SALARY HIKE Photograph: (OTV)
ବିଧାୟକମାନଙ୍କର ଦରମା ଓ ଭତ୍ତା ୧ଲକ୍ଷ୧୧ ହଜାର ଟଙ୍କାରୁ ବୃଦ୍ଧି ପାଇ ୩ଲକ୍ଷ୪୫ ହଜାର ଟଙ୍କା ହେବା ନେଇ ଲାଗି ରହିଥିବା ବିବାଦ ଏବେ ଟିକିଏ ସମ୍ମାନଜନକ ସମାଧାନ ରାସ୍ତା ଆଡ଼କୁ ଗତି କରୁଥିବା ଜଣାପଡ଼ୁଛି । ବିଶେଷ କରି ଗତ ୧୮ ତାରିଖ ଦିନ ଭାରତୀୟ ଜନତା ପାର୍ଟିର ବିଧାୟକ ଓ ବରିଷ୍ଠ ନେତାମାନଙ୍କର ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବୈଠକ ପରେ ବିଧାୟକମାନେ ଦରମା ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦରମା ବୃଦ୍ଧିର ପୁନଃବିଚାର ପାଇଁ ଅନୁରୋଧ କରିବା ପରେ କିଛି ପରିମାଣରେ ଏହି ସମାଧାନର ରାସ୍ତା ଖୋଲୁଥିବା ଦେଖାଯାଉଛି ।
ବିବାଦ ତଥା ସମାଲୋଚନାର ପର୍ବ ଆରମ୍ଭ ହୁଏ ଡିସେମ୍ବର ମାସ ୯ ତାରିଖରୁ। ଏହି ଦିନ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନଙ୍କ ଦରମା ବୃଦ୍ଧି ସମ୍ପର୍କିତ ଚାରିଗୋଟି ସଂଶୋଧନ ବିଧାୟକ ବିଧାନସଭାରେ ଉପସ୍ଥାପିତ ହୁଏ । ମାତ୍ର କିଛି ମିନିଟ୍ ମଧ୍ୟରେ ଗଭୀର ଆଲୋଚନା ବିନା ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଓ ଜାତୀୟ କଂଗ୍ରେସର ବିଧାୟକମାନଙ୍କ ଅଭୂତ ପୂର୍ବ ସମର୍ଥନରେ ବିଧେୟକ ବା ବିଲ୍ଗୁଡ଼ିକ ପାରିତ ହୋଇଯାଏ । ଏହାପରେ ଏ ନେଇ ରାଜ୍ୟବ୍ୟାପୀ ଝଡ଼ ସୃଷ୍ଟି ହୁଏ । ସାମାଜିକ ଗଣମାଧ୍ୟମରେ ଉଭୟ ସରକାରୀ ଓ ବିରୋଧୀ ଦଳମାନେ କଡ଼ା ସମାଲୋଚନାର ଶରବ୍ୟ ହୁଅନ୍ତି ।
ଉଭୟ ସରକାର ଓ ବିରୋଧୀ ଦଳ ସେତିକି ବେଳେ ଅକଳରେ ପଡ଼ିଲେ ଯେତେବେଳେ ବଣାଇର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କବାଦୀ) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଦରମା ବୃଦ୍ଧି ନେଇ ମୁଁହ ଖୋଲିଲେ । ସେ କହିଲେ ଯେ ସେ ଭାସ୍କର ମଢେଇ କମିଟି ଦରମା ବୃଦ୍ଧି ସମ୍ପର୍କରେ ଆଲୋଚନା କରୁଥିବା ବେଳେ ସେ ଏହାର ବିରୋଧ କରିଥିଲେ । ଏହାପରେ ବିଜେପି ବିଧାୟକ ବାବୁ ସିଂ କହିଥିଲେ ଯେ ସେ ତାଙ୍କ ବର୍ଦ୍ଧିତ ଦରମା ପ୍ରତିମାସରେ ଗରିବ ଲୋକଙ୍କୁ ଦାନ କରିବେ । ଏହାର ଦିନକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ଗରିବ ଜନସାଧାରଣଙ୍କୁ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚିଠି ଲେଖିବା ଘଟଣା ଭିନ୍ନ ଏକ ପରିସ୍ଥିତି ସୃଷ୍ଟି କଲା ।
