/odishatv-khabar/media/post_attachments/uploadimage/library/16_9/16_9_0/mahumachi_1626697377.jpg)
mahumachi
ନୂଆଦିଲ୍ଲୀ: ମହୁମାଛିକୁ ଦେଖିବା ମାତ୍ରେ ସାଧାରଣ ଲୋକଟିଏ ଦୌଡି ପଳାଇବା ସ୍ୱଭାବିକ କଥା। କିନ୍ତୁ ଜଣେ ୨୪ ବର୍ଷର ଯୁବକଟି ନିଜ ମୁହଁରେ ୪ଘଣ୍ଟା ପାଇଁ ୬୦ହଜାର ମହୁମାଛିକୁ ରଖି ଗିନିଜ ୱାର୍ଲ୍ଡ ରେକର୍ଡ଼ ସୃଷ୍ଟି କରିଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏହି ଯୁବକଙ୍କ ନାଁ ନେଚର ଏମ୍ଏସ୍। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକଟିର ପେସା ହେଉଛି ମହୁମାଛି ପାଳିବା। ସେ ମହୁମାଛିଙ୍କୁ ନେଇ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଏତେ ଘଣ୍ଟା ଧରି ମୁହଁରେ ମହୁମାଛିକୁ ରଖିନଥିଲେ। ଏହି ଭିଡିଓକୁ ଯେକେହି ବି ଦେଖଲେ ତାଙ୍କ ଲୋମ ଟାଙ୍କୁରି ଉଠିବ।
ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ୨୪ ବର୍ଷିୟ ନେଚର ମୁହଁରେ ମହୁମାଛିକୁ ୪ଘଣ୍ଟା ୧୦ ମିନିଟ୍ ପର୍ଯ୍ୟନ୍ତ ବସାଇଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ନେଚର ମୁଣ୍ଡରୁ କାନ୍ଧ ପର୍ଯ୍ୟନ୍ତ ମହୁମାଛିକୁ ବସାଇଛନ୍ତି।
ଏନେଇ ନେଚର ଏକ ଗଣମାଧ୍ୟକୁ କହିଛନ୍ତି,‘ମହୁମାଛି ହେଉଛନ୍ତି ମୋର ସବୁଠାରୁ ଭଲ ସାଙ୍ଗ ଓ ମୁଁ ଅନ୍ୟମାନଙ୍କୁ ମଧ୍ୟ ସେମାନଙ୍କ ବନ୍ଧୁଙ୍କୁ ଭଲ ପାଇବାକୁ ଶିଖାଇବାକୁ ଚାହେଁ। ନେଚରଙ୍କ ବାପା ସଞ୍ଜୟ କୁମାର ମଧ୍ୟ ପେସାରେ ଜଣେ ମହୁମାଛି ପାଳକ। ସଞ୍ଜୟକୁ ମଧ୍ୟ ଏନେଇ ଅନେକ ପୁରସ୍କାର ମିଳିଛି। ସଞ୍ଜୟ ମହୁ ବ୍ୟବସାୟ ମଧ୍ୟ କରିଥାନ୍ତି।
ନେଚର ଆହୁରି ମଧ୍ୟ କହିଛନ୍ତି ଯେ ମୋର ବିଜୟ ପାଇଁ ମୁଁ ମୋ ବାପାଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେବାକୁ ଚାହୁଁଛି। କାରଣ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୋ ବାପା ମହୁମାଛିଙ୍କ ସହିତ କେମିତି ସାଙ୍ଗ ହୋଇ ରହିବେ ସେ ବିଷୟରେ ମତେ ଶିଖାଉଥିଲେ। ମହୁମାଛିଙ୍କ ସହ କିପରି ବ୍ୟବହାର କରାଯିବ ସେ କଥାବି ଶିଖାଉଥିଲେ। ନେଚର ଯେତେବେଳେ ୭ବର୍ଷର ଥିଲେ ସେବେଠାରୁ ସେ ମହୁମାଛିଙ୍କୁ ମୁହଁରେ ବସାଇବା ଅଭ୍ୟାସ କରୁଥିଲେ।
ନେଚର କହିଛନ୍ତି ଯେ ମୋ ବାପାଙ୍କ ପରାମର୍ଶ ସବୁବେଳେ ମୋର ମନେପଡ଼େ, କିପରି ନିଜ ମନରୁ ମହୁମାଛି ପ୍ରତି ଭୟକୁ ଦୂର କରିପାରିବି। ‘ମୋ ବାପା ମୋତେ ସବୁବେଳେ ମହୁମାଛି ସହିତ ଶାନ୍ତି ରହିବାକୁ ଓ ସେମାନଙ୍କୁ ସାଙ୍ଗ ପରି ବ୍ୟବହାର କରିବାକୁ କହୁଥିଲେ।’ ବାପା ଦେଇଥିବା ପରାମର୍ଶ ସର୍ବଦା ମୋର କାମରେ ଆସିଥାଏ। ମହୁମାଛି ଯେତେବେଳେ ମୁହଁରେ ବସିଥିବେ ସେହି ସମୟରେ ଗଭୀର ନିଃଶ୍ୱାସ ନେବା ସହିତ ଧର୍ଯ୍ୟ ରଖିବା ଆବଶ୍ୟକ। ଯାହାଫଳରେ ମହୁମାଛିଙ୍କ ପ୍ରତି ଭୟ ତୁମ ମନରୁ ଦୂର ହୋଇଯିବ। ଯେତେବେଳେ ମୁଁ ଏହି ଷ୍ଟଣ୍ଟ କରିଥାଏ, ସେତେବେଳେ ମୋ ବାପାଙ୍କ ପରାମର୍ଶ ମୋର ମନେପଡ଼ିଥାଏ। ମନରେ ଯେ କୌଣସି ପ୍ରକାରର ଭୟକୁ ଦୂର କରିଥାଏ।
ନେଚର ଏମ୍ଏସ୍ଙ୍କ କହିବା ଅନୁଯାୟୀ, ଷ୍ଟଣ୍ଟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ମୁଁ ମହୁମାଛିଙ୍କ ରାଣୀଙ୍କୁ ମୁଣ୍ଡରେ ରଖି ଏହି ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଥାଏ। ତା’ପରେ ଦେଖୁ ଦେଖୁ ସମସ୍ତ ମହୁମାଛି ଆପେ ଆପେ ଆସି ମୋ ମୁହଁରେ ବସିଥାନ୍ତି। ନେଚର ବିନା ଦ୍ୱିଧାରେ ୬୦,୦୦୦ ମହୁମାଛିକୁ ନିଜ ମୁହଁରେ ବସାଇଥାଏ।
ନେଚର ଏମଏସ କହିଛି ଯେ ‘ଲୋକମାନେ ମହୁମାଛିଙ୍କୁ ଭୟ କରନ୍ତି କାରଣ ସେମାନେ ଦଂଶନ କରିଥାନ୍ତି।’ ମହୁମାଛି ସମାଜର ଗୁରୁତ୍ୱପୂର୍ଣ୍ଣ କୀଟ, ସେମାନଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)