Advertisment

Nuapada Bypoll A Litmus Test: ନୂଆପଡ଼ା ଉପନିର୍ବାଚନ, ରାଜ୍ୟବାସୀଙ୍କ ଆଗରେ ଦଳ ଗ୍ରହଣୀୟତାର ଅଗ୍ନିପରୀକ୍ଷା

୨୦୨୪ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ କ୍ଷମତା ହାସଲ କରିଥିବା ବିଜେପି ପାଇଁ ନୂଆପଡା ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ସାଧାରଣ ଜନତାଙ୍କ ଭାଷାରେ ଏହାକୁ ଏକ ‘ଘାଟି’ କୁହାଯାଇପାରେ । ଏହି ଘାଟି ପାରି ହୋଇପାରିଲେ ଆଗକୁ ଦଳକୁ ଯାତ୍ରା ଆଉ ସେତେଟା କଠିନ ହେବ ନାହିଁ ।

nuapada bypoll

nuapada bypoll Photograph: (OTV)

Advertisment

ଓଡ଼ିଶା ରାଜନୀତି ବର୍ତ୍ତମାନ ନୂଆ ଏକ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି । ଭାରତୀୟ ଜନତା ପାର୍ଟି (ବିଜେପି), ଜାତୀୟ କଂଗ୍ରେସ ଓ ବିଜୁ ଜନତା ଦଳ ୨୦୨୪ ପରେ ଏବେ ଏକ ପ୍ରତ୍ୟକ୍ଷ ନିର୍ବାଚନୀ ଲଢ଼େଇ ପର୍ଯ୍ୟାୟରେ ପ୍ରଥମଥର ପରସ୍ପରର ସାମ୍ନା କରିବାକୁ ଯାଉଛନ୍ତି । ଏହି ପର୍ଯ୍ୟାୟରେ ତିନିଟି ଦଳ ନିଜ ନିଜର ଗ୍ରହଣୀୟତାର ଅଗ୍ନିପରୀକ୍ଷା ଦେବାକୁ ଯାଉଛନ୍ତି। ଏହି ଅଗ୍ନି ପରୀକ୍ଷାର ସ୍ଥଳ ହେଉଛି ପଶ୍ଚିମ ଓଡ଼ିଶାରେ । ଆଉ ସେହି ନିର୍ଦ୍ଦିଷ୍ଟ ସ୍ଥାନଟି ହେଲା ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ।

Advertisment

ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଅସମୟରେ ମୃତ୍ୟୁ ପରେ ଏବେ ଏହି ବିଧାନସଭା ଆସନଟି ଖାଲି ପଡ଼ିଛି । ବିହାର ବିଧାନସଭା ନିର୍ବାଚନ ସହିତ ଏଠି ଉପନିର୍ବାଚନ ହେବାକୁ ଯାଉଛି ।
ଇତି ମଧ୍ୟରେ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଲାଣି । ତିନି ରାଜନୈତିକ ଦଳମାନଙ୍କ ସହିତ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ପ୍ରଚାର ମଇଦାନକୁ ପୋଷ୍ଟର, ବ୍ୟାନର ଓ ହୋଡିଂ ଲଗାଇ ଉଷ୍ମ କରିସାରିଲେଣି ।

ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ବିଜୁ ଜନତା ଦଳର ନେତାମାନେ ସେଠାକୁ ଗସ୍ତ କରି ନିଜ ଦଳ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିସାରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ନୂଆପଡ଼ା ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ ଢାଞ୍ଚାରେ ପ୍ରୟାସ କରାଯାଉଛି ।