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନର୍ବିଚାର ପାଇଁ ନିବେଦନ କରିଛି ବିଜେଡି । ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ 'ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍ ପାରିତ ହୋଇଥଲା' । ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହାର ପୁନର୍ବିଚାର କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ପୂର୍ବରୁ ବର୍ଦ୍ଧିତ ଦରମା ନେବାକୁ ମନା କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ।
ପିସିସି ସଭାପତି ଭକ୍ତ ଦାସ ମଧ୍ୟ ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ‘ଦରମା କାହିଁକି ଏତେ ବଢ଼ାଇଲେ, ପୁଣି ଏବେ କାହିଁକି ପୁନଃବିଚାର କରୁଛନ୍ତି। ଯେତେବେଳେ ଆବଶ୍ୟକ ଉପଯୁକ୍ତ ପରିମାଣର ଦରମା ବଢ଼ିଲେ ଲୋକେ ଗ୍ରହଣ କରିବେ। ଦରମା ବଢ଼ାଇବାର ଆବଶ୍ୟକତା ନ ଥିଲା।
ଅସନ୍ତୋଷର ଅଗ୍ନି
ଦୀର୍ଘ ୧୮ ମାସ ଧରି ମୋହନ ମାଝି ସରକାର ଯେଉଁ ସବୁ ଭଲ କାମ କରିଥିଲେ ଏବଂ ଏ ନେଇ ଅନେକ ପରିମାଣରେ ଜନାଦୃତି ତଥା ଜନ ସ୍ୱୀକୃତି ପାଇଥିଲେ, ତାହା ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା । ରାଜ୍ୟବାସୀଙ୍କ ମନରେ ଏକ ବଡ଼ ଅସନ୍ତୋଷର ଅଗ୍ନି କୁହଳିବାକୁ ଲାଗିଲା । ର୍ପୂବ ନବୀନ ପଟ୍ଟନାୟକ ସରକାରଙ୍କ ଠାରୁ ଏହା କୌଣସି ଗୁଣରେ ଭଲ ନୁହେଁ ବୋଲି ରାସ୍ତାରେ ଘାଟରେ ଆଲୋଚନା ହେଲା ।
ବିଧାୟକମାନଙ୍କ ଦରମା ବୃଦ୍ଧିର ଆବଶ୍ୟକତା ନଥିଲା ବୋଲି ଆମେ କହିପାରିବା ନାହିଁ । କିନ୍ତୁ କଥାଟି ରହିଥିଲା କେତେ ପରିମାଣରେ ଏବଂ କେଉଁ କେଉଁ ବାବଦରେ ସେମାନଙ୍କର ଦରମା ବଢିବାର ଥିଲା । ମୂଳ ଦରମା ୩୫ ହଜାର ଟଙ୍କାରୁ ୯୦ ହଜାର ଟଙ୍କାକୁ ବୃଦ୍ଧି କରାଗଲା । ଏହାକୁ କେହି ବିରୋଧ କରୁନଥିଲେ । କିନ୍ତୁ ବିବାଦ ହେଲା ମାସକୁ ସମ୍ବାଦପତ୍ର ବାବଦରେ ୧୦ ହଜାର ଟଙ୍କା, ବିଦ୍ୟୁତ ବାବଦରେ ୨୦ ହଜାର ଟଙ୍କା ଓ ଟେଲିଫୋନ୍ ବାବଦରେ ୧୫ ହଜାର ଟଙ୍କା ଓ ମେଡ଼ିକାଲ ବାବଦରେ ୩୫ ହଜାର ଟଙ୍କା ଭତ୍ତା ପ୍ରାବଧାନକୁ ନେଇ ।
ଡିଜିଟାଲ ଗ୍ରାହକ ସେବାରେ...
