Deba Deepabali Photograph: (OTV)
ଆଜି ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି। ଆଜିଠୁ ୩ଦିନ ଶ୍ରୀମନ୍ଦିରରେ ‘ଦେବ ଦୀପାବଳି’। ଏହି 'ଦେବ ଦୀପାବଳି' ନୀତି ସମୟରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବ।
ଆଜି ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ତିଥିରେ ମହାପ୍ରଭୁ ଅଦିତି-କଶ୍ୟପଙ୍କ ଉଦ୍ଦେଶ୍ୟରେ, ଆସନ୍ତାକାଲି ଅମାବାସ୍ୟା ଦିନ ଦଶରଥ-କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ-ଦେବକୀ, ନନ୍ଦ-ଯଶୋଦା, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ଦୀପ ଦାନ କରିବେ।
ଦେବ ଦୀପାବଳି ଅବସରରେ ଶ୍ରୀମନ୍ଦିରରେ ଦ୍ୱିପହର ଧୂପ ପରେ ଶ୍ରୀଜୀଉମାନେ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ସନ୍ଧ୍ୟାଧୁପ ପରେ ତିନୋଟି ମହାଦୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିଥାଏ। ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବାର ପରମ୍ପରା ରହିଛି।
୩ ଗୋଟି ମହାଦୀପରେ ବନ୍ଦାପନା ହୋଇଥାଏ। ଏହି ସମୟରେ ତିନି ଜଣ ପାଳିଆ ପୂଜାପଣ୍ଡା ଉକ୍ତ ମହାଦୀପକୁ ହାତରେ ଧରି ଜୟ ବିଜୟ ଦ୍ୱାର ଭିତର ପାଖେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାନ୍ତି। ପରେ ମହାଦୀପ କଳସ ଧରି ପାଳିଆ ଚୁନରାଙ୍କୁ ପ୍ରଦାନ କରିଥାନ୍ତି।
ଚୁନରା ସେବକ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ତେଲ, ଘିଅ ନେଇ ଶ୍ରୀମନ୍ଦିର ଅଁଳା ବେଢ଼ା ଉପରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ରଉଡ଼ିଆ ଜାଳି ଗଜପତି ମହାରାଜଙ୍କ ନାମ ଉଚ୍ଚାରଣ ପୂର୍ବକ ତାଙ୍କ ମଙ୍ଗଳ କାମନା କରିଥାନ୍ତି।
• ଆଜିଠୁ ୩ଦିନ ଶ୍ରୀମନ୍ଦିରରେ ଦେବ ଦୀପାବଳି
• ପିତୃପୁରୁଷଙ୍କୁ ଶ୍ରାଦ୍ଧ ସହ ଦୀପଦାନ କରିବେ ମହାପ୍ରଭୁ
• ଶ୍ରାଦ୍ଧବେଶରେ ବିଭୂଷିତ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଭକ୍ତ
• ସନ୍ଧ୍ୟାଧୁପ ପରେ ଅଁଳା ବେଢ଼ାକୁ ଉଠିବ ମହାଦୀପ
• ଆଜି ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/19/deba-deepabali-2025-11-19-10-07-11.jpg)