିନପାରି କୌରବ ସେନା ପଳାୟନ କଲାବେଳକୁ ଦୁର୍ଯ୍ୟୋଧନଙ୍କୁ ସେମାନେ ଦେଖିଲେ ଓ ପ୍ରକୃତିସ୍ଥ ହୋଇ ଅଟକିଲେ ।
ତାପରେ ଦୁର୍ଯ୍ୟୋଧନ ଭୀଷ୍ମଙ୍କ ପାଖକୁ ଆସିଲେ ଓ କହିଲେ, "ହେ ପିତାମହ! ଆପଣଙ୍କ ପରି ଯୋଦ୍ଧାଙ୍କ ସହ ଆଚାର୍ଯ୍ୟ ଦ୍ରୋଣ, ଆଚାର୍ଯ୍ୟ କୃପ ଓ ଅଶ୍ୱଥାମାଙ୍କ ପରି ବୀର ଆମ ସାଙ୍ଗରେ ଅଛନ୍ତି । ସେମାନେ ଆପଣଙ୍କୁ ଯୁଦ୍ଧରେ ସହଯୋଗ କରୁଛନ୍ତି । କିନ୍ତୁ ଦେଖନ୍ତୁ ପାଣ୍ଡବମାନଙ୍କୁ ଡରି ଆମ ସୈନ୍ୟମାନେ କେମିତି ଛତ୍ରଭଙ୍ଗ ଦେଉଛନ୍ତି । ଏକଥା ଆପଣଙ୍କୁ ଆଦୌ ଶୋଭା ପାଉନି । ଆମ ପାଖରେ ଏତେ ବଡ଼ ବଡ଼ ଯୋଦ୍ଧା ଥାଉ ଥାଉ ଯୁଦ୍ଧର ଗତି ଆମ ପ୍ରତିକୂଳରେ ଯାଉଛି । ଆପଣଙ୍କ ମନରେ ପାଣ୍ଡବମାନଙ୍କ ପ୍ରତି ମମତା ରହିଛି । ଆପଣ ଜାଣି ଜାଣି ସେମାନଙ୍କ ପ୍ରତି କୋମଳ ବ୍ୟବହାର ହୁଏତ କରୁଛନ୍ତି । ଆପଣ ପାଣ୍ଡବ, ଧୃଷ୍ଟଦ୍ୟୁମ୍ନ ଓ ସାତ୍ୟକିଙ୍କ ସହ ଯୁଦ୍ଧ କରିବେନି ବୋଲି ଆଗରୁ ମୋତେ କହିବାର ଥିଲା । ଏ କଥା ମୋ ଆଗରେ ଆପଣ, ଆଚାର୍ଯ୍ୟ ଦ୍ରୋଣ ଓ କୃପ ପୂର୍ବରୁ ଖୋଲିକରି କହିଥିଲେ ମୁଁ କର୍ଣ୍ଣଙ୍କ ସହ କଥା ହୋଇ ଅଲଗା କିଛି ବିଚାର କରିଥା'ନ୍ତି।"
ଦୁର୍ଯ୍ୟୋଧନଙ୍କ କଥା ଶୁଣି ଭୀଷ୍ମ ମୁହଁରେ ହସ ଓ ଆଖିରେ କ୍ରୋଧ ରଖି କହିଲେ, "ହେ ଦୁର୍ଯ୍ୟୋଧନ! ମୋ କହିବାର କଥା ମୁଁ ବହୁ ଆଗରୁ ତୁମକୁ ବହୁବାର କହିସାରିଛି। କିନ୍ତୁ ତୁମେ କେବେ ବି ମୋର କଥା ଶୁଣିନାହଁ। ଆଗରୁ କହିଛି ଏବେ ବି କହୁଛି ଶୁଣ, ସ୍ୱୟଂ ଇନ୍ଦ୍ରଦେବ ଓ ଦେବତା ମିଶିକରି ଯୁଦ୍ଧ କଲେବି ପାଣ୍ଡବମାନଙ୍କୁ ପରାଜିତ କରିପାରିବେନି। ମୁଁ ଚାହିଁଥିଲି କୌରବ ଓ ପାଣ୍ଡବମାନେ ସୁଖରେ ରୁହନ୍ତୁ। କିନ୍ତୁ ତୁମେ ତ ଯୁଦ୍ଧକୁ ଡାକି ଆଣିଛ। ଏବେ ମୁଁ ତୁମ ପାଇଁ ଲଢୁଛି । ହେ ଦୁର୍ଯ୍ୟୋଧନ! ମୁଁ ବୁଢ଼ା ହୋଇ ସାରିଛି। ମୁଁ ମୋର ପାରୁ ପର୍ଯ୍ୟନ୍ତ ଯୁଦ୍ଧ କରୁଛି। ତଥାପି ତୁମର ଅସନ୍ତୋଷ ଯାଉନି । ଯାଅ ଯୁଦ୍ଧ କର ଓ ଦେଖ ମୁଁ କେମିତି ପାଣ୍ଡବ ସେନାଙ୍କୁ ବିନାଶ କରୁଛି।" ପିତାମହ ଭୀଷ୍ମଙ୍କ କଥା ଶୁଣି ଦୁର୍ଯ୍ୟୋଧନ ଖୁସି ହୋଇଗଲେ। କୌରବ ସେନା ଶଂଖ ଓ ଭେରୀ ନାଦ କଲେ।