ମାସକୁ ୧୦ ହଜାର ଟଙ୍କାର ସମ୍ବାଦପତ୍ର ଭତ୍ତାକୁ ଯଦି ଆମେ ବିଚାରକୁ ନେବା, ତେବେ ଏହା ବାର୍ଷିକ ୧ଲକ୍ଷ ୨୦ ହଜାର ଟଙ୍କା ହେଉଛି । ଏବେ ଆମେ ଇ-ଗଭର୍ଣ୍ଣାନ୍ସ ଓ ଇ-ଅଧ୍ୟୟନ କଥା କହୁଛେ । ଯଦି ବିଶ୍ୱର ତଥା ଭାରତର ସବୁ ପ୍ରମୁଖ ଖବରକାଗଜ ଓ ମାଗାଜିନଗୁଡ଼ିକର ଆମେ ଡିଜିଟାଲ ଗ୍ରାହକ ଭାବେ ସେବା ନେବା, ଏହା କେବେ ବାର୍ଷିକ ୨୦-୨୫ ହଜାର ଟଙ୍କାରୁ ଅଧିକ ହେବ ନାହିଁ । ସେହିପରି ଗୋଟିଏ ଛୋଟ କୁଟୀର ଶିଳ୍ପ ଚଳାଇଲେ ମଧ୍ୟ ମାସିକ ୨୦ ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ ଆସିବ ନାହିଁ ।
ଗ୍ରୁପ୍ ବୀମାରେ ଖର୍ଚ୍ଚ କମିଯିବ
ଦରମା ବୃଦ୍ଧି ବିଧେୟକରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ କମ୍ପୋନେଣ୍ଟ ବା ବ୍ୟବସ୍ଥା ହେଲା ମାସିକ ୩୫ହଜାର ମେଡିକାଲ ଭତ୍ତା । ଜାଣିବା ଶୁଣିବା ଅର୍ଥନୈତିକ ବିଶାରଦମାନଙ୍କ ମତରେ ଯଦି ବିଧାୟକମାନଙ୍କର ଗ୍ରୁପ୍ ବୀମା କରାଯାଏ, ତେବେ ବାର୍ଷିକ ୧ କୋଟି ଟଙ୍କାର ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ପ୍ରତ୍ୟେକ ବିଧାୟକଙ୍କ ପାଇଁ ପ୍ରିମିୟମ୍ ବା ବାର୍ଷିକ ଦେୟ ୩୦-୩୫ ହଜାରରୁ ଅଧିକ ହେବ ନାହିଁ । ତେବେ ବିଲରେ ଥିବା ବ୍ୟବସ୍ଥା ଅନୁସାରେ ସେମାନେ ଏବେ ୪ଲକ୍ଷ ୨୦ ହଜାର ଟଙ୍କା ପାଇଁ ହକଦାର ହେବାକୁ ଯାଉଛନ୍ତି ।
ସେହିପରି ଆଉ ଏକ ବଡ଼ ଆଶ୍ଚର୍ଯ୍ୟ କଥା ହେଲା ମାସିକ ୧୫ହଜାର ଟଙ୍କାର ଟେଲିଫୋନ ବିଲ୍ । ଅର୍ଥାତ୍ ଏ ବାବଦରେ ଜଣେ ବିଧାୟକ ବାର୍ଷିକ ୧ ଲକ୍ଷ ୮୦ ହଜାର ଟଙ୍କା ପାଇବେ। ବର୍ତ୍ତମାନ ସମୟରେ ଯଦି ଗୋଟିଏ ପରିବାର ଲାଗି ୯୯୯ ଟଙ୍କାର ଗ୍ରୂପ୍ ଟେଲିଫୋନ ସଂଯୋଗ ନିଆଯାଉଛି, ତେବେ ଅନ୍ୟୁନ ୫ଗୋଟି ଫୋନ ସହିତ ଅସୀମିତ ଇଣ୍ଟରନେଟ୍ ସେବା ମିଳିପାରୁଛି।
ଏବେ ତେଲେଙ୍ଗାନା ରାଜ୍ୟରେ ଜଣେ ବିଧାୟକଙ୍କ ମାସିକ ଦରମା ଓ ଭତ୍ତା ୨ଲକ୍ଷ ୫୦ ହଜାର ଟଙ୍କା ଥିବା ବେଳେ କେରଳରେ ରହିଛି ୭୦ ହଜାର ଟଙ୍କା ।
