/odishatv-khabar/media/post_attachments/uploadimage/library/16_9/16_9_0/father-death_1626688867.jpg)
father death
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆମ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଏକ ଦୃଢ଼ ଆସ୍ଥାନ କରିରହିଛି । ଲୋକଙ୍କୁ ଯେତେ ସଚେତନ କଲେବି ଏହାର ଫଳ କିଛି ହେଉନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଲକ ଜଙ୍ଗଲ ପାହାଡ ଘେରା ଘୁନା ଗାଁରେ।
ସାମାଜିକ ବାସନ୍ଦ ଭୟରେ କେହି ଶବ ଛୁଇଁଲେନି। ୧୬ ଘଣ୍ଟା ପରେ ବାପାଙ୍କ ଶବକୁ ଭଙ୍ଗା ଖଟିଆରେ ଘୋଷାରି ଘୋଷାରି ନେଇ ସତ୍କାର କଲେ ବିଧବା ଝିଅ।
ଗତ କିଛି ବର୍ଷ ତଳେ ଘୁନା ଗାଁର ବାଲି ସେଲମାଙ୍କ ଝିଅ ପ୍ରମିଳା ଭିନ୍ନ ଜାତିରେ କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ସୁଦେରଙ୍କୁ ପ୍ରେମ ବିବାହ କରିଥିଲେ। ଯାହାକୁ ସାହି ପଡ଼ିଶା ବିରୋଧ କରିଥିଲେ। ଏପରିକି ବାଲିଙ୍କୁ ଏକ ଘରିଆ କରିବାକୁ ଚେତାବନୀ ଦେଇଥିଲେ। ଶେଷରେ ଗାଁ ଲୋକଙ୍କ କହିବା ଅନୁସାରେ ବାଲି ନିଜ ଝିଅ ବଞ୍ଚି ଥାଉ ଥାଉ ସୁଦ୍ଧିକ୍ରିୟା ହୋଇଥିଲେ। ଆଉ ତା’ପରେ ସାହି ଭାଇଙ୍କ ସହିତ ରହୁଥିଲେ ବାଲି।
ତେବେ ଜ୍ୱାଇଁ ସୁଦେରଙ୍କ ମୃତ୍ୟୁ ପରେ ନିଜର ୫ ବର୍ଷର ପୁଅକୁ ଧରି ପ୍ରମିଳା ବାପ ଘରକୁ ଚାଲି ଆସିଥିଲେ। ଝିଅର ଏପରି ଦୁଃଖ ସମୟରେ ବାଲି ନିଜ ଘରେ ଆଶ୍ରୟ ଦେଇଥିଲେ। ଏହାକୁ ଗାଁ ଲୋକେ ଗ୍ରହଣ କରିପାରିଲେ ନାହିଁ। ତାଙ୍କୁ ବାସନ୍ଦ କରିବା ସହିତ ଗାଁରୁ ବାହାର କରିଦେଇଥିଲେ। ଶେଷରେ ବାଲି ଉପାୟଶୂନ୍ୟ ହୋଇ ନିଜର ନାତି ଓ ବିଧବା ଝିଅ ପ୍ରମିଳାକୁ ଧରି ବିଲରେ ଘର କରି ରହୁଥିଲେ।
ଗାଁରୁ ବାସନ୍ଦ ପରେ ଦୁଃଖ କଷ୍ଟରେ ଚଳୁଥିଲେ ବାଲି। ଗତ ୩୧ ତାରିଖରେ ତାଙ୍କର ଦେହ ହଠାତ ଅସୁସ୍ଥ ହେଲା। ଆଉ ରାତି ପ୍ରାୟ ୧୦ଟା ବେଳେ ଆଖି ବୁଜିଦେଲେ ବାଲି। ବାପାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଲେ ବାଲି। ମୃତଦେହ ସତ୍କାର କରିବା ପାଇଁ ସାହିଭାଇଙ୍କୁ ଗୁହାରି କଲେ ପ୍ରମିଳା। ବାସନ୍ଦ ଭୟରେ ପ୍ରମିଳାଙ୍କ କଥା କେହି ଶୁଣିଲେ ନାହିଁ।
ଡିସେମ୍ବର ୩୧ ତାରିଖରେ ସାରା ଦେଶ ଜିରୋ ନାଇଟ୍ ସେଲିବ୍ରେସନ କରୁଥିବା ବେଳେ ପ୍ରମିଳା ବାପାଙ୍କ ମୃତଦେହକୁ ଜଗି ବସି ରହିଥିଲେ। କୁଆଡ଼େ ଗାଁ ଲୋକେ ଆସିବେ ଓ ଶବ ସତ୍କାର କରିବେ। ହେଲେ ରାତି ଯାଇ ନୂଆବର୍ଷର ନୂଆ ସକାଳ ଆସିଲା, ହେଲେ କେହି ଆସିଲେ ନାହିଁ। ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାପାଙ୍କ ଶବ ସତ୍କାର କରିବାକୁ କେହି ଆସିଲେ ନାହିଁ। କିଛି ଗାଁ ଲୋକ କେବଳ କାଠ ଯୋଗାଡ଼ କରିଦେଇଥିଲେ। ଶେଷରେ ନିଜ ବାପାଙ୍କ ଶବକୁ ଏକ ଖଟିଆରେ ରଖି ଘୋଷାରି ଘୋଷାରି ୫୦ ମିଟର ନେଲେ ପ୍ରମିଳା। ସେଠାରେ ଜୁଈ ସଜାଡି ମୃତଦାହ ସଂସ୍କାର କରିଥିଲେ ପ୍ରମିଳା। ଏପରିକି ପ୍ରମିଳାଙ୍କ ୫ ବର୍ଷର ପୁଅ ମଧ୍ୟ ଶବ ସତ୍କାରରେ ମାଆଙ୍କୁ ସାହାଯ୍ୟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)