Advertisment

ସମୀକ୍ଷକମାନଙ୍କ ମତରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଏକ ସାଧାରଣ ନିର୍ବାଚନ ନୁହେଁ, - ଏହା ଚଳନ୍ତି ଓଡ଼ିଶା ରାଜନୀତିର ତଥା ପ୍ରଗତିର ଏକ ବାରୋମିଟର ଭାବେ ପରିଦୃଶ୍ୟମାନ ହେବାକୁ ଯାଉଛି । ଏହି ନିବାର୍ଚନର ଫଳାଫଳ ବିଜୟୀ ଦଳକୁ ଢ଼େର ମାନସିକ ତଥା ନୈତିକ ବଳ ଯୋଗାଇ ଦେବାର ଅପାର ସମ୍ଭାବନା ସୃଷ୍ଟି କରିବ । 

୨୦୨୭ରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ବିଜୟୀ ଦଳକୁ ଜନତାଙ୍କ ପାଖକୁ ବହୁତ ଆତ୍ମବିଶ୍ୱାସ ଯୋଗାଇଦେବ । ଅନ୍ୟପକ୍ଷରେ ପରାଜିତ ଦଳମାନଙ୍କୁ ନିଜ ଶକ୍ତି ଓ ସ୍ଥିତିର ଚଳନ୍ତି ଆକଳନର ଏକ ଚିତ୍ର ପ୍ରଦାନ କରିବା ସହିତ ସେମାନଙ୍କୁ ପାଖାପାଖି ଦେଢ଼ବର୍ଷର ତ୍ରୁଟି ସଂଶୋଧନର ସୁଯୋଗ ପ୍ର୍ରଦାନ କରିବ ।

Advertisment

୨୦୨୪ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ କ୍ଷମତା ହାସଲ କରିଥିବା ବିଜେପି ପାଇଁ ନୂଆପଡା ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ସାଧାରଣ ଜନତାଙ୍କ ଭାଷାରେ ଏହାକୁ ଏକ ‘ଘାଟି’ କୁହାଯାଇପାରେ । ଏହି ଘାଟି ପାରି ହୋଇପାରିଲେ ଆଗକୁ ଦଳକୁ ଯାତ୍ରା ଆଉ ସେତେଟା କଠିନ ହେବ ନାହିଁ । 

ଦଳର ପ୍ରଦର୍ଶନ ଭଲ ରହିଲେ ମୋହନ ମାଝୀ ଓ ନରେନ୍ଦ୍ର ମୋଦିଙ୍କ ଡବଲ ଇଂଜିନ୍ ସରକାର ସଠିକ୍ ଭାବରେ ରାଜ୍ୟ ପାଇଁ କାମ କରୁଛନ୍ତି ବୋଲି ପ୍ରତିପାଦିତ ହେବ । ରାଜ୍ୟ ରାଜନୀତିରେ ମୋହନ ମାଝୀଙ୍କ କାଟତି ବା ପ୍ରଭାବ ଢେର ବଢ଼ିବ । ବିଜେପିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ଏହା ମଧ୍ୟ ଅଧିକ ଶକ୍ତି ଯୋଗାଇବ ।

ନୂଆପଡ଼ା ଉପନିର୍ବାଚନ ଯେଉଁ ଦଳ ପାଇଁ ବିଶେଷ ତଥା ସ୍ୱତନ୍ତ୍ର ଭାବେ ଅଧିକ ଗୁରୁତ୍ୱ ରଖୁଛି, ସେହି ଦଳଟି ହେଲା ବିଜୁ ଜନତା ଦଳ । ୨୪ ବର୍ଷର ନିରବଚ୍ଛିନ୍ନ ଶାସନ ପରେ ଦଳ ଏବେ ବିରୋଧୀ ଦଳରେ ରହିବା ସହିତ ଅଭ୍ୟସ୍ତ ହେବା ପାଇଁ ପ୍ରୟାସ କରୁଥିବା ଲକ୍ଷ୍ୟ କରାଯାଉଛି । ଦିବଂଗତ ରାଜେନ୍ଦ୍ର ଢୋଲକିଆ ଏହି ଦଳର ବିଧାୟକ ଥିଲେ । ଦଳକୁ ଯେନତେନ ପ୍ରକାର ଏହି ଆସନଟିକୁ ବଜାୟ ରଖିବା ପାଇଁ ପଡ଼ିବ ।