ସେଦିନର ମଧ୍ୟାହ୍ନ ସରିସାରିଥାଏ। ଗଙ୍ଗା ପୁତ୍ର ଭୀଷ୍ମ ଅମିତ ପରାକ୍ରମରେ ପାଣ୍ଡବ ପକ୍ଷର ସୈନ୍ୟଙ୍କୁ ସଂହାର କରିବାକୁ ଲାଗିଲେ । ଭୀଷ୍ମଙ୍କ ଧନୁରୁ ଶକ୍ତିଶାଳୀ ଭୟଙ୍କର ତୀର ବର୍ଷା ହେବାକୁ ଲାଗିଲା। ପାଣ୍ଡବ ସୈନ୍ୟମାନେ ଭୀଷ୍ମଦେବଙ୍କ ଏମିତି ରୂଦ୍ର ରୂପ ପୂର୍ବରୁ ଦେଖିନଥିଲେ। ସେମାନେ ଆଉ ବେଶି ସମୟ ଭୀଷ୍ମଙ୍କ ଅସ୍ତ୍ର ପ୍ରହାରକୁ ସାମ୍ନା କରିନପାରି ଇତଃସ୍ତତଃ ହେବାକୁ ଲାଗିଲେ। ପ୍ରାଣ ବିକଳରେ ଯିଏ ଯୁଆଡ଼େ ପାରିଲେ ଧାଇଁବାକୁ ଲାଗିଲେ। ପାଣ୍ଡବ ସେନାପତିମାନେ ସେମାନଙ୍କୁ ଆକଟ କରିବାକୁ ଯାଇ ଅସଫଳ ହେଉଥା'ନ୍ତି । ଏକା ଗଙ୍ଗାପୁତ୍ର ପାଣ୍ଡବଙ୍କ ଶହ ଶହ ସୈନ୍ୟ, ହାତୀ, ଘୋଡ଼ା ଓ ରଥକୁ ନଷ୍ଟ କରି କୁରୁକ୍ଷେତ୍ରର ଯୁଦ୍ଧଭୂଇଁରେ ଧ୍ୱଂସଲୀଳା ରଚନା କରୁଥା'ନ୍ତି।
ଅର୍ଜୁନଙ୍କ ରଥର ସାରଥି ସାଜିଥିବା ଶ୍ରୀକୃଷ୍ଣ ଦେଖିଲେ ଭୀଷ୍ମ ଯେଉଁ ଭାବରେ ପାଣ୍ଡବ ସୈନ୍ୟଙ୍କୁ ସଂହାର କରୁଛନ୍ତି ସେଥିରେ ପାଣ୍ଡବମାନଙ୍କ ପରାଜୟ ନିଶ୍ଚିତ। ଶ୍ରୀକୃଷ୍ଣ ରଥକୁ ଅଟକାଇ ଅର୍ଜୁନଙ୍କୁ କହିଲେ, "ହେ ସଖା ! ଏବେ ସମୟ ଆସି ପହଞ୍ଚିଛି ଖୁବ ଶୀଘ୍ର ଭୀଷ୍ମଙ୍କୁ ବିନାଶ କର। ତୁମେ ଯୁଦ୍ଧ ପୂର୍ବରୁ କହିଥିଲ ଧୃତରାଷ୍ଟ୍ରଙ୍କ ପକ୍ଷରେ ରହି ଯିଏ ବି ଯୁଦ୍ଧ କରିବ ତାକୁ ସମୂଳେ ବିନାଶ କରିବ। ସିଏ ଭୀଷ୍ମ ହୁଅନ୍ତୁ କି ଦ୍ରୋଣ ହୁଅନ୍ତୁ, ଯିଏ ଦୁର୍ଯ୍ୟୋଧନ ପାଇଁ ଯୁଦ୍ଧ କରିବ ତୁମେ ତାକୁ ଦୟା ଦେଖାଇବନି। ଏବେ ସେ ବାକ୍ୟ ପାଳନ କରିବାର ସମୟ ଆସି ପହଞ୍ଚିଛି। ଦେଖ ତୁମର ସୈନ୍ୟମାନେ କେମିତି ଭୀଷ୍ମଙ୍କ ଆକ୍ରମଣକୁ ସମ୍ମୁଖିନ ହୋଇନପାରି ଭୟରେ ଯୁଦ୍ଧ ଭୁମି ଛାଡ଼ି ଚାଲିଯାଉଛନ୍ତି। ରାଜାମାନେ ବି ପଳାୟନ କରୁଛନ୍ତି। ତୁମେ ଆଉ ବିଳମ୍ବ ନକରି ଶୀଘ୍ର ଭୀଷ୍ମଙ୍କୁ ବିନାଶ କର।"
କୃଷ୍ଣଙ୍କ କଥା ଶୁଣି ଅର୍ଜୁନ କହିଲେ, "ହେ ସଖା! ଆଉ ଡେରି ନକରି ଆମ ରଥକୁ ପିତାମହଙ୍କ ପାଖକୁ ନେଇ ଚାଲ। ଆଜି ନିଶ୍ଚୟ କୁରୁ ସେନାପତି ପିତାମହ ବୃଦ୍ଧ ଭୀଷ୍ମଙ୍କୁ ମୁଁ ନିଶ୍ଚୟ ସଂହାର କରିବି।"
କୃଷ୍ଣ ସଙ୍ଗେ ସଙ୍ଗେ ସୈନ୍ୟ ସମୁଦ୍ର ଭିତରେ ରଥକୁ ଭୀଷ୍ମଙ୍କ ଦିଗରେ ଦଉଡ଼ାଇଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/mahabharat-katha-144-2026-03-09-18-51-04.jpg)