vlcsnap-error961
ଭଦ୍ରକ: ସୁନା ସଂସାର, ଆଉ ହସଖେଳ ଭରା ପରିବାକୁ ଚୁରମାର କରିଦେଇଛି ମହାମାରୀ କରୋନା । ଦଇବ ଏଭଳି କ୍ରୁର ହସ ହସିଛି ଯେ ଭଲମନ୍ଦ ବୁଝିବା ଆଗରୁ ଅସରନ୍ତି ଦୁଃଖ ଆଉ ଦୁର୍ଦ୍ଦଶାକୁ ଠେଲି ହୋଇଯାଇଛି । ଅନେକ ଶିଶୁଙ୍କ ଜୀବନ କିଏ ବାପା ତ ଆଉ କିଏ ମାଅ, ଆଉ କିଏ ଉଭୟଙ୍କୁ ହରାଇ ହୋଇପଡିଛନ୍ତି ସଂପୂର୍ଣ୍ଣ ବେସାହାରା । କାଳ ରୂପୀ କରୋନା, ରାଜ୍ୟରେ ଏଯାଏଁ ୩୫ ଶିଶୁଙ୍କୁ ଅନାଥ କରିଦେଇଥିବା ବେଳେ ଭଦ୍ରକ ଓ ଅନୁଗୁଳରୁ ସାମ୍ନାକୁ ଆସିଛି ଏଭଳି ଦୁଇ ପରିବାରର ଦୁଃଖଦ କାହାଣୀ ।
ଯୁବା ବୟସର ପୁଅ ବୋହୁଙ୍କୁ ହରାଇ ବୃଦ୍ଧା ବାପ-ମାଆଙ୍କ ଆଖିରେ ବୋଲ ମାନୁନି ଲୁହ । ଦୁଃଖ ଏତେ ଯେ, ଯେତେ ବାହୁନିଲେ ବି ସରିବନି । ବର୍ଷେ ତଳେ କରୋନାର କହର ଭିତରେ ପତ୍ନୀଙ୍କୁ ହରାଇ ଜୀବନ ଯୁଦ୍ଧରେ ଏକା ହୋଇଯାଇଥିଲେ ଭଦ୍ରକ ତିହିଡ଼ି ବ୍ଲକ ନନ୍ଦପୁର ଗାଁର ମନୋଜ ନାଥ । ଆଉ ତାର ଠିକ୍ ବର୍ଷକ ପରେ ନିଜେ ବି ହାରିଗଲେ କରୋନା ଆଗରେ । ଦୈନିକ ଅଟୋ ଚଳାଇ ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେଉଥିଲେ ମନୋଜ । ହେଲେ ହଠାତ ଅକାଳରେ ଚାଲିଯିବା ପରେ ତାଙ୍କ ଅଭାବି ପରିବାରରେ ଘୋଟିଯାଇଛି ଅମା ଅନ୍ଧାର । ଘରେ କଁଅଳ ବୟସର ଦୁଇ ଝିଅ ଏବଂ ଅବୋଧ ପୁଅ । ଆଗକୁ ସେମାନେ କେମିତି ବଞ୍ଚିବେ ଆଉ ସେମାନଙ୍କ ଭବିଷ୍ୟତ କଣ ହେବ ? ତାକୁ ନେଇ ହଜାରେ ପ୍ରଶ୍ନ । ଏପଟେ ବୋହୁ ପରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମୁକ ପାଲଟି ଯାଇଛନ୍ତି ମନୋଜଙ୍କ ବୃଦ୍ଧ ବାପା-ମାଆ ।
ଆହୁରି ପଢନ୍ତୁ : ମଶାଣିରେ କୋଭିଡ୍ ମୃତକଙ୍କ ମୁହଁ ଦେଖାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ..!
/odishatv-khabar/media/post_attachments/wp-content/uploads/2021/06/vlcsnap-error190.png)
ସେହିଭଳି ଆଉ ଏକ କାହାଣୀ ହେଉଛି କୁନି ଝିଅ ମିଷ୍ଠୀର । ବର୍ଷକର ନିଷ୍ପାପ ଶିଶୁ ମିଷ୍ଟୀ ଦୁନିଆ କଣ, ଜାଣିବା ପୂର୍ବରୁ ବଇରି ସାଜିଛି ଦଇବ । ବାପା -ମାଆ ଓ ଜେଜେମା ଜଣଙ୍କ ପରେ ଜଣେ ଚାଲିଯିବା ପରେ ସମାଜରେ ଏବେ ସେ ସଂପୂର୍ଣ୍ଣ ଏକୁଟିଆ । ବାପା ମଳୟ ବସନ୍ତ ଦେହୁରୀ ନାଲକୋର ଏକ ପ୍ଲାଣ୍ଟରେ କାମ କରୁଥିଲେ । ହେଲେ କରୋନାରେ କବଳିତ ହୋଇ ଗୋଟିଏ ଦିନରେ ଆଖି ବୁଜିଥିଲେ ମଳୟ ଓ ଜେଜେମା ମାଳତୀ । ଆଉ ତାପରେ ପରେ ଆରପାରିକୁ ଚାଲି ଯାଇଥିଲେ ମାଆ ସୌଦାମିନି । ଏବେ ମାମୁଁ ଘର ପାଲଟିଛି ମିଷ୍ଟୀର ଆଶ୍ରୟସ୍ଥଳ । ପ୍ରିୟ ପରିଜନଙ୍କୁ ନଦେଖି କେବଳ ଜୁଳୁ ଜୁଳୁ ହୋଇ ଚାହୁଁଛି ସିନା, ମହାମାରୀ ତା ପାଇଁ କିଭଳି ସର୍ବଗ୍ରାସୀ ହୋଇଛି, ସେ କଥା ତା କୁନି କୁନି ଓଠରେ କହିବାର ସାମର୍ଥ୍ୟ ଜୁଟାଇ ପାରୁନି ।
ସରକାରୀ ତଥ୍ୟ କହୁଛି କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ରାଜ୍ୟରେ ଏଯାଏଁ ୩୫ ଶିଶୁ ଅନାଥ ହୋଇଛନ୍ତି । କିଏ ବାପା, କିଏ ମାଆ ତ ଆଉ କିଏ ଉଭୟ ବାପା ଓ ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି । ଏପଟେ ଏଭଳି ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ଗ୍ରୀନ ପ୍ୟାସେଜ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ତା’ସହ କରୋନାରେ ଅନାଥ ଶିଶୁଙ୍କ ଲାଳନପାଳନ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭତ୍ତା ବ୍ୟବସ୍ଥା ବି କରିଛନ୍ତି । ତେବେ ଏମାନଙ୍କ ମୁଣ୍ଡରୁ ସବୁଦିନ ଲାଗି ବାପା-ମାଆଙ୍କ ହାତ ଉଠିଯାଇଥିବା ବେଳେ ସରକାରୀ ସହାୟତା ଏମାନଙ୍କ ଭବିଷ୍ୟତକୁ କେତେ ସୁରକ୍ଷିତ କରିବ ତାହା ହିଁ ବଡ଼ ପ୍ରଶ୍ନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error961_1625494661.jpg)