ଯଦି ଦଳ ଏହି ଲକ୍ଷ୍ୟରେ ସଫଳ ହେଉଛି, ତେବେ ନବୀନ ପଟ୍ଟନାୟକଙ୍କ ସରକାରରେ ତୃଣମୂଳସ୍ତର ଲୋକମାନଙ୍କ ପାଇଁ ନିଆଯାଇଥିବା ଜନାଭିମୁଖୀ କାର୍ଯ୍ୟକ୍ରମର ସୁଫଳ ସେମାନେ ପାଉଛନ୍ତି ବୋଲି ପ୍ରମାଣିତ ହେବ । ଦଳକୁ ଜନତାଙ୍କର ସମର୍ଥନ ଫେରି ପାଇବା ପାଇଁ ଏହା ଏକ ସୁଯୋଗ ପ୍ରଦାନ କରିବ । ସବୁଠାରୁ ବଡ଼କଥା ହେଉଛି ନବୀନ ପଟ୍ଟନାୟକ ପୂର୍ବପରି ଆଉ ସଂଗଠନରେ ଏତେଟା ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଦେଖାଯାଉନାହିଁ । ଅତ୍ଏବ୍ ଏହି ନିର୍ବାଚନ ଯଦି ଦଳ ଜିତିଯାଏ, ତେବେ ପ୍ରଚ୍ଛଦପଟରେ କାହା ନେତୃତ୍ୱରେ ଏହି ନିର୍ବାଚନ ଲଢାଗଲା ତାହା ଧିରେ ଧିରେ ଚର୍ଚ୍ଚାକୁ ଆସିବ ଏବଂ ସେହି ନେତା ଦଳ ଭିତରେ ଓ ବାହାରେ ବିଜୁ ଜନତା ଦଳର ପରବର୍ତ୍ତୀ ନୀତି ନିର୍ଣ୍ଣାୟକ ବ୍ୟକ୍ତି ଭାବେ ପରିଗଣିତ ହେବେ । ତାଙ୍କ ଅନ୍ତର୍ଦୃଷ୍ଟିରେ ଦଳର ସାଙ୍ଗଠନିକ କାର୍ଯ୍ୟଧାରା ଚାଲିବ ।

କଂଗ୍ରେସ ପାଇଁ ନୂଆପଡ଼ା ନିର୍ବାଚନ ସବୁଠାରୁ ବଡ଼ ଆହ୍ୱାନ । ଦିନ ଥିଲା, ପଶ୍ଚିମ ଓଡ଼ିଶା ଦଳର ଗଡ଼ ଥିଲା । ଏହାପରେ ଭାରତୀୟ ଜନତା ପାର୍ଟିର ଏହା ହସ୍ତମୁଦି ମାହାଲରେ ପରିଣତ ହୋଇଥିଲା ଏବଂ ପରେ ଏହା ବିଜୁ ଜନତା ଦଳ ହାତକୁ ଚାଲିଯାଇଥିଲା । ଏବେ ପୁଣି ଥରେ ଭାରତୀୟ ଜନତା ପାର୍ଟି ଏଠାରେ ନିଜର ସ୍ଥିତିକୁ ଜାହିର କରିସାରିଛି ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପାଇଁ ଏହି ଉପନିର୍ବାଚନ ଓଡ଼ିଶାର ପରିବର୍ତ୍ତନଶୀଳ ରାଜନୈତିକ ଦୃଶ୍ୟପଟ୍ଟରେ ପୁଣି ଥରେ ଦଳର ଆଧିପତ୍ୟକୁ ଜାହିର କରିବା ପାଇଁ ଏକ ଅପୂର୍ବ ସୁଯୋଗ ପ୍ରଦାନ କରିବାକୁ ଯାଉଛି। ଦେଖିବାର କଥା ଦଳ ଏହି ସୁଯୋଗକୁ କିପରି ଉପଯୋଗ କରୁଛି ।




Nuapada ByElection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