ସମ୍ମୁଖରେ ନହେଲେ ମଧ୍ୟ ଅନେକ ବିଧାୟକ କହୁଛନ୍ତି ଯେ ସେମାନଙ୍କୁ ପ୍ରତିଦିନ ବିବାହ, ବ୍ରତ, ଜନ୍ମଦିନ, କ୍ରୀଡ଼ା ଉତ୍ସବ ଇତ୍ୟାଦି ବାବଦରେ ହଜାର ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ୁଛି । ଏହା ଶତପ୍ରତିଶତ ସତ । ଜନସାଧାରଣ ଯଦି ବିଧାୟକମାନଙ୍କ ଠାରୁ ଏ ପ୍ରତ୍ୟାଶା ନରଖନ୍ତେ, ସେମାନେ ବି ଏତେ ପରିମାଣରେ ଚାପଗ୍ରସ୍ତ ହୁଅନ୍ତେ ନାହିଁ କି ଆଶାତୀତ ଦରମା ବୃଦ୍ଧି ପାଇଁ ଇଚ୍ଛା ପ୍ରକଟ କରନ୍ତେ ନାହିଁ । ଜଣେ ବିଧାୟକ ଥରେ ନିଜ ବିଧାନସଭା ନିର୍ବାଚନମଣ୍ଡଳୀକୁ ଗସ୍ତ କଲା ବେଳେ ତେଲ ଓ ନିଜର ସାଙ୍ଗରେ ଥିବା ସହଯୋଗୀମାନଙ୍କ ଲାଗି ତାଙ୍କୁ ବେଶ୍ କିଛି ଖର୍ଚ୍ଚ କରିବା ପାଇଁ ପଡ଼ିଥାଏ ।
ଏଠାରେ କୁହାଯାଇ ପାରେ ଯେ ଯଦି ଆମେ ଆମ୍ଭମାନଙ୍କର ବିଧାୟକ ବା ସାଂସଦମାନଙ୍କୁ ଆମର ପୂଜା ଓ ପର୍ବପର୍ବାଣୀ ଲାଗି ଆର୍ଥିକ ଚାପଗ୍ରସ୍ତ ନକରିବା, ସେମାନେ ମଧ୍ୟ ଏ ସୁସ୍ଥ ମାନସିକ ସ୍ଥିତିରେ କାର୍ଯ୍ୟ କରିପାରିବେ । ଅନେକ ବିଧାୟକ ଗୋପନରେ କୁହନ୍ତି ଯେ ସେମାନଙ୍କୁ ମାସିକ ୫ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । କିନ୍ତୁ ସେମାନେ ଏହାକୁ ନିଜର ଅନ୍ୟାନ୍ୟ ବ୍ୟବସାୟ ବା ଆର୍ଥିକ କାରବାରରୁ ଭରଣା କରୁଛନ୍ତି । ଯେଉଁ ବିଧାୟକମାନଙ୍କର ଅନ୍ୟାନ୍ୟ କିଛି ଆର୍ଥିକ ବ୍ୟବସାୟ ବାଣିଜ୍ୟ ନାହିଁ, ସେମାନଙ୍କୁ ଚାପଗ୍ରସ୍ତ କରାଇଲେ, ସେମାନେ ଦାନଧର୍ମ ପାଇଁ ନିଶ୍ଚିତ ଭାବରେ ଦୁର୍ନୀତିର ରାସ୍ତାରେ ପାଦ ଦେବେ ।
ଆମ ନାଗରିକମାନଙ୍କର ଏକ ବଡ଼ ଦାୟିତ୍ୱ ହେଉଛି ଯେ ବିଧାୟକମାନଙ୍କ ନିକଟରୁ କୌଣସି ପ୍ରକାରେ କିଛି ଦାନ ସଂଗ୍ରହ ନକରିବା । ସେମାନେ ଯଦି ଆମର ପୂଜାପାର୍ବଣ ବା ସାମାଜିକ ଉତ୍ସବରେ ଫୁଲଟିଏ ନେଇ ଉପସ୍ଥିତ ହେଉଛନ୍ତି, ତାହା ହିଁ ଏବେ ସେମାନଙ୍କର ଶ୍ରେଷ୍ଠ ଉପହାର । ସମାଜକୁ ସୁସ୍ଥ ଓ ସୁନ୍ଦର ରଖିବାରେ ଆମ ସମସ୍ତଙ୍କର ସମପରିମାଣରେ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ।
ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/19/salary-hike-2025-12-19-16-57-29.jpg)