/odishatv-khabar/media/media_files/2026/01/04/odisha-si-exam-scam-2026-01-04-20-52-11.jpg)
କେବେ ହେବ ଏସଆଇ ପରୀକ୍ଷା? Photograph: (OTV)
କେବେ ହେବ ପୋଲିସ ସବ୍-ଇନସପେକ୍ଟର ପରୀକ୍ଷା ? ଆଶଙ୍କାରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭାଗ୍ୟ। ବୟସ ସୀମା ଗଡି ଯାଉଥିବାରୁ ଚିନ୍ତାରେ ଆଶାୟୀ। ଓଏଏସ୍ ଭଳି ଏଥିରେ ମଧ୍ୟ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଧରିଲା ଦାବି।
ବର୍ଷେ ବିତିଗଲା ଏ ପର୍ଯ୍ୟନ୍ତ ହୋଇପାରିନି ଏସ୍ଆଇ ପରୀକ୍ଷା। ବର୍ଷକ ତଳେ ୨୦୨୫ ଜାନୁୟାରୀ ୧୭ ତାରିଖରେ ସବ୍ ଇନ୍ସପେକଟର ପରୀକ୍ଷା ଲାଗି ବାହାରିଥିଲା ବିଜ୍ଞପ୍ତି। ପୋଲିସ ସବ୍ ଇନିସପେକ୍ଟର ପାଇଁ ୬୦୯ ପୋଷ୍ଟ, ପୋଲିସ ଆର୍ମଡ ଫୋର୍ସ ପାଇଁ ୨୫୩, ଫାୟାର ଷ୍ଟେସନ ଅଫିସର ପାଇଁ ୪୭ ଏବଂ ସହକାରୀ ଜେଲର ପାଇଁ ୨୪କୁ ମିଶାଇ ମୋଟ ୯୩୩ ପୋଷ୍ଟ ବାହାରିଥିଲା।
ତେବେ ପ୍ରଥମେ ମାର୍ଚ୍ଚ ୮ ଓ ୯ ତାରିଖ ଓ ପରେ ଜୁଲାଇ ୩ ତାରିଖରେ ହେବାକୁ ଥିବା ପରୀକ୍ଷା ବାତିଲ ହୋଇଥିଲା। ଆଉ ଅକ୍ଟୋବରରେ ହେବାକୁ ଥିବା ପରୀକ୍ଷା ପୂର୍ବରୁ ବଡ଼ କିକ୍ ବ୍ୟାକର ଖବର ପାଇ ପୋଲିସ ସେପ୍ଟେମ୍ବର ୨୯ରେ ୧୧୪ ପରୀକ୍ଷାର୍ଥୀ ଓ ଦଲାଲଙ୍କୁ ଗିରଫ କରିଥିଲା। ଫଳରେ ପରୀକ୍ଷା ତୃତୀୟ ଥର ବାତିଲ ହୋଇଥିଲା।
ଏଣେ କେଳେଙ୍କାରୀକୁ ୩ ମାସ ବିତିଯାଇଥିଲେ ମଧ୍ୟ ପରୀକ୍ଷା ଆରମ୍ଭ ନେଇ ସରକାରଙ୍କ ସ୍ତରରୁ କୌଣସି ସଙ୍କେତ ମିଳୁ ନ ଥିବାରୁ ଆଶାୟୀଙ୍କ ଆଶା ମଉଳି ଯାଉଛି। କିଛି ପରୀକ୍ଷାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିବା ବେଳେ ଆଉ କିଛି ବୟସ ସୀମା ସରିଯାଉଥିବାରୁ ତୁରନ୍ତ ପରୀକ୍ଷା କରିବାକୁ ଦାବି କରିଛନ୍ତି।
ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ସବୁଠି ଚର୍ଚ୍ଚା ହେବା ପରେ ରାଜ୍ୟ ସରକାର ୟୁନିଫର୍ସ ସେବା ଲାଗି ନୂଆ ଚୟନ ଆୟୋଗ ଗଠନ କରିଥିଲେ। ଗତ ନଭେମ୍ବର ମାସରେ ଗଠିତ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗୃହ, ଅବକାରୀ, ଜଙ୍ଗଲ ଓ ପରିବେଶ, ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ଆସୁଥିବା ପୁଲିସ ଓ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି କରିବ।
ସେପଟେ ଆଇନଜୀବୀ ଓ ପୂର୍ବତନ ଶାସନମୁଖ୍ୟଙ୍କ କହିବା କଥା, ଆଶାୟୀଙ୍କ ଭିବଷ୍ୟତକୁ ଦୃଷ୍ଟିରେ ରଖି ସରକାର ଚାହିଁଲେ ସାନି ପରିକ୍ଷା କରିପାରିବେ।
ପ୍ରକାଶଥାଉ ଯେ SI ପରୀକ୍ଷାରେ ମହାକେଳେଙ୍କାରୀ ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହି ଘଟଣାର ତଦନ୍ତ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ସିବିଆଇ କରୁଛି। ମୁଖ୍ୟ କାରପେଟଦାର ଶଙ୍କର ପୃଷ୍ଟି ସମେତ ମୋଟ ୧୩୦ରୁ ଅଧିକ ଗିରଫ ବି ହୋଇଛନ୍ତି। ତେବେ ନୂଆ ପରୀକ୍ଷା କେବେ ହେବ ତାକୁ ନେଇ ଅପେକ୍ଷା ଯେତିକି, ଅସନ୍ତୋଷ ସେତିକି କୁହୁଳୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)