AANLA-NAVAMI Photograph: (OTV)
ପବିତ୍ର ଅଁଳା ନବମୀ। ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ରାଧାରାଣୀ। ଏଥିପାଇଁ ଭୋର ୫ଟାରୁ ସାକ୍ଷୀଗୋପାଳରେ ଆରମ୍ଭ ହୋଇଛି ରାଧାପାଦ ଦର୍ଶନ। ଆଜି ବିଳମ୍ବିତ ରାତି ଯାଏ ଚାଲିବ ଦର୍ଶନ। ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ରାଧାଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଶ୍ରଦ୍ଧାଳୁମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଆଜିର ଦିନରେ ମାଆଙ୍କର ପାଦ ଦର୍ଶନରେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପାଳ ଗୋପାଳଜୀ ମନ୍ଦିରରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଯାଇଛି। ଶୃଙ୍ଖଳିତ ରାଧାପାଦ ଦର୍ଶନ ପାଇଁ ୧୧ ଧାଡ଼ିଆ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି।...
ହିନ୍ଦୁ ଧର୍ମରେ ଅଁଳା ନବମୀର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ। ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ଏହି ଅଁଳା ଗଛର ମହିମା ରହିଚି। ଅଁଳା ନବମୀ ଦିନ ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ଏହା ପଛରେ ଏକ କାହାଣୀ ରହିଛି।
କୁହାଯାଏ ଯେ, ଥରେ ମା’ ଲକ୍ଷ୍ମୀ ପୃଥିବୀଲୋକକୁ ବୁଲିବାକୁ ଆସିଥିଲେ। ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ତାଙ୍କୁ ଇଚ୍ଛା ହେଲା। ସେତେବେଳେ ସେ ମନେପକାଇଲେ ଯେ, ତୁଳସୀ ହେଉଛି ନାରାୟଣଙ୍କ ପ୍ରିୟ। କିନ୍ତୁ ଶିବଙ୍କର ନୁହେଁ। ଶିବଙ୍କ ପୂଜାରେ ତୁଳସୀ ଲାଗେନି। କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି। ସେଥିପାଇଁ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି।
ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ୱରୂପ ଭାବି ପୂଜା କଲେ। ମା’ଙ୍କ ପୂଜା ପରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁ ପ୍ରକଟ ହେଲେ। ଏହାପରେ ମା’ଲକ୍ଷ୍ମୀ ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କଲେ ଓ ଶିବ ଓ ବିଷ୍ଣୁଙ୍କୁ ଭୋଜନ କରାଇଲେ। ସେହିଦିନଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷରେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ ଏବଂ ଅଁଳା ଗଛ ମୂଳରେ ରୋଷେଇ ମଧ୍ୟ ହୋଇଥାଏ। ସେହିଦିନଠାରୁ ଏହି ପ୍ରଥା ଚାଲି ଆସିଛି।
ଅଁଳା ନବମୀ ପାଳନ କାହିଁକି ହୁଏ
ଅଁଳା ନବମୀ ସୃଷ୍ଟି ପଛରେ ଗୋଟିଏ ସୁନ୍ଦର କିମ୍ବଦନ୍ତୀ ରହିଛି। ଥରେ କାଶୀ ନଗରୀରେ ଗୋଟିଏ ନିଃସନ୍ତାନ ଧର୍ମାତ୍ମା ବୈଶ୍ୟ ଦମ୍ପତି ରହୁଥିଲେ l ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ- ଯଦି କାଳ ଭୈରବଙ୍କୁ ସେ ଗୋଟିଏ ଶିଶୁ ବଳି ଦେବେ, ତେବେ ତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହେବ।
ଏହି କଥା ବୈଶ୍ୟଙ୍କୁ ପତ୍ନୀ କହିବାରୁ ସେ ଏଭଳି କ୍ରୁର ପାପକର୍ମ କରିବା ପାଇଁ ମନା କରିଦେଲେ। କିନ୍ତୁ ବୈଶ୍ୟପତ୍ନୀ ପୁତ୍ର ପାଇବା ଆଶାରେ ଏହା କରିବା ପାଇଁ ଚାହୁଁଥିଲେ। ଦିନେ ସେ ଜଣେ ଶିଶୁକନ୍ୟାକୁ ଭୈରବଙ୍କ ନାମରେ ବଳି ଚଢାଇ ଏକ କୂଅରେ ଫିଙ୍ଗି ଦେଲେ l ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ବୈଶ୍ୟ ପତ୍ନୀଙ୍କ ଦେହ ଭୀଷଣ ଭାବରେ ଅସୁସ୍ଥ ହୋଇ ପଡିଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କରିବାକୁ ଲାଗିଲା।
ପରେ ବୈଶ୍ୟ ପତ୍ନୀଙ୍କଠାରୁ ସମସ୍ତ ଘଟଣା ବିଷୟରେ ଅବଗତ ହେଲେ l ବୈଶ୍ୟ ତାଙ୍କୁ ତିରସ୍କାର କରି କହିଲେ, ଗୋ, ବ୍ରାହ୍ମଣ ଏବଂ ବାଳ ବଧ କରିଥିବା ବ୍ୟକ୍ତି ପାଇଁ ସଂସାରରେ କେଉଁଠି ସ୍ଥାନ ନାହିଁ l ଗଙ୍ଗାସ୍ନାନ, ବିଭୁ ଚିନ୍ତନ ଓ ଭଜନ ଦ୍ୱାରା ତାଙ୍କର ଏହି ଘୋର ପାପର ପ୍ରାୟଶ୍ଚିତ ହୋଇ ପାରିବ l ବୈଶ୍ୟ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗାକୁ ସ୍ନାନ ପାଇଁ ଗଲେ l
ସ୍ନାନ କାଳରେ ଗଙ୍ଗା ଦେବୀଙ୍କୁ ଆକୁଳ ପ୍ରାର୍ଥନା କରୁଥିଲା ବେଳେ, ଗଙ୍ଗା ମାତା ଆବିର୍ଭାବ ହୋଇ ତାଙ୍କୁ ଏ ପାପର ଖଣ୍ଡନ ପାଇଁ କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ନିମନ୍ତେ କହିଲେ l ଗଙ୍ଗା ମାତାଙ୍କ କହିବା ଅନୁଯାୟୀ ସେ ଅଁଳା ଗଛର ପୂଜା କରି ଅଁଳା ସେବନ କରିବାରୁ ତାଙ୍କ ଶରୀର ରୋଗମୁକ୍ତ ହେଲା। ଏହି ପୂଜା କରିବାର କିଛିଦିନ ପରେ ତାଙ୍କୁ ଏକ ପୁତ୍ରପ୍ରାପ୍ତି ମଧ୍ୟ ହୋଇଥିଲା l ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ସେହିଦିନଠାରୁ ଚଳି ଆସୁଛି ବୋଲି ବିଶ୍ୱାସ କରାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/aanla-navami-2025-10-31-09-20-52.jpg)