Guru Panchami Brata Photograph: (OTV)
ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଗୁରୁବାର ପଡ଼ିଲେ ଗୁରୁ ପଞ୍ଚମୀ ବ୍ରତ ପାଳନ ହୁଏ।ଦେବୀ ଲକ୍ଷ୍ମୀଙ୍କର ଅନେକ ବ୍ରତ ମଧ୍ୟରୁ ଗୋଟିଏ ହେଉଛି ଏହି ଗୁରୁପଞ୍ଚମୀ ବ୍ରତ। ଏହା ଏକ ଯୋଗଜ ବ୍ରତ। ଏହି ବ୍ରତକୁ ନେଇ କେତେକ ରୋଚକ କାହାଣୀ ରହିଛି।
ରାଜା ମହେନ୍ଦ୍ର ଓ ଗୁରୁ ପଞ୍ଚମୀ ବ୍ରତ କଥା -
ସତ୍ୟ ଯୁଗରେ ପିଙ୍ଗଳ ରାଜ୍ୟରେ ମହେନ୍ଦ୍ର ବୋଲି ଜଣେ ରାଜା ଥିଲେ । ତାଙ୍କ ରାଣୀଙ୍କ ନାମ ବଲ୍ଲଭା । ଦିନେ ସେ ରାଜା ମୃଗୟା କରିଗଲେ । ସେଦିନ ଗୁରୁପଞ୍ଚମୀ ବ୍ରତ ପଡ଼ିଥିଲା । ଅରଣ୍ୟ ମଧ୍ୟରେ କାମପୁର ନାମରେ ଗୋଟିଏ ନଗର ଥିଲା । ସେହି ନଗରର ଅଧିପତି ଧନପାଳ । ସେ ଲୋକମାନଙ୍କୁ ସଙ୍ଗରେ ଧରି ଗୁରୁପଞ୍ଚମୀ ବ୍ରତ କରୁଥିଲେ । ରାଜା ସେଠାରେ ପହଞ୍ଚି ଏହି ବ୍ରତର ମହିମା ଓ ବ୍ରତର ବିଧି ବିଧାନ ବୁଝିଲେ । ବ୍ରତ କରିବେ ବୋଲି ମନସ୍ଥ କଲେ । କିନ୍ତୁ ଧନ ଗର୍ବରେ ମତ୍ତ ହୋଇ ବ୍ରତ କରିବା କଥା ଭୁଲିଗଲେ । ଲକ୍ଷ୍ମୀଙ୍କର କୋପ ପଡିଲା । ରାଜ୍ୟରେ ଶତ୍ରୁ ବଢ଼ିଲେ। ଲୋକମାନେ ମେଳି ହୋଇ ରାଜାଙ୍କୁ ମାରିଦେବେ ବୋଲି ବସିଲେ । ରାଜା ରାଣୀଙ୍କ ସହ ବଣକୁ ବାହାରିଲେ । ବଣରେ ଯାଇ ଗୋଟିଏ ଶାଳଗଛ ମୂଳରେ ବସିଲେ । ସେହି ସମୟରେ ରାଣୀଙ୍କ ଆଗରେ ବ୍ରତ କଥା କହିଲେ । ଲକ୍ଷ୍ମୀଙ୍କ ନାମ ସ୍ମରଣ କରି ସ୍ନାନ ସାରି ଧନପାଳଙ୍କ ପିଣ୍ଡାରେ ଯାଇ ବସିଲେ । ସେମାନେ ସେଠାରେ ଭିକ୍ଷା କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଧନପାଳ କହିଲେ ଆମ ରାଜ୍ୟରେ କେହି ଭିକ୍ଷା କରନ୍ତି ନାହିଁ । ସେ ରାଜା ପିଙ୍ଗଳ ଓ ରାଣୀ ବଲ୍ଲଭାଙ୍କ ପାଇଁ ଘରଟିଏ ଦେଇ ଧନ ଧାନ୍ୟ ଖଞ୍ଜି ଦେଲେ । ରାଣୀ ରନ୍ଧନ ଶାଳାକୁ ଯାଇ ପାକ ପ୍ରସ୍ତୁତ କଲେ । ଏ ସମୟରେ ଲକ୍ଷ୍ମୀ ମାୟା କୁକୁରଟିଏ ପଠାଇଲେ । ସେ ଖାଦ୍ୟକୁ ଅଖାଦ୍ୟ କରିଦେଲା । ରାଜା ରାଣୀ ଉପବାସ ରହିଲେ । ଧନପାଳ ସେମାନଙ୍କୁ ଦୁର୍ବଳ ଦେଖି କାରଣ ପଚାରିବାରୁ ରାଜା କୁକୁର ବୃତ୍ତାନ୍ତ କହି ସାତଦିନ ହେଲା ଉପାସ ଅଛନ୍ତି ବୋଲି ଜଣାଇଲେ ।
