/odishatv-khabar/media/post_attachments/uploadimage/library/16_9/16_9_0/saloon-1_1626688586.jpg)
saloon-1
ତାମିଲନାଡୁ : ଅଭାବ ଥିଲା, ସେଥିପାଇଁ ଅଷ୍ଟମ ଶ୍ରେଣୀରୁ ହିଁ ତାମିଲନାଡୁର ପୋନମାରିଆପ୍ପନଙ୍କ ପାଠପଢ଼ାରେ ଡୋରି ଲାଗିଲା। ହେଲେ ଶିକ୍ଷା ପ୍ରତି ଦୁର୍ବଳତା କିନ୍ତୁ ତାଙ୍କୁ ଆଜି ଦେଇଛି ଭିନ୍ନ ଏକ ପରିଚୟ। ନିଜ ସେଲୁନ୍ରେ କରିଛନ୍ତି ଏକ ପାଠାଗାର, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ପୂରଣ ହୋଇପାରିନଥିବା ସ୍ୱପ୍ନକୁ ଅନ୍ୟ ଉପାୟରେ ସାକାର କରିବାକୁ ପ୍ରୟାସ। ସୁସଜ୍ଜିତ ଦୋକାନ ଘରେ ଭଳି ଭଳିକା ପୁସ୍ତକର ସମ୍ଭାର । ଯେକେହି ଦେଖିବ, ଏହାକୁ ଏକ ପୁସ୍ତକ ଭଣ୍ଡାର ଭାବିବ।
ନିଜ ସେଲୁନ୍କୁ ଏମିତି ଏକ ଲାଇବ୍ରେରୀର ରୂପ ଦେଇଛନ୍ତି ହେୟାର ଡ୍ରେସର୍ ପି. ପୋନମାରିଆପ୍ପନ। ତାମିଲନାଡୁର ୩୮ ବର୍ଷିୟ ଏହି ହେୟାର ଡ୍ରେସରଙ୍କ ପିଲାବେଳେ ପାଠପଢ଼ା ପ୍ରତି ବେଶ୍ ଆଗ୍ରହ ଥିଲା । କିନ୍ତୁ ପରିବାରର ଗରିବୀ, ଅଷ୍ଟମ ଶ୍ରେଣୀରୁ ତାଙ୍କ ପାଠ ପଢ଼ାରେ ଡୋରି ଲଗାଇଲା। କିନ୍ତୁ ପଢ଼ାପଢ଼ି ପ୍ରତି ଥିବା ତାଙ୍କ ଆଗ୍ରହ ଏବେ ବି ସେମିତି ରହିଛି । ସେଇଥିପାଇଁ ତ ସେଲୁନ୍ କରି ପେଟ ପୋଷୁଥିବା ପୋନମାରିଆପ୍ପନ ନିଜ ଦୋକାନରେ ସଜାଇଛନ୍ତି ୮ଶହରୁ ଅଧିକ ପୁସ୍ତକ।
ପ୍ରସିଦ୍ଧ ତାମିଲ ଲେଖକଙ୍କର ବହି ଏଠାରେ ରହିଛି। ସେଲୁନ୍କୁ ଆସୁଥିବା ଗ୍ରାହକମାନେ ସେ ସବୁ ବହି ପଢିବାରେ ବ୍ୟସ୍ତ ରହୁଛନ୍ତି। ଲୋକମାନଙ୍କ ମଧ୍ୟରେ ପଢ଼ିବା ଅଭ୍ୟାସକୁ ବଞ୍ଚାଇ ରଖିବା ପାଇଁ ଏଭଳି ନିଆରା ପ୍ରୟାସ କରୁଥିବା କହିଛନ୍ତି ପୋନମାରିଆପ୍ପନ । ନିଜେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ମଧ୍ୟ ସେ ଜାଣିଛନ୍ତି ପ୍ରକୃତ ଜ୍ଞାନ ପୁସ୍ତକରୁ ହିଁ ମିଳେ । ଆଉ ଏହି ଚିନ୍ତାଧାରା ନେଇ ସେ ନିଜ ସେଲୁନ୍ ଲାଇବ୍ରେରୀରେ ପୁସ୍ତକ ସଂଖ୍ୟା ବୃଦ୍ଧି କରିଚାଲିଛନ୍ତି ।
କେବଳ ସେଲୁନ୍କୁ ଆସୁଥିବା ଗ୍ରାହକ କାହିଁକି ସ୍କୁଲ କଲେଜ ଛାତ୍ରମାନେ ମଧ୍ୟ ଏଠାକୁ ଆସି ବହି ପଢ଼ନ୍ତି। ପୋନମାରିଆପ୍ପନ କୁହନ୍ତି ଚୁଟି କାଟିବା ପାଇଁ ଆସୁଥିବା ଗ୍ରାହକ ଅଧିକ ସମୟ ଧରି ଅପେକ୍ଷା କରି ବିରକ୍ତ ହେଉନାହାନ୍ତି ,ବରଂ ପୁସ୍ତକ ପଢି ଖୁସି ହେଉଛନ୍ତି।
୬ ବର୍ଷ ତଳେ ୨୫୦ ଖଣ୍ଡ ପୁସ୍ତକରୁ ଆରମ୍ଭ ହୋଇଥିବା ଏହି ସେଲୁନ୍ ଲାଇବ୍ରେରୀରେ ଏବେ ୮୫୦ ଖଣ୍ଡ ବହି ରହିଛି। ଏହି ଅଭିନବ ପ୍ରୟାସ ପାଇଁ ବିଭିନ୍ନ ମହଲରୁ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି ପୋନମାରିଆପ୍ପନ। ଖାଲି ସେତିକି ନୁହେଁ, ବହୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଏହି ନିଆରା ଲାଇବ୍ରେରୀକୁ ପୁସ୍ତକ ଦାନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)