buleet
ଯାଜପୁର(ଗୁଲାମ ଗସ୍): ସେ ଘରର ଚାରି କାନ୍ଥ ଭିତରେ ଓଢଣା ଦେଇ ବୋହୂଟିଏ ସାଜି ସବୁ ଦାୟିତ୍ୱ ତୁଲାଇ ପାରନ୍ତି। ସେ ବାହାରକୁ ଯାଇ ପୁରୁଷଙ୍କ ପରି ଦୁଃସାଧ୍ୟ କାମ ବି କରିପାରନ୍ତି। ସେ ଘୋଡ଼ା ଚଢ଼ନ୍ତି, ବୁଲେଟ୍…ଟ୍ରାକ୍ଟର…ଟ୍ରକ୍ ଲୋଡେଡ ଟ୍ରଲର ସବୁ କିଛି ଚଲାଇ ପାରନ୍ତି। ସବୁଥିରେ ସେ ଦକ୍ଷ, ପାରଙ୍ଗମ। ଗାଁ ଗହଳିର ଝିଅ, ବୋହୂଙ୍କଠାରେ ଅନେକ ପ୍ରତିଭା ଥାଏ । ହେଲେ, ଶାଶୂଘର, ସାହପଡ଼ିଶା, ସମ୍ଭମତାକୁ ଜଗୁ ଜଗୁ ଏସବୁ ସାମ୍ନାକୁ ଆସିପାରେନି। କିନ୍ତୁ, ସେ ସାହାସର ସହ ନିଜ ଦକ୍ଷତାକୁ ସମାଜ ଆଗରେ ଉପସ୍ଥାପନ କରି ପାରିଛନ୍ତି। । ଏପରି ଜଣେ ବୀରା ରମଣୀ ହେଉଛନ୍ତି ଯାଜପୁର ଜିଲ୍ଲା ବେହୁଦା ପଞ୍ଚାୟତ ଜହଳ ଗାଁର ବୋହୂ ମୋନାଲିସା ଭଦ୍ରା।
ଗାଁ ଗହଳିର ରକ୍ଷଣଶୀଳ ପରମ୍ପରାକୁ ସେ ସମ୍ମାନ ଦେଇଛନ୍ତି। ଚେହେରାରେ ତାଙ୍କର ପାରମ୍ପରିକ ଓଡିଆ ବୋହୂର ଛାପ। ହେଲେ ଗାଁର ବୋହୂ ହୋଇ ସେ ଭାଙ୍ଗି ଦେଇ ପାରିଛନ୍ତି ପୁରୁଷ ଓ ନାରୀ ଭିତରେ ଥିବା ଦକ୍ଷତାର ପାଚେରୀ। ସେ ପ୍ରମାଣିତ କରି ଦେଇଛନ୍ତି, ନାରୀ ଚାହିଁଲେ ସବୁ କିଛି କରିପାରିବ। କୌଣସି କାମ ତା ପାଇଁ ଅସମ୍ଭବ ନୁହେଁ। ଶାଢୀ ପିନ୍ଧି, ମୁଣ୍ଡରେ ଓଢଣା ଦେଇ ଯେତେବେଳେ ସେ ଘୋଡା ଚଢି ଗାଁ ରାସ୍ତାରେ ଚାଲି ଯାଆନ୍ତି, କୌଣସି ଫିଲ୍ମ ଦୃଶ୍ୟ ପରି ଲାଗେ। ଗାଁ ଲୋକେ ଚାହିଁ ରହି ଯାଆନ୍ତି।
ଜହଳ ଗାଁର ବୋହୂ ହୋଇଥିଲେ ବି ମୋନାଲିସାଙ୍କ ପାଇଁ ସେମିତି କୌଣସି ସୀମାରେଖା ନାହିଁ। ସବୁ ସୀମା ପାର କରି ସେ ଘୋଡ଼ା ଚଢାଇ ପାରୁଛନ୍ତି। ବୁଲେଟଠାରୁ ଆରମ୍ଭ କରି ଟ୍ରକ, ଟ୍ରାକ୍ଟର, ଲୋଡେଡ ଟ୍ରଲର ସବୁକିଛି ଚଲାଇ ପାରୁଛନ୍ତି। ତାଙ୍କର ଏହି କାମ ପାଇଁ ଶାଶୂ, ଶ୍ୱଶୁର, ସ୍ୱାମୀ ଏପରିକି ଗ୍ରାମବାସୀ ସମେସ୍ତ ପ୍ରୋତ୍ସାହନ ଦେଇଛନ୍ତି।
ମୋନାଲିସାଙ୍କ ସ୍ୱାମୀ ବଦ୍ରି ନାରାୟଣ ଏଥିପାଇଁ ତାଙ୍କୁ ପ୍ରୋତ୍ସାହିତ କରନ୍ତି। ବଦ୍ରି ନାରାୟଣ ଭାବନ୍ତି ନାରୀଟିଏ ସବୁକିଛି କରିପାରିବ। ସେ ସବୁ ନାରୀଙ୍କ ପାଖରେ ସେ ଦକ୍ଷତା ଦେଖିବାକୁ ଚାହାନ୍ତି। ତେଣୁ ସେ ନିଜ ପତ୍ନୀଙ୍କୁ ସବୁ ଭୂମିକାରେ ଅବତୀର୍ଣ୍ଣ କରାଇଛନ୍ତି। ସେତିକି ନୁହେଁ, ପତ୍ନୀଙ୍କ ପ୍ରତିଭାର ଭିଡିଓ ରେକର୍ଡିଂ କରି ୟୁ ଟ୍ୟୁବରେ ଅପଲୋଡ କରନ୍ତି।
ସେ କୁହନ୍ତି, ମୋନାଲିସାଙ୍କର ସବୁକିଛି କରିବା ପାଇଁ ଆଗ୍ରହୀ। ମୁଁ ଯାହା କୁହେ, ସେ ତାହା ଆଗ୍ରହ ସହକାରେ କରିଥାଏ। ପ୍ରଥମେ ତାଙ୍କ ଅଭିଯାନ ଆରମ୍ଭ ହେଲା ହଳ କରିବାରୁ। ତା‘ ପରେ ବୁଲେଟ, ବସ୍, ଟ୍ରକ, ଟ୍ରାକ୍ଟର, ଟ୍ରଲର..।
ଆଗକୁ ଆହୁରି ଏମିତି କିଛି କାମ କରିବାର ଇଚ୍ଛା ରଖିଛନ୍ତି ମୋନାଲିସା।। ସେ କୁହନ୍ତି, ରୋଜଗାର ତ ସମସ୍ତେ କରୁଛନ୍ତି। କିନ୍ତୁ ଅର୍ଥ ରୋଜଗାର ସବୁକିଛି ନୁହେଁ। ନାରୀ ଶକ୍ତିର ସୀମା ନାହିଁ। ସୁଯୋଗ ପାଇଲେ ପୁରୁଷଠାରୁ ଅଧିକ କାମ ଅଧିକ ଦକ୍ଷତାର ସହ ସମ୍ପାଦନ କରିପାରିବ ଠିକ୍ ମୋ ପରି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/buleet_1622868503.jpg)