କାର୍ତ୍ତିକେୟଙ୍କ ଜନ୍ମ କାହାଣୀ Photograph: (OTV)
ସ୍କନ୍ଦଷଷ୍ଠୀ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ଵ | କୁମାର କାର୍ତ୍ତିକେୟଙ୍କ ଜନ୍ମ ପଛର କାହଣୀ |
ଚୈତ୍ର ମାସ କୃଷ୍ଣପକ୍ଷ ଷଷ୍ଠୀର ନାମ ହେଉଛି- ‘ସ୍କନ୍ଦଷଷ୍ଠୀ’। ଏହା ‘ସ୍କନ୍ଦ’ ବା କାର୍ତ୍ତିକେୟଙ୍କ ନାମରେ ନାମିତ। କାରଣ, ଶିବଙ୍କର ‘ସ୍କନ୍ଦ’ ବା ସ୍ଖଳିତ ରେତରୁ ସେ ଜନ୍ମ ନେଇଥିଲେ। ତେଣୁ ସ୍କନ୍ଦଷଷ୍ଠୀ ବ୍ରତ ଭଗବାନ ଶିବ ଓ ମାଆ ପାର୍ବତୀଙ୍କ ବଡ଼ପୁଅ କାର୍ତ୍ତିକଙ୍କୁ ସମର୍ପଣ କରାଯାଏ। ଦକ୍ଷିଣ ଭାରତରେ କାର୍ତ୍ତିକେୟଙ୍କୁ ସ୍କନ୍ଦ ନାମରେ ମଧ୍ୟ ପୂଜା କରାଯାଏ। କିନ୍ତୁ ‘ସ୍କନ୍ଦ’ ନାମର ଆଉ ଗୋଟିଏ ଅର୍ଥ ଅଛି। ଏ ସଂପର୍କିତ ସଂସ୍କୃତ ଉକ୍ତି ହେଉଛି- “ସ୍କନ୍ଦୟତି ଶତ୍ରୁନ୍ ଶୋଷୟତୀତି ସ୍କନ୍ଦେ। ଦେବସ୍ତ୍ରୀ ଦର୍ଶନାତ୍ ଈଶ୍ଵରରେତମଃ ସ୍କନ୍ଦତୀତି ସ୍କନ୍ଧ୍ୟା।” ଅର୍ଥାତ୍, ସେ କେବଳ ମହାଦେବଙ୍କ ସ୍କନ୍ଦିତ ରେତରୁ ଜାତ ହୋଇନାହାନ୍ତି; ସେ ମଧ୍ୟ ଶତ୍ରୁ ନାଶ କରନ୍ତି ବୋଲି ଅମରସିଂହକୃତ ସଂସ୍କୃତ ଅଭିଧାନ ‘ଅମର କୋଷ’ରେ ଉଲ୍ଲେଖ ରହିଛି।
ସ୍କନ୍ଦଷଷ୍ଠୀର ମହତ୍ତ୍ଵ
ପୌରାଣିକ କଥା ଅନୁଯାୟୀ, ଶୁକ୍ଳ ପକ୍ଷର ଷଷ୍ଠୀ ତିଥିରେ, ଭଗବାନ ଶିବଙ୍କ ପୁତ୍ର ପ୍ରଭୁ କାର୍ତ୍ତିକେୟ, ତାରାକାସୁରା ନାମକ ରାକ୍ଷସକୁ ବଦ୍ଧ କରିଥିଲେ। ତେଣୁ କାର୍ତ୍ତିକେୟଙ୍କ ବିଜୟକୁ ସ୍ମରଣ କରିବା ପାଇଁ ଏହି ଦିନ 'ସ୍କନ୍ଦ ଷଷ୍ଠୀ ବ୍ରତ' ରୂପେ ପାଳନ କରାଯାଇଥିଲା।
କାର୍ତ୍ତିକେୟଙ୍କ ଜନ୍ମର ଉଦ୍ଦେଶ୍ୟ