ଧନପାଳଙ୍କ ଆଦେଶରେ ଦୁଇଗୁଣ ଖାଦ୍ୟ ପଦାର୍ଥ ଦିଆଗଲା । ପାଇକମାନେ ଜଗି ବସିଲେ । ରାଜା ଖାଇବା ବେଳେ କୁକୁର ଛୁଇଁ ଦେଇଗଲା । ସମସ୍ତେ ମାର୍ ମାର କହିଲା ବେଳକୁ କୁକୁର ଅନ୍ତର୍ଦ୍ଧାନ ହୋଇଗଲା । ଧନପାଳ ଏହି ଖବର ଜାଣିଲେ । ରାଣୀଙ୍କୁ ଡକାଇ ସେ କି ପାପ କରିଛନ୍ତି ବୋଲି ପଚାରିଲେ । ତାଙ୍କୁ ନିଜଘରେ ରଖାଇ ଖାଇବାକୁ ଦେଲେ । କିଛିଦିନ ପରେ ଗୁରୁପଞ୍ଚମୀ ବ୍ରତ ପଡ଼ିଲା । ସେ ରାଜ୍ୟରେ ସମସ୍ତେ ରାଜାଙ୍କ ସହିତ ମିଶି ବ୍ରତ ପାଳନ କରନ୍ତି । ରାଜା ଓ ରାଣୀ ସେମାନଙ୍କ ସହିତ ମିଶି ବ୍ରତ ପାଳିଲେ । ଲକ୍ଷ୍ମୀ ସେମାନଙ୍କ ଉପରେ ପ୍ରସନ୍ନ ହେଲେ । ହାତୀ ସୁନା କଳସ ଢାଳିଲା । ସେ ପୁଣି ନିଜ ରାଜ୍ୟରେ ଯାଇ ରାଜା ହେଲେ । ଧନପାଳ ସାଧବଙ୍କର ଉପକାର ସେ ଭୁଲିଲେ ନାହିଁ । ତାକୁ ଡକାଇ ନେଇ ମନ୍ତ୍ରୀପଣରେ ଶାଢୀଦେଲେ । ସପ୍ତଦୀପା ମହୀରେ ରାଜା ହେଲେ । ଏହିପରି ମର୍ତ୍ତ୍ୟରେ ନାରଦ ଗୁରୁପଞ୍ଚମୀ ବ୍ରତକଥା ସ୍ୱର୍ଗରେ ଇନ୍ଦ୍ରଙ୍କୁ କହିଛନ୍ତି ।
ଲକ୍ଷ୍ମୀଙ୍କର ଆବିର୍ଭାବର ଦିନ -
'ପଦ୍ମପୁରାଣ’ ,‘ବିଷ୍ଣୁପୁରାଣ’ରେ ଏହି ବ୍ରତ କଥାର ଉଲ୍ଲେଖ ଅଛି।
ବ୍ରତକଥା ଅନୁସାରେ, ଶୁକ୍ଳ ପଞ୍ଚମୀ ଗୁରୁବାରରେ କ୍ଷୀରସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀଙ୍କର ଆବିର୍ଭାବ ଘଟିଥିଲା। ସେ ପରମେଶ୍ୱରୀ, ଭୂତଭବିଷ୍ୟକାରିଣୀ, ଜଗତଉଦ୍ଧାରିଣୀ। ସେ ମଧ୍ୟ ଚଞ୍ଚଳା। ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ- ତିନି ଭୁବନରେ ତାଙ୍କର ଏହି ସ୍ୱରୂପ ପ୍ରସିଦ୍ଧ। ତାଙ୍କର ଜନ୍ମତିଥିକୁ ବ୍ରତ ରୂପେ ପାଳନ କରିବା ପାଇଁ ଭଗବାନ ବିଷ୍ଣୁ ତାଙ୍କୁ ପରାମର୍ଶ ଦେଇଥିଲେ। ସେହି ଅନୁସାରେ, ଅଷ୍ଟନାୟିକା- ଋକ୍ମିଣୀ, ସତ୍ୟଭାମା, ଭଦ୍ରା, କାଳିନ୍ଦୀ, ତୁଳସୀ, ଲକ୍ଷଣା, ଜାମ୍ବବତୀ ଓ ମିତ୍ରବିନ୍ଦାଙ୍କୁ ଏହି ବ୍ରତ ପାଳନ ପାଇଁ ଲକ୍ଷ୍ମୀ ଆଜ୍ଞା ଦେଲେ।
ଇନ୍ଦ୍ରଙ୍କର ଗୁରୁ ପଞ୍ଚମୀ ବ୍ରତ ପାଳନ -
ବିଷ୍ଣୁଙ୍କ ଅଷ୍ଟନାୟିକା ‘ଗୁରୁପଞ୍ଚମୀ’ ବ୍ରତପାଳନ କରୁଥିବାର ଦେଖି, ଇନ୍ଦ୍ର ସେଥିପାଇଁ ଆଗ୍ରହୀ ହୋଇଥିଲେ। ପତ୍ନୀ ଶଚୀଦେବୀଙ୍କ ସହିତ ସେହି ବ୍ରତ କରିବେ ବୋଲି ସେ ସଂକଳ୍ପ ମଧ୍ୟ କରିଥିଲେ। କିନ୍ତୁ ସେ ସେହି ବ୍ରତ କଲେ ନାହିଁ। ତେଣୁ ଲକ୍ଷ୍ମୀଙ୍କ କୋପରୁ ଶତ୍ରୁମାନେ ସ୍ୱର୍ଗରାଜ୍ୟ ଆକ୍ରମଣ କଲେ।
ଯେତେବେଳେ ବୃତ୍ରାସୁର ମହାଶକ୍ତିଶାଳୀ ହୋଇ ଇନ୍ଦ୍ରଙ୍କୁ ଆକ୍ରମଣ କଲେ, ସେତେବେଳ ଇନ୍ଦ୍ର ଯାଇ ମେରୁ ପର୍ବତ କନ୍ଦରରେ ଲୁଚିଥିଲେ। ସେହି ସମୟର ଘଟଣା । ସେତେବେଳେ ଦେବର୍ଷି ନାରଦ ଅନେକ ବାଳଶିଷ୍ୟଙ୍କ ସହିତ ଆସି ତାଙ୍କୁ ଭେଟି ଥିଲେ। ନାରଦଙ୍କୁ ଦେଖି ଇନ୍ଦ୍ର ତାଙ୍କର ପାଦ ଧୋଇଦେଲେ ଓ ଆସନ ଦେଲେ। ତା’ପରେ ତାଙ୍କୁ ପଚାରିଲେ- ହେ ମହାମୁନି, କହନ୍ତୁ ଯେ ମୋର କାହିଁକି ଏପରି ସର୍ବତ୍ୟାଗ ହେଲା? ଏହାର ଉତ୍ତରରେ ନାରଦ ତାଙ୍କୁ କହିଲେ ଯେ
ଗୁରୁ ପଞ୍ଚମୀ ବ୍ରତ ଯିଏ ଗର୍ବରେ କରେନାହିଁ ତାକୁ ଲକ୍ଷ୍ମୀ ବାମ ହୁଅନ୍ତି।
ଇନ୍ଦ୍ର ଅହଂଭାବର ବଶବର୍ତ୍ତୀ ହୋଇ ଗୁରୁ ପଞ୍ଚମୀ ବ୍ରତ ନକରିବାରୁ, ଲକ୍ଷ୍ମୀ ତାଙ୍କୁ ବାମ ହେଲେ। ଲକ୍ଷ୍ମୀ ଯାହାକୁ ବାମ ହୁଅନ୍ତି, ତାକୁ ଅନ୍ନ, ବସ୍ତ୍ର ମିଳେ ନାହିଁ କି ସେ ସଭାରେ ବସିବାର ସୌଭାଗ୍ୟ ପାଏ ନାହିଁ। ଇନ୍ଦ୍ରଙ୍କୁ ‘ଗୁରୁପଞ୍ଚମୀ ବ୍ରତ’ କରିବାପାଇଁ ନାରଦ ଉପଦେଶ ଦେଇଛନ୍ତି।
ନାରଦଙ୍କଠାରୁ ସେହି ଦୀକ୍ଷା ପାଇବା ପରେ, ଇନ୍ଦ୍ର ଗୁରୁପଞ୍ଚମୀ ବ୍ରତ କଲେ ଏବଂ ତାହା ଫଳରେ ପୁଣି ଯାଇ ସୁଖରେ ଇନ୍ଦ୍ରାସନରେ ବସିଲେ। ଶଚୀଦେବୀଙ୍କର ସାନ୍ନିଧ୍ୟ ମଧ୍ୟ ଲାଭ କରି ଆନନ୍ଦିତ ହେଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/24/guru-panchami-brata-2025-12-24-14-50-07.jpg)