/odishatv-khabar/media/post_attachments/uploadimage/library/16_9/16_9_0/couple_1622690640.jpg)
couple
ଯାଜପୁର: ମାଟି ତଳୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଓସିସି କଲୋନୀ ନିକଟରୁ ଗତ ମଙ୍ଗଳବାର ଦିନ ପୋଲିସ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ମେସିନ ସାହାଯ୍ୟରେ ମାଟି ତଳୁ ଜଣେ ମହିଳା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ଉପାସନା ଜେନା। ସ୍ତ୍ରୀର ମୃତଦେହ ମାଟି ତଳୁ ମିଳିବା ପରେ ଘଟଣାର ତଦନ୍ତ ଦାବି କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଉପାସନାଙ୍କ ସ୍ୱାମୀ ତପନ ମିଶ୍ର ଦାବି କରିଛନ୍ତି।
ସୂଚନା ଅନୁସାରେ, ଗତ ତିନି ମାସ ପୂର୍ବେ କୋରେଇ ଥାନା ଅନ୍ତର୍ଗତ ହଳଦିଗଢିଆ ଗାଁର ତପନ ମିଶ୍ର ଉପାସନାଙ୍କୁ ମନ୍ଦିରରେ ବିବାହ କରିଥିଲେ। ତପନ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ତେବେ ତପନ ତାଙ୍କ ପତ୍ନୀଙ୍କ ବଡ଼ ଭଉଣୀଙ୍କ ଝିଅ ଉପାସନାଙ୍କୁ ଗତ ତିନି ମାସ ପୂର୍ବେ ମନ୍ଦିରରେ ବିବାହ କରିଥିଲେ ଓ କେନ୍ଦ୍ରାପଡ଼ାରେ ଏକ ଭଡ଼ା ଘରେ ରହୁଥିଲେ। ଏହି ସମୟରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା ଓ ସେ ଜେଲ୍ ମଧ୍ୟ ଯାଇଥିଲେ। ଏହାପରେ ଉପାସନାଙ୍କୁ ତାଙ୍କ ପରିବାର ଲୋକ କିଛିଦିନ ପୂର୍ବେ ଘରକୁ ନେଇ ଯାଇଥିଲେ। ସେବେଠୁ ଉପାସନାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ତପନ କହିଛନ୍ତି।
ଉପାସନାଙ୍କ ମୃତ୍ୟୁ ଘଟଣାକୁ ନେଇ ତପନ କହିଛନ୍ତି, ଘଟଣା ସମ୍ପର୍କରେ ମୁଁ କିଛିବି ଜାଣି ନାହିଁ। ତେବେ ଘଟଣାକୁ ନେଇ ସେମାନେ(ଉପାସନାଙ୍କ ପରିବାର ଲୋକ) ପୋଲିସ୍କୁ ଅବଗତ କରିବା କଥା। ହେଲେ ପୋଲିସ୍କୁ ନଜଣାଇ ପରିବାର ଲୋକ ଓ ଗ୍ରାମବାସୀ ମିଶିକି ତାଙ୍କୁ(ଉପାସନା) ମାଟି ତଳେ ପୋତି ଦେଇଥିଲେ। ଘଟଣାରେ ତଦନ୍ତ ଲାଗି ମୁଁ ପୋଲିସ୍କୁ ସହାୟତା କରିବି। ତେବେ ପ୍ରକୃତରେ ଏମାନଙ୍କ ମଧ୍ୟରେ ଯଦି କେହି ଦୋଷୀ ଥାନ୍ତି, ତା’ହେଲେ ତାଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡ ପ୍ରଦାନ କରାଯାଉ।
ତପନ ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀଙ୍କ ଝିଆରୀ ଉପାସନାଙ୍କୁ ବିବାହ କରିବା ଘଟଣାକୁ ସାଧାରଣରେ କେହି ସହଜରେ ଗ୍ରହଣ କରିପାରୁ ନ ଥିବାବେଳେ ହଠାତ୍ ଉପାସନାଙ୍କ ମୃତଦେହ ମାଟି ତଳୁ ମିଳିବା ଏକ ସ୍ପର୍ଶକାତର ଘଟଣା ବୋଲି ଜଣାପଡ଼ିଛି। ତେଣୁ ଘଟଣାକୁ ନେଇ ତଦନ୍ତ କରି ପ୍ରକୃତ ଦୋଷୀକୁ ଉଚିତ୍ ଦଣ୍ଡ ଦିଆଯିବା ଉଚିତ୍ ବୋଲି କୁହାଯାଉଛି। ଘଟଣାକୁ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)