ପୌରାଣିକ କାହାଣୀ ଅନୁଯାୟୀ, କୁମାର କାର୍ତ୍ତିକେୟଙ୍କର ଏକ ବିଶେଷ ମହତ୍ତ୍ୱପୂର୍ଣ୍ଣ କାରଣରୁ ଜନ୍ମ ହେଇଥିଲା। ଏହା ପୃଷ୍ଠଭୂମିର କାହଣୀ କିଛି ଏମିତି - ଥରେ ଦେବତା ଓ ଅସୁରଙ୍କ ମଧ୍ୟରେ ବହୁବର୍ଷ ଧରି ଯୁଦ୍ଧ ହେଲା। ଦେବତାମାନେ ରାକ୍ଷସ ପତି ତାରକାର ଅତ୍ୟାଚାରରେ ମହାକଷ୍ଟ ପାଇ ଜଣେ ଉପଯୁକ୍ତ ଦେବସେନାପତିଙ୍କର ଅନ୍ଵେଷଣ କଲେ। ସେଥିପାଇଁ ସେମାନେ ବ୍ରହ୍ମାଙ୍କର ସାହାଯ୍ୟ ମାଗିଲେ। ବ୍ରହ୍ମା କହିଲେ- ମହାଦେବଙ୍କ ସହିତ ହିମାଳୟନନ୍ଦିନୀ ପାର୍ବତୀଙ୍କର ବିବାହ ସଂପନ୍ନ ହୋଇପାରିଲେ, ମହାଦେବଙ୍କ ଔରସରେ ଯେଉଁ ପୁତ୍ର ଜାତ ହେବେ ସେ ଦେବତାମାନଙ୍କର ଉପଯୁକ୍ତ ସେନାପତି ହୋଇ ତାରକାସୁରକୁ ବଧ କରିବେ। ଏହି ପରାମର୍ଶକ୍ରମେ, ଦେବତାମାନେ ମହାଦେବଙ୍କ ସହିତ ପାର୍ବତୀଙ୍କର ବିବାହ କାର୍ଯ୍ୟ ସଂପନ୍ନ କରାଇଲେ।
ଈଶ୍ଵର-ପାର୍ବତୀଙ୍କର ମିଳନ ସମୟରେ ମହାଦେବଙ୍କ ସ୍ଖଳିତ ରେତ ଅଗ୍ନିରେ ପଡ଼ିଲା। ଅଗ୍ନି ତାହାକୁ ଗଙ୍ଗାରେ ନିକ୍ଷେପ କଲେ। ଗଙ୍ଗା ତାହାକୁ ଧାରଣ କରି ନ ପାରି ହିମାଳୟ ନିକଟରେ ଥିବା ଶରବଣରେ ଫିଙ୍ଗିଦେଲେ। ସେଥିରୁ ଏକ ଉଗ୍ରତେଜସଂପନ୍ନ ସନ୍ତାନ ସୃଷ୍ଟି ହେଲେ। ଛଅ ଜଣ କୃଷିକାଙ୍କ ଦ୍ୱାରା ସେ ଲାଳିତ ହେଲେ। ତେଣୁ ତାଙ୍କର ନାମ ହେଲା କାର୍ତ୍ତିକେୟ। ସ୍କନ୍ଧ ରେତରୁ ଉତ୍ପନ୍ନ ହୋଇଥିବାରୁ ତାଙ୍କର ନାମ ମଧ୍ୟ ହେଲା ସ୍କନ୍ଦ। ସେ କୁମାର ବ୍ରତଧାରୀ ଥିଲେ ଏବଂ କ୍ରୌଞ୍ଚ ପର୍ବତକୁ ବିଦ୍ଧ କରିଥିଲେ। ସେ ଦେବସେନାପତି ରୂପେ ତାରକା ଅସୁରକୁ ନିହତ କରିଥିଲେ।
ବ୍ରତ ପାଳନର ରୀତିନୀତି
‘ବରାହ ପୁରାଣ’ ଅନୁସାରେ, ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ବ୍ରହ୍ମାଙ୍କ ଦ୍ବାରା ସ୍କନ୍ଦ ଦେବସେନାପତି ପଦରେ ଅଧିଷ୍ଠିତ ହୋଇଥିଲେ। ତେଣୁ ତାହା ‘ସ୍କନ୍ଦଷଷ୍ଠୀ’ ରୂପେ ପାଳିତ ହୁଏ। ଏହି ଦିନ ରୀତିନୀତି ଅନୁଯାୟୀ ପ୍ରଭୁ କାର୍ତ୍ତିକେୟଙ୍କୁ ଉପବାସ କରି ଉପାସନା କରିବାକୁ ହୁଏ। ଏହି ବ୍ରତର ସୁଫଳ ହେଉଛି- ନିଜ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବା ଏବଂ ଜୀବନରେ ଲାଗି ରହିଥିବା ସମସ୍ୟାରୁ ଆଶ୍ଵସ୍ତି ପାଇବା। ଏହି ଦିନର ଉପବାସ ମଧ୍ୟ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହିଳାମାନେ ନିଜ ସନ୍ତାନମାନଙ୍କର ଦୀର୍ଘ ଜୀବନ, ସୁଖ, ସମୃଦ୍ଧି ଏବଂ ସୁସ୍ଥତା ପାଇଁ ଏହି ଦିନ ଉପବାସ ପାଳନ କରନ୍ତି। ଏହି ଦିନ ସ୍କନ୍ଦଙ୍କୁ ପୂଜା କଲେ ସନ୍ତାନ ଦୀର୍ଘାୟୁ, ନିରୋଗୀ ଓ ସଫଳତା ପ୍ରାପ୍ତ ହୁଅନ୍ତି। ଭୟ, ଶତ୍ରୁ ଓ ଦୁଷ୍ଟ ଶକ୍ତିରୁ ରକ୍ଷା ମିଳେ। ଯୁଦ୍ଧ, ବିବାଦ ଓ ପ୍ରତିଯୋଗିତାରେ ବିଜୟ ଲାଭ ହୁଏ। ଏହା ଶିବ ପରିବାରର ପୂଜାର ଏକ ଅଂଶ ବିଶେଷ। ତେବେ ବିଶେଷ ଭାବରେ ସନ୍ତାନ ପ୍ରାପ୍ତିର ଇଚ୍ଛା ପାଇଁ ସ୍କନ୍ଦ ଷଷ୍ଠି ବ୍ରତ ରଖିବା ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ବୋଲି ବିଶ୍ୱାସ ରହିଛି।
କାର୍ତ୍ତିକେୟଙ୍କର ଅନ୍ୟ ୧୭ଟି ନାମ
ଭଗବାନ କାର୍ତ୍ତିକେୟଙ୍କର ଅନେକ ନାମ ରହିଛି। ସେହି ମଧ୍ୟରେ ୧୭ଟି ହେଉଛି ପ୍ରମୁଖ। ନାମଗୁଡ଼ିକ ହେଉଛି- ୧. କାର୍ତ୍ତିକେୟ, ୨. ମହାସେନ, ୩. ଶରଜନ୍ମନ୍, ୪. ଷଡ଼ାନନ, ୫. ପାର୍ବତୀ-ନନ୍ଦନ, ୬. ସ୍କନ୍ଦ, ୭. ସେନାନୀ, ୮. ଅଗ୍ନିଲୁ, ୯. ଗୁହଃ, ୧୦. ବାହୁଳେୟ, ୧୧. ତାରକଜିତ୍, ୧୨. ବିଶାଖ, ୧୩. ଶିଖିବାହନ, ୧୪. ଷଣ୍ଡାତୁର, ୧୫. ଶକ୍ତିଧର, ୧୬, କୁମାର, ୧୭, କ୍ରୌଞ୍ଚଦାରଣ। ଏହି ୧୭ଟି ଯାକ ନାମ ପଛରେ ସ୍ବତନ୍ତ୍ର କଥା ଓ କାହାଣୀ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/kumar-kartikeya-birth-story-2026-03-09-13-40-15.jpg)